୨୦୧୯ ନିବାର୍ଚନ ପାଇଁ କଂଗ୍ରେସର ମଙ୍ଗୁଆଳ ହେବେ ପ୍ରସାଦ! ଇସ୍ତଫା ଗ୍ରହଣ କଲେନାହିଁ ହାଇକମାଣ୍ଡ, କଣ ହେବ ନେତୃତ୍ୱ ପରିବର୍ତନର ନାରା ଦେଉଥିବା ନେତାଙ୍କ ସ୍ୱର

22

କନକ ବ୍ୟୁରୋ : ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢ଼ିବ କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ପଦରେ ହେବ ନାହିଁ କୌଣସି ପରିବର୍ତନ । ବିଜେପୁର ଉପ-ନିର୍ବାଚନ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାକୁ ଗ୍ରହଣ କରିନାହିଁ ଏଆଇସିସି । ଓଡ଼ିଶାର ଦଳପତିଙ୍କ ଉପରେ ପୁଣି ଆସ୍ଥା ରଖିଛନ୍ତି ରାହୁଲ ଗାନ୍ଧୀ । ଆଜି ବିଧିବଦ୍ଧ ଭାବରେ ଏନେଇ ସୂଚନା ଦେଇଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷା ।

ବିଜେପୁର ଉପ-ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଏବଂ ପରାଜୟ ପାଇଁ ନୈତିକ ଦାୟିତ୍ୱ ମୁଣ୍ଡାଇ ପିସିସି ମୁଖିଆ ଇସ୍ତଫା ଦେବା ପରେ, ଅପେକ୍ଷା ଥିଲା- କ’ଣ ହେବ ହାଇକମାଣ୍ଡଙ୍କ ନିଷ୍ପତି? ଦୀର୍ଘ ଦିନରୁ ପରିବର୍ତନର ଦାବି କରିଆସୁଥିବା ଦଳୀୟ ବିଧାୟକ ଓ ନେତାଙ୍କ ସପକ୍ଷରେ ଯିବ କି-ରାହୁଲଙ୍କ ନିଷ୍ପତି? ହେଲେ ଏହି ସବୁ ଆଶା-ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ଏଆଇସିସି । ଆସନ୍ତା ସାଧାରଣ ନିର୍ବାଚନ ଯାଏଁ ପିସିସି ମୁଖିଆ ଆସନରେ ରହିବେ ପ୍ରସାଦ । ଶୃଙ୍ଖଳା କମିଟି ଅଧ୍ୟକ୍ଷା ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଏପରିକି ସାଧାରଣ ନିର୍ବାଚନ ପାଇଁ ଖୁବ କମ ସମୟ ଥିବାରୁ ୭ରୁ ୮ମାସ ପାଇଁ ନୂଆ ସଭାପତି କରିବାକୁ ମନ ବଳାଇନାହାନ୍ତି ରାହୁଲ ।

ପଂଚାୟତ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଦଳ ଓଡ଼ିଶାରେ ଦୁଇ ନମ୍ବର ସ୍ଥାନରୁ ଖସି ୩ ନମ୍ବରକୁ ଖସି ଆସିଛି । ହେଲେ ଓଡ଼ିଶା ଦଳପତିଙ୍କ ଉପରେ ଏବେବି ରହିଛି ହାଇକମାଣ୍ଡଙ୍କ ଭରସା । ଠିକ୍ ପଂଚାୟତ ନିର୍ବାଚନ ଫଳାଫଳ ପରେ ଯେମିତି ପ୍ରସାଦଙ୍କ ଇସ୍ତଫା ଗ୍ରହଣ କରିନଥିଲେ କଂଗ୍ରେସ ଅଧ୍ୟକ୍ଷ, ସେମିତି ବିଜେପୁର ପରାଜୟ ପରେ ବି ପିସିସି ମୁଖିଆଙ୍କ ଇସ୍ତଫା ଗ୍ରହଣ କରି ନାହିଁନ୍ତି । କ’ଣ ହେବ ପ୍ରସାଦଙ୍କୁ ବିରୋଧ କରୁଥିବା ନେତାଙ୍କ ଆଭିମୁଖ୍ୟ ? ପୁଣି କୁହୁଳିବ କି କଂଗ୍ରେସ କନ୍ଦଳ ? ଆସନ୍ତା ୧୭ ତାରିଖରୁ ଦିଲ୍ଲୀରେ ବସୁଛି ଏଆଇସିସିର ୩ଦିନିଆ ବୈଠକ । ପରିବର୍ତ୍ତନ ନାରା ପୁଣି ଉଠାଇବେ କି ଓଡ଼ିଶା ନେତା ? ନା’ ଏଆଇସିସିର ନିଷ୍ପତିକୁ ଗ୍ରହଣ କରି ୨୦୧୯ ପାଇଁ ଘର ସଜାଡିବ କଂଗ୍ରେସ ?