କନକ ବ୍ୟୁରୋ : ହାଇଟେକ୍ ହେବ କାଳିଆ ଦର୍ଶନ । ଏଣିକି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ । ଅନଲାଇନରେ ୬୦ ପ୍ରତିଶତ ଟିକେଟ ବିକ୍ରି ହେବ । ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ୍ତ ମହାପାତ୍ର । ସେହିଭଳି ୩୦ ପ୍ରତିଶତ ଟିକେଟ ମନ୍ଦିର କାର୍ଯ୍ୟାଳୟରୁ ଭକ୍ତ ପାଇପାରିବେ । ବାକି ୧୦ ପ୍ରତିଶତ ଟିକେଟ ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ । ଏହାକୁ ଅତି ଆବଶ୍ୟକସ୍ଥଳେ ବ୍ୟବହାର କରାଯିବ । ଦୂରଦୂରାନ୍ତରରୁ ଆସୁଥିବା ଭକ୍ତଙ୍କୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭକ୍ତ ମାନେ ଟିକେଟ କିଣିବା ପରେ ଭିତର କାଠ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ପାରିବେ । ପ୍ରତ୍ୟେକ ଦିନ ୪ଥର ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅତି ପାଖରୁ ଦର୍ଶନ କରିବାର ସୁଯୋଗ ପାଇବେ । ଅବକାଶ ନୀତି, ବଲ୍ଲଭ ନୀତି, ମଧ୍ୟାହ୍ନ ଓ ସନ୍ଧ୍ୟା ଆଳତି ପରେ ପର୍ଯ୍ୟାୟକ୍ରମେ ଟିକେଟ କାଟିଥିବା ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଭିତରକାଠ ନିକଟକୁ ଛଡାଯିବ ।
ପୂର୍ବରୁ ରତ୍ନ ସିଂହାସନ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପାରମାଣିକ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର କାର୍ଯ୍ୟାଳୟରୁ ଭକ୍ତ ମାନେ ଟିକେଟ କାଟି କାଳିଆ ଠାକୁରଙ୍କୁ ଅତି ପାଖରୁ ଦେଖିପାରୁଥିଲେ । କିନ୍ତୁ ମନ୍ଦିର ମରାମତି ଯୋଗୁଁ ଦୀର୍ଘ ୪ ବର୍ଷ ହେଲା ଶ୍ରୀମନ୍ଦିରରେ ପାରିମାଣିକ ଦର୍ଶନ ବନ୍ଦ ହୋଇଥିଲା । ଏସବୁ ବାଦ୍ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି । ନୋଟିସ ପରେ ଯେଉଁ ସେବାୟତ ମାନେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ତଦନ୍ତ ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ । ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତି ନିଆଯାଇଛି ସେ ସର୍ମ୍ପକରେ ସେ ରିପୋର୍ଟ ତଲବ କରିଛନ୍ତି । ବିଗତ ୩୦ବର୍ଷର ପରିଚାଳନା କମିଟି ବୈଠକରେ ବିବରଣୀ ଓ ଏହାର ଅନୁପାଳନ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ଆମିକସ କ୍ୟୁରୀ । ଏହାସହ ଶାସ୍ତ୍ରୀୟ ପଦ୍ଧତିରେ ଶ୍ରୀମନ୍ଦିରରେ ସେବକମାନେ ସେବାପୂଜା କରୁଛନ୍ତି କି ନାହିଁ ସେନେଇ ମଧ୍ୟ ସବିଶେଷ ରିପୋର୍ଟ ମାଗିଛନ୍ତି ଆମିକସ କ୍ୟୁରୀ । ଗତ ୩ ମାସର ସିସିଟିଭି ଫୁଟେଜ ବି ମାଗିଛନ୍ତି ।