ପୁଣି ଝୁଲିଲା ପିସିସି ପରିବର୍ତନ ନିଷ୍ପତି । ବିଜେପୁର ନିର୍ବାଚନ ପୂର୍ବରୁ ଚୁଡାନ୍ତ ଫଇସଲା ନେଇପାରୁନାହାନ୍ତି ହାଇକମାଣ୍ଡ ।

31

କନକ ବ୍ୟୁରୋ : ପୁଣି ଝୁଲିଲା ପିସିସି ପରିବର୍ତନ ନିଷ୍ପତି । ବିଜେପିପୁର ଉପନିର୍ବାଚନ ପୂର୍ବରୁ ପିସିସି ସଭାପତି ପରିବର୍ତନ ନେଇ କୌଣସି ନିଷ୍ପତି ନେଇପାରପାରୁନାହାନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଗତକାଲି ଏ ନେଇ କସରତ ହୋଇଥିଲେ ବି କିଛି ଫଳ ବାହାରିପାରିନାହିଁ । ବିଜେପୁର ନିର୍ବାଚନ ପାଇଁ ଏକ କମିଟି ଗଠନ କରି କାମ ସାରିଦେଇଛନ୍ତି । ଦୀର୍ଘଦିନ ଧରି ରାଜ୍ୟରେ ପିସିସି ପରବର୍ତନ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏ ବାବଦରେ ଚୂଡାନ୍ତ ନିଷ୍ପତି ନିଆଯାଇପାରୁନାହିଁ । ଏ ବାବଦରେ ବିଭିନ୍ନ ଗୋଷ୍ଠୀ ହାଇକମାଣ୍ଡଙ୍କୁ ଭିନ୍ନ ଭିନ୍ନ ଚାପ ପକାଉଥିବା ଚର୍ଚ୍ଚା ଜୋର ଧରିଛି ।

ଗତକାଲି ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ବାସଭବନରେ ପହଂଚିଥିଲେ ଜଣେ ପରେ ଜଣେ ଓଡିଶା କଂଗ୍ରେସ ନେତା । ପୂର୍ବତନ ପିସିସି ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ନବ ଦାସ ଓ ଚିରଂଜୀବୀ ବିଶ୍ୱାଳ । ଚାଲିଥିଲା ରୁଦ୍ଧଦ୍ୱାର ବୈଠକ । ପ୍ରସଙ୍ଗ ଥିଲା ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି । ଆଉ ଏମାନଙ୍କସହ ଉପସ୍ଥିତ ଥିଲେ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ । ଯିଏ କିଛି ମାସ ଆଗରୁ ରାଜ୍ୟ କଂଗ୍ରେସର ସ୍ଥିତି ନେଇ ରାହୁଲଙ୍କୁ ଦେଇଥିଲେ ରିପୋର୍ଟ ।

କୁହାଯାଉଥିଲା ଦୀର୍ଘ ଦିନ ହେବ ପିସିସି ମୁଖିଆ ପଦ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଖୁବଶୀଘ୍ର ଅନ୍ତ ଘଟିବ । ଆଗକୁ ନିର୍ବାଚନ ଋତୁ ଆସୁଥିବାରୁ କିଏ ରାଜ୍ୟ କଂଗ୍ରେସର ମଙ୍ଗ ଧରିବ ସେ ନେଇ ରାହୁଲ ତୁରନ୍ତ କିଛି ନିଷ୍ପତ୍ତି ନେବେ । କାରଣ ଗତ କିଛି ମାସ ଧରି ପିସିସି ସଭାପତି ପଦକୁ ନେଇ ବିବାଦ ଚରମ ସୀମାରେ ପହଂଚିଥିଲା । ରାଜ୍ୟ ରାଜଧାନୀରୁ ଆରମ୍ଭ କରି ଦିଲ୍ଲୀ ଦରବାରରେ ବିଭିନ୍ନ ସମୟରେ ନେତୃତ୍ୱ କନ୍ଦଳକୁ ନେଇ ଚର୍ଚ୍ଚା ହୋଇଥିଲା । ସୂଚନା ଅନୁସାରେ ରାଜ୍ୟ କଂଗ୍ରେସର ନେତା ନିରଂଜନଙ୍କୁ ନେତୃତ୍ୱ ଦେବାକୁ ମତ ରଖିଥିଲେ । କିନ୍ତୁ କାହାକୁ ପିସିସି ସଭାପତି କରାଯିବ ସେ ନେଇ ହାଇକମାଣ୍ଡ ମନ ସ୍ଥିର କରିପାରୁନାହାନ୍ତି । ଫଳରେ ଆଶା ଓ ଆଶଙ୍କାର ରହିଛନ୍ତି ନେତା ଓ କର୍ମୀ ।