ଭୁବନେଶ୍ୱରରେ ବଡ଼ ଧରଣର କମାଣ୍ଡୋ ଅପରେସନର ମକଡ୍ରିଲ କଲା ଏନଏସଜି ! ଟାର୍ଗେଟ୍ ପ୍ଲେସ୍ ଭାବେ ନିଆଗଲା ସଚ୍ଚିବାଳୟ

37

କନକ ବ୍ୟୁରୋ : ସମୟ ପାଖାପାଖି ରାତି ୮ଟା । ଖବର ଆସିଲା ରାଜ୍ୟ ସଚ୍ଚିବାଳୟରେ ପଶିଛନ୍ତି ଆତଙ୍କବାଦୀ । ଖବର ପାଇ ବିଜୁଳି ବେଗରେ ପହଁଚିଲା କମିଶନେରଟ ପୁଲିସ୍ । ଏସ.ଟିୟୁ ଓ ଏସ୍.ଓ.ଜି ଟିମକୁ ନେଇ ଆରମ୍ଭ ହେଲା ଅପରେସନ୍ । ଅପରେଶନରେ ଯୋଗ ଦେଲେ ଏନ୍.ଏସ୍.ଜି,ର କିଛି ଅଫିସର । ସିଲ୍ ହୋଇଗଲା ପୂରା ସଚ୍ଚିବାଳୟ ମାର୍ଗ । ଅନ୍ଧାର ରାତିରେ ରାଜୀବ ଭବନରୁ ବାହାରିଥିଲା ଏସ୍.ଓ.ଜି ଓ ଏସ.ଟିୟୁର ଟିମ୍ । ଜଣକ ପରେ ଜଣେ ସଚ୍ଚିବାଳୟର ପଛପଟ ଗେଟ୍ ଦେଇ ଭିତରକୁ ଏଂଟ୍ରି ମାରିଥିଲେ । ଖବର ଆସିଲା ଏସ.ଟିୟୁ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ, ଜଣେ ଯବାନ ଆତଙ୍କବାଦୀଙ୍କ ଗୁଳିମାଡରେ ଆହତ ହୋଇସାରିଛନ୍ତି ।

ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରାଗଲା । ଏସ.ଟିୟୁ ଟିମକୁ ତୁରନ୍ତ ସହାୟତା ପାଇଁ ରାଜୀବ ଭବନ ଆସିଗଲେ ଏନ୍.ଏସ୍.ଜି କମାଣ୍ଡୋ । ଏନ୍.ଏସ୍.ଜି ଟିମକୁ ଲିଡ୍ କରୁଥିଲେ ଗ୍ରୁପ୍ କମାଣ୍ଡର । ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରାରେ ସମସ୍ତ ଦୃଶ୍ୟକୁ କଏଦ କରିଥିଲେ । ଆଉ ଠିକ୍ ରାତି ୧୦ଟାରେ ବ୍ଲାକକ୍ୟାଟ୍ କମାଣ୍ଡୋ ବ୍ୟାକଅପ୍ ଦେଇଥିଲା ଏସ.ଟି.ୟୁକୁ । ହାତରେ ଡଗ୍, ଆଧୁନିକ ଅସ୍ତ୍ରଶସ୍ତ୍ର, ୱାକିଟକି, ଏମପିପାଇଭ୍-କେ ବନ୍ଧୁକ ଧରି ଆରମ୍ଭ କଲା ଅପରେସନ୍ । କମାଣ୍ଡୋ ଓ ଆତଙ୍କବାଦୀଙ୍କ ଭିତରେ ଚାଲିଥିଲା ଲଢେଇ । ଆତଙ୍କବାଦୀଙ୍କ ବୋମା ମାଡର ଜବାବ ଦେଉଥିଲେ ବ୍ଲାକକ୍ୟାଟ କମଣ୍ଡୋ । ଘଂଟା ଘଂଟା ଧରି ଚାଲିଥିଲା ଏହିଭଳି ଛକାପଂଛା । ୪ ଘଂଟାର ଅପରେଶନ ପରେ ଅର୍ଥାତ୍ ରାତି ୨ଟା ପରିସ୍ଥିତି ଶାନ୍ତ ପଡିଥିଲା । ବାହାରକୁ ଖବର ଆସିଲା ବ୍ଲାକକ୍ୟାଟ୍ କମାଣ୍ଡୋ ୩ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି ।

ତେବେ ଏଭଳି ଏକ ଅପରେସର ମକ୍ ଡ୍ରିଲ ପାଇଁ ଓଡିଶାକୁ କାହିଁକି ବଛାଗଲା ତାର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଡିଜି ପୁଲିସ୍ କହିଛନ୍ତି ରାଜ୍ୟର ୨୪ଟି ସ୍ଥାନକୁ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । ଏହି ୨୪ଟି ସ୍ଥାନକୁ ନେଇ ପୁଲିସ ବିଭାଗ ସ୍ପଷ୍ଟ କରିନି ।

ଦେଖନ୍ତୁ ଏହି ଭିଡ଼ିଓ –