ମ୍ୟାଟ୍ରିମୋନିଆଲ ସାଇଟରେ ଠକାମିର ଶିକାର ହେଲେ ମହିଳା : ୬ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଲା ମହିଳାଙ୍କ ସ୍ୱାମୀ

336

ଯଦି ଆପଣ ବିବାହ ପାଇଁ ଅନଲାଇନ୍ ପ୍ରସ୍ତାବ ଖୋଜୁଛନ୍ତି , ତେବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସୋସିଆଲ ସାଇଟ୍ ରେ ଦିଆଯାଇଥିବା ପ୍ରୋଫାଇଲ ଉପରେ ବିଶ୍ୱାସ କରିବା ପୂର୍ବରୁ ସଂପୂର୍ଣ୍ଣ ରୂପେ ଯାଂଚ କରି ନିଅନ୍ତୁ । କାହିଁକିନା ଏକ ଅନଲାଇନ୍ ୱେବସାଇଟ୍ ମାଧ୍ୟମରେ ବିବାହ କରିଥିବା ମହିଳା ଏବଂ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ପର୍ଯ୍ୟବେକ୍ଷକ ପଦବୀରେ ଥିବା ମହିଳା ଠକାମିର ଶିକାର ହୋଇଛନ୍ତି ।

କିଛି ମାସ ତାଙ୍କ ସହିତ ରହିବା ପରେ ମହିଳାଙ୍କ ସ୍ୱାମୀ ୬ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛି । ଏହାପରେ ଜଣାପଡିଛି କି ସେ ପୂର୍ବରୁ ବିବାହିତ । ବିଳାସପୁରର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପ୍ରକଳ୍ପ କାର୍ଯ୍ୟାଳୟରେ ଦେଢ଼ ବର୍ଷ ଧରି ପର୍ଯ୍ୟବେକ୍ଷକ ପଦବୀରେ ଅଛନ୍ତି ମହିଳା । ଏହି ସମୟରେ ସେ ମ୍ୟାଟ୍ରିମୋନିଆଲ ସାଇଟରେ ନିଜର ବିବାହ ପାଇଁ ବିଜ୍ଞାପନ ଦେଇଥିଲେ ।

ଏହାପରେ ଗୁଜରାଟର ଇଲେଶ ଦୋଶୀ ନାମକ ବ୍ୟକ୍ତି ନିଜକୁ ଅବିବାହିତ କହି ମହାରାଷ୍ଟ୍ରର ବୋଡିରେ ନିଜର ହୋଟେଲ ଥିବା କହିଥିଲେ । ଯୁବକଙ୍କ କଥାରେ ଆସି ସେ ବିଳାସପୁର ସ୍ଥିତ ଟିକରାପାରା ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ରାୟପୁରରେ ଏକ ଫ୍ଲାଟ୍ ଭଡାରେ ନେଇ ଇଲେଶ ସେଠାରେ ରହିବାକୁ ଲାଗିଲା । ମହିଳା ମଧ୍ୟ ଛୁଟି ଦିନରେ ସ୍ୱାମୀଙ୍କ ପାଖକୁ ରହିବାକୁ ଯାଉଥିଲେ । ଧିରେ ଧିରେ ଇଲେଶ ମହିଳାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଲାଗିଲେ । ବ୍ୟବସାୟ କରିବା ନାମରେ ବାରମ୍ବାର ଟଙ୍କା ମାଗିଲେ । ତା’ପରେ ଉଭୟଙ୍କ ମଧ୍ୟରେ ଝଗଡା ହେଲା । ଏହି ଭିତରେ ମହିଳା ଜଣକ ସ୍ୱାମୀଙ୍କ ବିଷୟରେ ଅନୁସନ୍ଧାନ ଆରମ୍ଭ କରିବାରୁ ଜାଣିବାକୁ ପାଇଲେ ଯେ, ପୂର୍ବରୁ ସେ ବିବାହିତ ଓ ଅନେକ ମହିଳାଙ୍କ ସହ ସମ୍ବନ୍ଧ ରଖିସାରିଛି । ଯେତେବେଳେ ଏହା ସେ ଜାଣିଲେ, ସେତେବେଳକୁ ନକଲି ସ୍ୱାମୀ ସାଢ଼େ ୬ଲକ୍ଷ ଟଙ୍କା ନେଇ ଫେରାର ହୋଇସାରିଥିଲା ।