ନଗେନ୍ଦ୍ର ବାବୁ ସାହସ ଅଛି ତ ମନର ରାଗ ଠିକ୍ ଜାଗାରେ ଦେଖାନ୍ତୁ । ଗଣମାଧ୍ୟମ ଆପଣଙ୍କ ନିର୍ଦ୍ଦେଶରେ ଚାଲିବନି, ଆମେ ଜାଣିଛୁ ଆମ କର୍ତ୍ତବ୍ୟ କଣ ।

66

ସମ୍ବଲପୁର ସାଂସଦଙ୍କୁ ଖୋଲାଚିଠି । ମାନ୍ୟବର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଆମେ ଏଥିପାଇଁ ଖୋଲାଚିଠି ଲେଖୁଛୁ କାରଣ ଆଜି ଯେଉଁଭଳି ଭାବେ ସେ ସାମ୍ବାଦିକମାନଙ୍କୁ ସାମ୍ବାଦିକତାର ପାଠ ପଢାଇଲେ ତାହା ସହଜରେ ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କ ଠାରୁ ପ୍ରଥମେ ପ୍ରତିକ୍ରିୟା ନେବାରୁ ଆପଣ ଏଭଳି ଭାବେ ଅସହିଷ୍ଣୁ ହୋଇଗଲେ ଯେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରଶ୍ନର ପାହାଡ ତିଆରି କରିଦେଲେ । ଏଣୁତେଣୁ ମନକୁ ଯାହା ଆସିଲା କହିଲେ । ଜିଲ୍ଲାପାଳଙ୍କ ଠାରୁ କାହିିଁକି ଆଗ ପ୍ରତିକ୍ରିୟା ନିଆଗଲା ତାହାକୁ ନେଇ ଆପଣ ତୁମ୍ବିତୋଫାନ ଆରମ୍ଭ କଲେ । ଏପରିକି ବ୍ୟୁରୋକ୍ରାଟ ଆଗ ନା ରାଜନେତା ଆଗ ଏହାର ଉତ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଗିଲେ । ରାଗ ଏତେ ଉପରକୁ ଚଢିଯାଇଥିଲା ଯେ ଆପଣଙ୍କ ପାଟିରୁ କେବଳ ଇଂରାଜୀ ହିଁ ବାହାରୁଥିଲା । ଆଜ୍ଞା ନଗେନ୍ଦ୍ର ବାବୁ ଆମେ ଓଡ଼ିଆ ଗଣମାଧ୍ୟମର ପ୍ରତିନିଧି । ତେଣୁ ଆମେ ଓଡ଼ିଆ ଅଧିକ ବୁଝିଥାଉ । କିନ୍ତୁ ଆପଣ ଯେଉଁଭଳି ଭାବେ ଇଂରାଜୀ କହୁଥିଲେ ତାହା ଆମ ମଗଜକୁ ଆଦୌ ପଶିଲାନାହିଁ । ଜଣେ ଓଡ଼ିଆ ସାଂସଦ ହୋଇ ଏତେ ଇଂରାଜି କାହିଁକି କହୁଛନ୍ତି । ଓଡ଼ିଆରେ କହିଥିଲେ ଆମେ କଣ ବୁଝି ପାରିନଥାନ୍ତୁ । ଇଂରାଜି କହିଲେ କହିଲେ ତେବେ ମଝିରେ ଓଡ଼ିଆ କିନ୍ତୁ ବାହାରୁଥିଲା । ଆପଣ ଯେଉଁଭଳି ଭାବେ ଇଂରାଜୀ-ଓଡ଼ିଆ ଗୋଳିଆଘଣ୍ଟା ଭାଷାରେ କହୁଥିଲେ ତାହା ଆମ ମଗଜ ବାହାରକୁ ଗଲା । ବୁଝାପଡିଲାନି ଇଂରାଜୀ କାହିଁକି? ରାଗିଲେ କଣ ଆପଣ ଇଂରାଜୀ କୁହନ୍ତି କି?
ତେବେ ସାଂସଦ ମହୋଦୟ ଗୋଟିଏ କଥାର ଦୟାକରି ଉତ୍ତର ରଖିବେ । ବ୍ୟୁରୋକ୍ରାଟଙ୍କ ପ୍ରତିକ୍ରିୟା ପ୍ରଥମେ ନେବାରୁ ଆପଣ ଏତେ ପ୍ରତିକ୍ରିୟାଶୀଳ କଣ ପାଇଁ ହେଲେ? ଗଣମାଧ୍ୟମ ଆଗରେ ରାଗ ତମ ତମ ହୋଇ ଅନେକ କିଛି କଥା କହିଗଲେ । ତେବେ ନଗେନ୍ଦ୍ର ବାବୁ ଯଦି ଆପଣଙ୍କର ପ୍ରକୃତରେ ସାହସ ଅଛି ତେବେ ଏହି ରାଗ ଠିକ୍ ଜାଗାରେ ଦେଖାଅ । ସେଠାରେ ଆପଣଙ୍କୁ ହୁଏତ ପ୍ରକୃତ ଉତ୍ତର ମିଳିଯାଇପାରେ । ଠିକ୍ ଜାଗାରେ ମୁହଁ ନ’ଖୋଲି ଗଣମାଧ୍ୟମ ଆଗରେ ଏଭଳି ଗର୍ଜନ କରିବା ନଗେନ୍ଦ୍ର ବାବୁ ଆପଣଙ୍କ ଭଳି ବରିଷ୍ଠ ରାଜନେତାଙ୍କୁ ଆଦୌ ଶୋଭା ଦେଉନାହିଁ । ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ସତ୍ୱେ ଏଭଳି ଆଚରଣ ବିଲକୁଲ ବି ହଜମ ହେଉନାହିଁ ।

ଘଟଣାଟି ଥିଲା କିଛି ଏହିଭଳି । ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ପରେ ପ୍ରଥମେ ଜିଲ୍ଲାପାଳଙ୍କର ପ୍ରତିକ୍ରିୟା ନେଇଯାଇଥିଲେ ସାମ୍ବାଦିକ । କାରଣ, ଜିଲ୍ଲାପାଳ ପ୍ରଥମେ ବାହାରକୁ ଆସି ଥିଲେ । ଏତିକି ଦେଖି ନଗେନ୍ଦ୍ର ବାବୁଙ୍କ ପାରା ବଢିଯାଇଥିଲା । ରାଗିଯାଇଥିଲେ । ହେଲେ ଆମେ ବୁଝିପାରିଲୁନି ମାନ୍ୟବର ସାଂସଦ ରାଗିଲେ କାହିଁକି? ସୁବିଧା ଦେଖି ଗଣମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେଇଥିଲେ । ଏହାର ଅର୍ଥ ନୁହେଁ, ଆମେ କାହାକୁ ତଳୁଆ କରି ଦେଖାଇବାକୁ ଉଦ୍ୟମ କରିଥିଲୁ ।

କଥାରେ କଥାରେ ମାନ୍ୟବର ସାଂସଦ କହିଥିଲେ, ଆପଣ ଉତ୍ତର ରଖନ୍ତୁ କାହିଁକି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ପ୍ରଥମେ ନେଉଛନ୍ତି । ମାନ୍ୟବର ସାଂସଦଙ୍କୁ ଆମ ଜବାବ୍ ହେଲା, କାହା ପ୍ରତିକ୍ରିୟା ଆମେ ପ୍ରଥମେ ନେବୁ ସେନେଇ ଆମେ ଆପଣଙ୍କ ନିକଟରେ ଉତ୍ତରଦାୟୀ ନୋହୁଁ । ସାଂସଦ କହିଥିଲେ, ସେମାନେ ନିୟମ ତିଆରି କରନ୍ତି । ଆଜ୍ଞା ଆମେ ମଧ୍ୟ ଏକଥା ବେଶ ଭଲ ଭାବେ ଜାଣିଛୁ । ବିଧାନସଭା ଆଉ ସଂସଦରେ ଆଇନ ତିଆରି ହୁଏ ଯେଉଁଥିରେ ଆପଣମାନେ ଭାଗିଦାର୍ ଥାଆନ୍ତି । ଶେଷରେ ନଗେନ୍ଦ୍ର ବାବୁ ଶେଷରେ କହିଥିଲେ, ବିଜ୍ଞାପନ ପାଇଁ ଯେଉଁଠି ପଇସା ଅଛି, ଆପଣମାନେ ଅର୍ଥାତ୍ ଗଣମାଧ୍ୟମ ସେଠାକୁ ଯାଉଛି । ମାନ୍ୟବର ସାଂସଦଙ୍କୁ ଆମର ଅନୁରୋଧ, ଥରେ ହିସାବ କରି ଦେଖନ୍ତୁ ସମ୍ବଲପୁରରୁ କେଉଁ ଗଣମାଧ୍ୟମକୁ କେତେ ଟଙ୍କାର ବିଜ୍ଞାପନ ଯାଇଛି । ତାର ଏକ ତାଲିକା ନେଇ ବସିଗଲେ ହୁଏତ ଆପଣଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୁର ହୋଇଯିବ ।

ନିର୍ବାଚିତ ସଭ୍ୟ ଆଇନ ତିଆରି କରନ୍ତି ଓ ଏହି ଆଇନକୁ ବ୍ୟୁରୋକ୍ରାଟ ମାନେ ପାଳନ କରନ୍ତି ଆପଣ କହିଥିବା ଏହି ଉକ୍ତିଟି ସତ । କିନ୍ତୁ ମାନ୍ୟବର ସାଂସଦ ମହୋଦୟ ଆପଣ ଜାଣି ରଖିବା ଉଚିତ ଯେ, ଆଇନ ପାଳନ କରିବାକୁ ସେମାନଙ୍କୁ ନିଯୁକ୍ତି ଦିଆଯାଇଥାଏ । କିନ୍ତୁ ବ୍ୟୁରୋକ୍ରାଟଙ୍କୁ ନେଇ ଆପଣଙ୍କ ମନରେ ହଠାତ ଏତେ ଆକ୍ରୋଶ କେଉଁଠୁ ଆସିଲା ତାହା ବୁଝା ପଡୁନାହିଁ । କଣ ଏବେ ବ୍ୟୁରୋକ୍ରାଟ ଆଇନ ପାଳନ କରୁନାହାନ୍ତି? ଔଷଧ ବିକଳରେ ତାଡିଆ କାମୁଡିବା ଭଳି ବ୍ୟୁରୋକ୍ରାଟଙ୍କ ଉପରେ ଥିବା ରାଗ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ସାରିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମ୍ବାଦିକତାର ପାଠ ମଧ୍ୟ ପଢାଇଲେ । କଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ପ୍ରଥମେ ପ୍ରତିକ୍ରିୟା ଗଣମାଧ୍ୟମ ନେଲା ତାହା ଉପରେ ପ୍ରଶ୍ନ ଉଠାଇଲେ । ତେବେ ନଗେନ୍ଦ୍ର ବାବୁ ଆପଣଙ୍କୁ ଆମେ ଏଠାରେ କହି ରଖୁଛୁ ଗଣମାଧ୍ୟମ ଆପଣଙ୍କ ନିର୍ଦ୍ଦେଶରେ ଚାଲିବନି । କାହାଠାରୁ ପ୍ରଥମେ ପ୍ରତିକ୍ରିୟା ନେବୁ କାହାଠାରୁ ପଛେ ପ୍ରତିକ୍ରିୟା ନେବୁ ସେଥିପାଇଁ ଆପଣଙ୍କ ଅନୁମତି ନେବା ଆମର ଆବଶ୍ୟକତା ନାହିଁ । କେଉଁଟା ଠିକ୍ କେଉଁଟା ଭୂଲ ସେକଥା ଗଣମାଧ୍ୟମ ବେଶ ଭଲଭାବେ ଜାଣିଛି । ଆମେ ଜାଣିଛୁ ଆମ କର୍ତ୍ତବ୍ୟ କଣ । ଆପଣ ରାଜନୀତି କରନ୍ତୁ ଆମେ ଆମ କର୍ତ୍ତବ୍ୟ କରୁଛୁ । ତେବେ ଗୋଟିଏ ଅନୁରୋଧ, ଗଣମାଧ୍ୟମକୁ ଜ୍ଞାନର ପାଠ ପଢାଇବା ପୂର୍ବରୁ ଗଣମାଧ୍ୟମରେ କିପରି ଆଚରଣ କରାଯାଏ ସେ ଜ୍ଞାନ ଆପଣ ପୁଣିଥରେ ଶିଖିବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ ।
ତେବେ ବ୍ୟୁରୋକ୍ରାଟଙ୍କ ଉପରେ ଆଗ୍ନେୟଗିରି ଭଳି ବସା ବାନ୍ଧିଥିବା ଆପଣଙ୍କ ରାଗ ଆଜି ବିସ୍ପୋରଣରେ ଲାଭା ଆକାରରେ ବାହାରକୁ ବାହରିଥିଲା । ଆଉ ଏହି ରାଗର ପ୍ରକୋପ ଏତେ ଅଧିକ ଥିଲା ଯେ ଆପଣଙ୍କ ପାଟିରୁ ଓଡ଼ିଆ ଭାଷା କମ ଇଂରାଜି ଅଧିକ ବାହାରୁଥିଲା । ଲାଗୁଥିଲା ଯେପରି ଆପଣ ଇଂରାଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି । ଇଂରାଜୀରେ ଯାହା କହିଲେ କହିଲେ ପୁଣି ଏହାକୁ ସୁଟିଂ କରିବାକୁ ମଧ୍ୟ କହୁଛନ୍ତି । ଗଣମାଧ୍ୟମ କଣ ଆପଣଙ୍କ କଥାନୁସାରେ ସୁଟିଂ କରିବ । ଛାଡନ୍ତୁ ସେ କଥା ଆପଣ ଏହି ଘଟଣାକୁ ସୁଟିଂ କରିବାକୁ କହି ନିଜ ଗୋଡରେ ନିଜେ କୁରାଢୀ ମାରୁନାହାନ୍ତି ତ? ଭାବୁଛୁ ଖୋଲାଚିଠି ପଢିବା ପରେ ଆପଣଙ୍କ ପ୍ରତିକ୍ରିୟା ନିଶ୍ଚୟ ଆସିବ । ଆପଣ ଜଣେ ଅଭିଜ୍ଞ ରାଜନେତା, ତେଣୁ ଅଭିଜ୍ଞତାର ସହ ଯଦି ଆଚରଣ କରନ୍ତି ତେବେ ଭଲହୁଅନ୍ତା । ଆମେ ଗଣମାଧ୍ୟମ ପ୍ରତିନିଧି, ଆପଣଙ୍କ ନିର୍ଦ୍ଦେଶରେ କାମ କରୁଥିବା ଦଳୀୟ କାର୍ୟ୍ୟକର୍ତ୍ତା ନୁହଁ ।