ଆଜିଠୁ ଅନଲାଇନରେ ବିକ୍ରି ହେବ ମଦ: ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ କରିବେ ନିଜେ ହୋମ ଡେଲିଭରୀ; ଏକା ଥରକେ ମଗାଇହେବ ୫ଲିଟର ବିୟର ଓ ଅଢ଼େଇ ଲିଟର ବିଦେଶୀ ମଦ

780

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅର୍ଥାତ୍ ଅନଲାଇନରେ ଅର୍ଡର କରିବେ ଗ୍ରାହକ, ଆଉ ଘରେ ଆସି ମଦ ପହଁଚିଯିବ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ନିଜେ ହୋମ ଡେଲିଭରୀ କରିବେ, ନହେଲେ ଜମାଟୋ ଓ ସ୍ୱିଗି ଭଳି ଅନଲାଇନରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଜରିଆରେ ଯୋଗାଇ ପାରିବେ । ଏହାରି ଭିତରେ ଅନଲାଇନ୍ ମଦ ଡେଲିଭରି ପାଇଁ ଆବେଦନ କରିଥିବା ଖାଦ୍ୟ ପହଁଚାଉଥିବା ଜମାଟୋ ଓ ସ୍ୱିଗିକୁ ମଧ୍ୟ ଅନୁମତି ମିଳିଛି ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ଭଳି ସହରରେ ଜମାଟୋ ହୋମ ଡେଲିଭରି ଦେଇପାରିବ । ସେହିପରି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ହୋମଡେଲିଭରି ଦେଇପାରିବ । ଏବଂ ଏକାଥରକେ ୫ଲିଟର ବିୟର ଓ ଅଢ଼େଇ ଲିଟର ଭାରତ ପ୍ରସ୍ତୁତ ବିଦେଶୀ ମଦ ଡେଲିଭରି ଦେବାକୁ ଅବକାରୀ ବିଭାଗ ଅନୁମତି ଦେଇଛି । ସବୁଠୁ ବଡ କଥା ହେଉଛି, ମଦର ଏମ୍ଆରପିକୁ ୫୦ ପ୍ରତିଶତ ବଢ଼ାଇଛନ୍ତି ସରକାର । ସ୍ପେଶାଲ୍ କୋଭିଡ୍ ଫି’ ଆକାରରେ ଏହି ବର୍ଦ୍ଧିତ ମୂଲ୍ୟ ନିଆଯିବ । ଏହି ଅତିରିକ୍ତ ରାଜସ୍ୱ, କରୋନା ଚିକିତ୍ସା ପାଇଁ ଖର୍ଚ୍ଚ କରିବେ ସରକାର ।