ଗଂଜାମରେ ‘କ୍ରିମିନାଲ୍ କ୍ଲିନ୍’ ! ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମାଙ୍ଗା ଗୁରୁତର, ମେଡିକାଲରେ ଭର୍ତ୍ତି

45

କନକ ବ୍ୟୁରୋ: କ୍ରିମିନାଲ କ୍ଲିନ ଅଭିଯାନରେ ଗଞ୍ଜାମ ପୋଲିସର ୩୮ ତମ ଶିକାର ହୋଇଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ମାଙ୍ଗା ଓରଫ ରାଜେଶ ପଣ୍ଡା । ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଥାନା ପୋଲିସ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ଏହି ଏନକାଂଉଟର ହୋଇଛି । ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ପୋଲିସକୁ ଦେଖି ମାଙ୍ଗା ଖସି ପଳାଇବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ପିଛା କରୁଥିବା ଦେଖି ମାଙ୍ଗା ଗୁଳି ଫୁଟାଇଥିଲା । ଜୀବନ ବଂଚାଇବାକୁ ଯାଇ ପୋଲିସ ପାଲଟା ଫାୟାରିଂ କରିଥିଲା । ଏଥିରେ ମାଙ୍ଗା ଆହତ ହୋଇଛି । ମାଙ୍ଗାର ବାମ ଗୋଡ ଆଣ୍ଠୁରେ ଗୁଳି ବାଜିଛି ।

ସେପଟେ, କଟକରେ ପୁଣି ହୋଇଛି ଏନକାଉଂଟର । ଗୁଳିକାଣ୍ଡରେ ସଂପୃକ୍ତ ଡି-ବ୍ରଦର୍ସଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁ ଏନକାଉଣ୍ଟର କରିଛି ପୁଲିସ୍ । ଏହି ଏନକାଉଣ୍ଟରରେ ସଦା ନାୟକଙ୍କ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସଦା ଗତକାଲି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଶ୍ରୀକରୁଆ ନିକଟରେ ଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଏହା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସଦାର ଗୋଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲା । ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ସଦା ପୁଲିସ ଗୁଳିରେ ତଳେ ପଡ଼ିଯାଇଥିଲା । ସଦା ନିକଟରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି ଓ ଗୋଟିଏ ମୋବାଇଲ ଜବତ ହୋଇଛି ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସଦାର ଧଳ ବ୍ରଦର୍ସଙ୍କ ସହିତ ସଂପୃକ୍ତି ଥିଲା। ଅନ୍ୟପଟେ ଗତ ମାସରେ କଟକ ଗୁଳିକାଣ୍ଡର ପୁଲିସ ପର୍ଦ୍ଦାଫାସ କରିଛି । ଏହି ଗୁଳିକାଣ୍ଡରେ ଜଣେ ଗରିଫ ହୋଇଥିବା ବେଳେ ଆଜି ସଦା ନାୟକକୁ ଏନକାଉଂଟର କରିଛି ପୁଲିସ ।