ପାଟକୁରା ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡି ଦେବ ପ୍ରାର୍ଥୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ପ୍ରାର୍ଥୀ ବଦଳାଇ ପାରିବେନି ଅନ୍ୟ କୌଣସି ଦଳ ।

889

କନକ ବ୍ୟୁରୋ : ପାଟକୁରାରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେବ । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ । ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ଆସନ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏହି ଆସନରେ ନିର୍ବାଚନକୁ ସ୍ଥଗିତ କରିଥିଲେ ରିଟର୍ଣ୍ଣିଂ ଅଫିସର । ତେବେ କେବେ ନିର୍ବାଚନ ହେବ ତାହାକୁ ନେଇ ବିଧିବଦ୍ଧ ଭାବେ କୌଣସି ତାରିଖ ଘୋଷଣା ହୋଇନଥିବା ବେଳେ ଆଜି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପରବର୍ତ୍ତୀ ସମୟରେ ଏହି ଆସନ ପାଇଁ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଏଠାରେ ବିଜେପିରୁ ବିଜୟ ମହାପାତ୍ର ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସରୁ ଜୟନ୍ତ ମହାନ୍ତି ନିର୍ବାଚନ ବ୍ୟାଟଲଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ତେଣୁ ଏହି ଦୁଇ ପ୍ରମୁଖ ପ୍ରାର୍ଥୀଙ୍କ ବିରୋଧରେ ବିଜେଡି କାହାକୁ ବାଛିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।