୪୦ ଘଣ୍ଟାର ଅପରେସନ ଶେଷ! ୪ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା, ଗୃହମନ୍ତ୍ରୀ କହିଲେ ଜବାବ ଦେବ ଭାରତ

24

କନକ ବ୍ୟୁରୋ : ଜମ୍ମୁ ସିଂଜୁଆନ୍ ଆର୍ମି କ୍ୟାମ୍ପ ପରିସରରେ ୪୦ ଘଂଟା ହେଲା ଜାରି ରହିଛି ସେନାର ଅପରେସନ୍ ଆତଙ୍କବାଦୀ । ଏଯାଏଁ ୪ ଜୈସ୍ ଆତଙ୍କୀଙ୍କୁ ମାରିଛି ଭାରତୀୟ ସେନା । ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ଆଶଙ୍କାରେ ଚାଲିଛି ସର୍ଚ ଅପରେସନ୍ । ତେବେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଗୃହମନ୍ତ୍ରୀ କହିଛନ୍ତି ଆତଙ୍କୀଙ୍କୁ ଦିଆଯିବ ଉଚିତ ଜବାବ ।

ସୁଞ୍ଜୁୱାନ୍ ଆର୍ମି କ୍ୟାମ୍ପ ପରିସରରେ ସେନାର ସର୍ଚ ଅପରେସନ୍ । ଚାଲିଛି ଆତଙ୍କୀ ଜୈସ୍ ବିରୋଧୀ ଅଭିଯାନ । ଘରକୁ ଘର ବୁଲି ଆତଙ୍କବାଦୀଙ୍କୁ ଖୋଜୁଛନ୍ତି ସେନା ଯବାନ ।୩୬ ଘଂଟାର ଅପରେସନ ପରେ ସେନା କ୍ୟାମ୍ପରେ ପଶିଥିବା ୪ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଶନିବାର ରାତିରୁ ଗୁଳିମାଡ ବନ୍ଦ ଥିଲେ ବି ଆହୁରି କିଛି ଆତଙ୍କୀ ଲୁଚିଥିବା ସନ୍ଦେହରେ ସେନାର ଅପରେସନ୍ ଜାରି ରହିଛି । ହେଲିକପ୍ଟରରେ ଆର୍ମି କ୍ୟାମ୍ପ ପରିସରକୁ ତନ୍ନ ତନ୍ନ କରି ଯାଂଚ୍ କରୁଛନ୍ତି ଯବାନ ।

ଆର୍ମି କ୍ୟାମ୍ପରେ ଆତଙ୍କ ଖେଳାଇବା ପରେ ଜୈସ୍ ଆତଙ୍କୀଙ୍କୁ କଡା ଜବାବ ଦେଇଛି ସେନା । ତେବେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଜଣେ ସାଧାରଣ ନାଗରିକ ବି ପ୍ରାଣ ହରାଇଛନ୍ତି । ୧୧ ଜଣ ଆହତ ହୋଇଛନ୍ତି । ଆତଙ୍କୀଙ୍କୁ କ୍ୟାମ୍ପର ଗୋଟିଏ ଅଂଚଳ ଭିତରେ କଡନ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଛି ସେନା ।

ଶନିବାର ଭୋର ୪ଟା ୪୫ ମିନିଟ୍ ।ଜମ୍ମୁ କାଶ୍ମୀରର ସୁ୍ଞ୍ଜୁୱାନ ଆର୍ମି କ୍ୟାମ୍ପ । ରାତିଅଧିଆ ସେନା ଶିବିର ଉପରକୁ ଆକ୍ରମଣ କରି କ୍ୟାମ୍ପ ମଧ୍ୟକୁ ପଶିଥିଲେ ଆତଙ୍କବାଦୀ । କେହି କିଛି ବୁଝିବା ପୂର୍ବରୁ ଅନ୍ଧାଧୁନ ଗୁଳି ଓ ବୋମାମାଡ । ଯେଉଁଥିରେ ୫ ବୀର ଯବାନ ପ୍ରାଣ ହରାଇଥିଲେ । ଆତଙ୍କବାଦୀ ଆକ୍ରମଣ ପରେ ସୁଂଜୁୱାନ କ୍ୟାମ୍ପ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜେନେରାଲ୍ ବିପିନ ରାୱତ । ଆଉ ଆତଙ୍କୀଙ୍କୁ କଡା ଜବାବ ଦେବାକୁ ଦେଇଛନ୍ତି ଆହ୍ୱାନ ।