ଅନଲାଇନ୍ ସପିଙ୍ଗ୍ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ! ଆଉ ଠକିପାରିବେନି କଂପାନି

39

କନକ ବ୍ୟୁରୋ : ଅନଲାଇନ୍ ସପିଙ୍ଗ କରୁଥିବା ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ନୂଆବର୍ଷ ଦିନ ତଥା ଆଜିଠାରୁ ଏକ ନୂଆ ନିୟମ ଲାଗୁ ହେଉଛି । ଜାନୁଆରି ପହିଲାଠାରୁ ଇ-କମର୍ସ କଂପାନିଗୁଡ଼ିକ ବିକ୍ରି କରୁଥିବା ସମସ୍ତ ଉତ୍ପାଦରେ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଲେଖିବା ବାଧ୍ୟତାମୂଳକ । ଯେହେତୁ ଏମଆରପି ଲେଖାଯିବ ତେଣୁ କଂପାନିଗୁଡ଼ିକ ଆଉ ପ୍ରଦାନ କରୁଥିବା ରିହାତି ଉପରେ ମିଛ କହିପାରିବେ ନାହିଁ । ଉତ୍ପାଦର ଏମଆରପି ଯାହା ଥିବ ସେହି ଅନୁସାରେ ରିହାତି ପ୍ରଦାନ କରାଯିବ । ଜାନୁଆରି ୧ଠାରୁ ଇ-କମର୍ସ କଂପାନିଗୁଡ଼ିକ ବିଭିନ୍ନ ପ୍ରକାର ନୂଆ ନିୟମ ଅନୁଯାୟୀ କାରବାର କରିବାକୁ ପଡ଼ିବ । ସେମାନଙ୍କୁ ଉତ୍ପାଦର ଏମଆରପି, ଏକ୍ସପାୟରି ତାରିଖ ଆଦି ଉଲ୍ଲେଖ କରିବାକୁ ପଡ଼ିବ । ଏହି ନିୟମ ଲାଗୁ ହେବା ପରେ ଇ-କମର୍ସ କଂପାନିଗୁଡ଼ିକ ଆଉ ଉତ୍ପାଦର ମୂଲ୍ୟ ଅଧିକ ପ୍ରଦର୍ଶନ କରିପାରିବେ ନାହିଁ ।

ପୂର୍ବରୁ ଇ-କମର୍ସ କଂପାନିଗୁଡ଼ିକ ପ୍ରଦର୍ଶନ କରୁଥିବା ସାମଗ୍ରୀର ମୂଲ୍ୟ ବହୁତ ଅଧିକ ଦର୍ଶାଉଥିଲେ ଏବଂ ତା’ ଉପରେ ବିପୁଳ ପରିମାଣର ରିହାତି ଦେଉଥିଲେ । ଫଳରେ ଗ୍ରାହକମାନଙ୍କୁ ଲାଗୁଥିଲା ଯେ ସେମାନେ ବହୁତ ମୂଲ୍ୟବାନ ସାମଗ୍ରୀ ଏବେ କମ ଦରରେ ପାଇପାରୁଛନ୍ତି । ମାତ୍ର ସାମଗ୍ରୀକୁ କିଣିବା ପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିପାରୁଥିଲେ । ଏଭଳି ଅନେକ ଅଭିଯୋଗ ପହଞ୍ଚିବା ପରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗ୍ରାହକମାନଙ୍କ ସ୍ୱାର୍ଥ ରକ୍ଷା କରିବା  ପାଇଁ ଇ-କମର୍ସ କଂପାନିକୁ କେତେକ ନିୟମ ପାଳନ କରିବାକୁ କୁହାଯାଇଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଉତ୍ପାଦର ଏମଆରପି ପ୍ରଦର୍ଶନ କରିବା । ନୂତନ ନିୟମକୁ ପାଳନ କରିବା ପାଇଁ ବିକ୍ରେତାମାନଙ୍କୁ କୁହାଯାଇଛି ବୋଲି ଇ-କମର୍ସ କଂପାନିଗୁଡ଼ିକ କହିଛନ୍ତି ।

ଏ ସମ୍ପର୍କରେ ବିକ୍ରେତାମାନେ କହିଛନ୍ତି ଯେ ଏହି ନିୟମ ଲାଗୁ ହେଲେ ନକଲି ସାମଗ୍ରୀଗୁଡ଼ିକ ଅନଲାଇନ୍ ସପିଙ୍ଗରୁ ଦୂରେଇଯିବ । ଯେଉଁମାନେ ଉଚିତ ସାମଗ୍ରୀ ବିକ୍ରି କରିବାକୁ ଚାହୁଁଛନ୍ତି ସେମାନେ ଲାଭବାନ ହେବେ । ଲୋକାଲ୍ସର୍କଲ୍ ନାମକ ଏକ ସଂସ୍ଥା ପକ୍ଷରୁ ନିକଟରେ ୧୦ ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ସେଥିରେ ୪୨% ଲୋକ କହିଥିଲେ ଯେ କଂପାନିଗୁଡ଼ିକ ସାମଗ୍ରୀ ଦରକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରି ତା’ଉପରେ ରିହାତି ଦେଉଛନ୍ତି  । ୯୮% କହିଥିଲେ ଯେ ଉତ୍ପାଦର ଏକ୍ସପାୟରି ତାରିଖ ପ୍ରଦର୍ଶନ କରିବା ନିହାତି ଆବଶ୍ୟକ  ।

ଦେଶରେ ଏବେ ଇ-କମର୍ସ ବଜାରରେ ତିନିଟି ବଡ଼ କଂପାନି ଆମାଜନ୍‌, ଫ୍ଲିପ୍‌କାର୍ଟ ଏବଂ ସ୍ନାପ୍‌ଡିଲ୍‌ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଛି । ଏହା ବ୍ୟତୀତ ଚଷମାଠାରୁ ଆରମ୍ଭ କରି ଫେସନ୍‌ ପର୍ଯ୍ୟନ୍ତ ବିଭିନ୍ନ ବର୍ଗ ପାଇଁ ଆହୁରି ଅନେକ ଇ-କମର୍ସ କଂପାନି ମଧ୍ୟ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଇ-କମର୍ସ କଂପାନିଗୁଡ଼ିକ କାରବାରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା ଉପରେ କାମ କରୁଛନ୍ତି । ଇ-କମର୍ସ କାରବାର ଉପରେ ଟିକସ ଲଗାଇବା ଭଳି ପ୍ରସ୍ତାବ ମଧ୍ୟ ରହିଛି ।