ଯନ୍ତ୍ରଣା କୋଳରେ ଜୀବନ : ରଙ୍ଗମଂଚରେ ଅଭିନୟ କରି ଦର୍ଶକଙ୍କୁ ହସାଉଥିହା ଯାତ୍ରା କଳାକାର ପ୍ରତାପ ଏବେ ରୋଗ ଶଯ୍ୟାରେ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

75

କନକ ବ୍ୟୁରୋ : ପରିବାର ମୁହଁରେ ଆହାର ଦେଉଥିବା ମଣିଷ ଏବେ ପରିବାର ପାଇଁ ବୋଝ । ଅନ୍ଧାର ରାତିର ରଙ୍ଗମଂଚରେ ଲୋକଙ୍କୁ ହସାଉଥିବା କଳାକାର ଆଖିରେ ଭରି ଯାଇଛି ଲୁହ । ୩୦ ବର୍ଷ ଧରି ଅଭିନୟରେ ମଜି ରହିଥିବା ମଣିଷ ଏବେ ରୋଗଶଯ୍ୟାରେ । ଶିବାନୀ, ଧରିତ୍ରୀ, ନୀୟତି ଭଳି ନାମିଦାମୀ
ଯାତ୍ରା ପାର୍ଟିରେ ଅଭିନୟ କରିଥିବା ଜଗତସିଂହପୁରର ପ୍ରତାପ ମହାନ୍ତି ଏବେ କର୍କଟ ରୋଗରେ ପୀଡିତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି ।

ରଙ୍ଗମଂଚରେ ଅଭିନୟ କରି ଦର୍ଶକଙ୍କ ଆଖିରେ ଲୁହ, ମୁହଁରେ ହସ ଫୁଟାଉଥିବା କଳାକାରଙ୍କ ଆଖିରେ ଧାର ଧାର ଲୁହ । ଏ ଲୁହ ଅଭିନୟର ନୁହେଁ, ଯନ୍ତ୍ରଣା ଆଉ ଅଭାବ ଅନାଟନର । ଜଗତସିଂହପୁର ରଘୁନାଥପୁର ବ୍ଲକ ପିତାମ୍ବାରପୁର ଗାଁର ଯାତ୍ରା କଳାକାର ପ୍ରତାପ ଚନ୍ଦ୍ର ମହାନ୍ତି । ୩୦ ବର୍ଷର କଳାକାର ଜୀବନରେ ବହୁ ନାମିଦାମି ଯାତ୍ରା ପର୍ଟିରେ ହିରୋ, ଭିଲିଆନ ଓ ବିଭିନ୍ନ ଚିରିତ୍ରରେ ଅଭିନୟ କରିଥିବା ମଣିଷ ଏବେ ଜୀବନ ଯୁଦ୍ଧରେ ଲଢେଇ କରିବା ପାଇଁ ଅସମର୍ଥ । କର୍କଟ ରୋଗରେ ପୀଡିତ ହୋଇ ବିଛଣାରେ ପଡିଛନ୍ତି ପ୍ରତାପ ।

ଗୋଡରେ ହୋଇଥିବା ଛୋଟିଆ ଖଣ୍ଡିଆ ଏବେ କ୍ୟାନସର୍ ପରିଣତ ହୋଇଛି । ଚିକିତ୍ସା ପାଇଁ ଡାକ୍ତର କହୁଛନ୍ତି ବହୁତ ପଇସା ଦରକାର । ହେଲେ ଅର୍ଥ ଅଭାବରୁ ଚିକିତ୍ସା କରିନପାରି ବର୍ଷେ ହେବ ବିଛଣାରେ ଛଟପଟ ହେଉଛନ୍ତି ପ୍ରତାପ । ସ୍ତ୍ରୀ ମିନତୀ ପର ଘରେ ମୂଲ ଲାଗି ପରିବାର ମୁହଁରେ ଆହାର ଦେବା ସହ ସ୍ୱାମୀଙ୍କ ପାଇଁ ଔଷଧ କିଣୁଛନ୍ତି । ଏଭଳି ସ୍ଥିତିରେ ଦୁଇ ପୁଅଝିଅଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ପରିବାର ଅବସ୍ଥା ଦେଖି ପୁଅ ଏବେ ଗୋଟିଏ ଦୋକାନରେ କାମ କରୁଛି । ଏ ବାବଦରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରଲିଫ୍ ପାଣ୍ଠିରୁ ପ୍ରତାପଙ୍କୁ ସାହାଯ୍ୟ କରାଯିବ ବୋଲି ସେ କହିଛନ୍ତି । ଯାତ୍ରା କଳାକାରଙ୍କ ଏଭଳି ପରିସ୍ଥତିରେ ଚିକିତ୍ସା ପାଇଁ ସରକାର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।