ଯାଆଁଳା ଶିଶୁ ଜଗା-ବଳିଆଙ୍କ ବିରଳ ଅପରେସନ ଆରମ୍ଭ !

62

କନକ ବ୍ୟୁରୋ : ଯାଆଁଳା ଶିଶୁ ଜଗା-ବଳିଆ ପାଇବେ ନୂଆ ଜୀବନ । ଅନେକ ଦିନର କଷ୍ଟରୁ ମିଳିବ ମୁକ୍ତି । ଅଲଗା ହେବେ ଯାଆଁଳା ଶିଶୁ ଜଗାବଳିଆ ଓରଫ ହନି ସିଂ । ଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି କନ୍ଧମାଳର ଯାଆଁଳା ଶିଶୁ ଜଗାବଳିଆଙ୍କ ବିରଳ ଅସ୍ତ୍ରୋପଚାର । ସକାଳ ୯ଟାରୁ ଚାଲିଛି ଅପରେସନ । ଆଜି ସକାଳୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ଏହି ଅପରେସନରେ ସାମିଲ ହୋଇଛନ୍ତି । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି । କେ. ତାକି ଜାୱାଙ୍କ ନେତୃତ୍ୱରେ ଚାଲିଛି ଅପରେସନ ।

ଫୁଲବାଣୀର ଯାଆଁଳା ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀରେ ଅପରେସନ ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଉଭୟଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଆଜି ସକାଳୁ ଅପରେସନ ଆରମ୍ଭ ହୋଇଛି । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ଓ ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ଆଜି ଯଦି ଏହି ବିରଳ ଅପରେସନ ସଫଳ ରହେ , ତେବ ଏହା ସଫଳ ହେଲେ ଭାରତୀୟ ଚିକିତ୍ସା ବିଜ୍ଞାନରେ ଯୋଡିଦେବ ଏକ ନୂତନ ଅଧ୍ୟାୟ ।