‘ଅପରେସନ ଅଲଆଉଟ’ ଆରମ୍ଭ ! ଆତଙ୍କବାଦୀଙ୍କ ଛାତିରେ ପଶିଲା ଛନକା, ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବ ଭାରତୀୟ ସେନା

47

ସାବଧାନ ଆତଙ୍କବାଦୀ । ଆଉ ଏଣିକି ସୁଖନିଦ୍ରାରେ ଶୁଆଇ ଦେବେନି ଭାରତୀୟ ଯବାନ । କାରଣ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଅପରେସନ ଅଲଆଉଟ । ସେନାର ଅପରେସନ ଅଲଆଉଟକୁ ସରକାରଙ୍କ ଗ୍ରୀନ ସିଗନାଲ । ଆଉ ସରକାରଙ୍କ ଏହି ଘୋଷଣା ପରେ ଆତଙ୍କବାଦୀଙ୍କ ଛାତିରେ ଏବେ ଛନକା ପଶିଛି । କାରଣ ଏବେ ଭାରତୀୟ ଯବାନ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବେ । ପୂର୍ବରୁ ରମଜାନ ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସେନା କାର୍ଯ୍ୟାନୁଷ୍ଠାନ ଉପରେ ସାମୟିକ ରୋକ୍ ଲଗାଇଥିଲେ । ଉସୁକାଇବା ଭଳି ସ୍ଥିତି ନ ଉପୁଜିଲେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ବୋଲି ପ୍ରସ୍ତାବରେ ସ୍ପଷ୍ଟ କରାଯାଇଥିଲା । ତେବେ ରମଜାନ ଶେଷ ହୋଇଥିବାରୁ ଗୃହ ମନ୍ତ୍ରାଳୟ ରୋକ୍ ପ୍ରତ୍ୟାହୃତ କରିଛି ।

ଆଜିଠାରୁ କାଶ୍ମୀର ଘାଟିରେ ପୁଣିଥରେ ଜୋରଦାର ହେବ ଅପରେସନ୍ ଅଲଆଉଟ୍ । ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦ, ଅନୁପ୍ରବେଶ ଉଦ୍ୟମ ଓ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବ ସେନା । ପୂର୍ବରୁ ଏକ ମାସର ଅସ୍ତ୍ରବିରତି ଯୋଗୁ କାଶ୍ମୀରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଥିଲା । ସାମ୍ବାଦିକ ସୁଜାତ୍ ବୁଖାରୀ, ଯବାନ ଔରଙ୍ଗଜେବ ହତ୍ୟା ଭଳି ଅପରାଧକୁ ରୂପ ଦେଇଥିଲେ ଆତଙ୍କବାଦୀ । ଏପରିକି ଇଦ୍ ଦିନ ମଧ୍ୟ ସେନାର ଜଣେ ଯବାନ ପ୍ରାଣ ହରାଇଥିଲେ । ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କ କଡ଼ା ସମାଲୋଚନା କରିଥିଲେ । ତେବେ ରୋକ୍ ହଟିବା ପରେ ପୁଣି ଜୋରଦାର ହେବ ଅପରେସନ୍ ।

ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀର ସ୍ଥିତିର ଅନୁଧ୍ୟାନ କରିବା ପରେ ଅସ୍ତ୍ରବିରତିକୁ ପ୍ରତ୍ୟାହାର କରିଛନ୍ତି । ତେବେ ଏହା ପୂର୍ବରୁ ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ । ଗତ ଏକ ମାସ ଅସ୍ତ୍ରବିରତି ଯୋଗୁ କାଶ୍ମୀରରେ ଅନେକ ସଙ୍ଗିନ ଘଟଣା ଘଟିଛି । ମାସକ ମଧ୍ୟରେ ରାଇଜିଂ କାଶ୍ମୀର ଏଡିଟର୍ ସୁଜାତ୍ ବୁଖାରି, ସେନା ଯବାନ ଔରଙ୍ଗଜେବ୍, ୪ ଜଣ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି । ଏହି ସମୟ ମଧ୍ୟରେ ପାକିସ୍ତାନ ପକ୍ଷରୁ ଏକାଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ, ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କରାଯାଇଛି । ସେହିପରି ସେନା ଉପରକୁ ଏକାଧିକ ବାର ପଥରମାଡ଼ କରାଯାଇଛି କାଶ୍ମୀରରେ । ଗତକାଲି ପୁଲିସ ଓ ଆତଙ୍କବାଦୀ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତକାଲି ରାଜୌରୀ ସେକ୍ଟରରେ ପାଟ୍ରୋଲିଂ ଗାଡ଼ି ଉପରେ ଆକ୍ରମଣ ହେବାରୁ ଜଣେ ସେନା ଯବାନ ପ୍ରାଣ ହରାଇଛନ୍ତି ।