ମହଙ୍ଗା ପଡ଼ିଲା ଅନଲାଇନରେ ମଦ କିଣା । ଖାଲି ହୋଇଗଲା ବ୍ୟାଙ୍କ ଖାତା, ୪ଶହ ଟଙ୍କାର ମଦ ପାଇଁ ଚାଲିଗଲା ୧ଲକ୍ଷ ୩୭ ହଜାର ।

1,773

କନକ ବ୍ୟୁରୋ : ମାତ୍ର ୪ଶହ ଟଙ୍କାର ମଦ ପାଇଁ ଖାଲି ହୋଇଗଲା ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ମଦ ଦେବାକୁ କହି ଏକ ଲକ୍ଷ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଫେସବୁକରେ ଏଭଳି ଏକ ବିଜ୍ଞାପନର ମୋହରେ ପଡି ଜଣେ ବ୍ୟକ୍ତି ଏକ ବଡ ଠକେଇର ଶିକାର ହୋଇଛନ୍ତି ।

ମହଙ୍ଗା ପଡ଼ିଲା ଅନଲାଇନରେ ମଦ କିଣା । ଖାଲି ହୋଇଗଲା ବ୍ୟାଙ୍କ ଖାତା । ୪ଶହ ଟଙ୍କାର ମଦ ପାଇଁ ଚାଲିଗଲା ୧ଲକ୍ଷ ୩୭ ହଜାର । ଭୁବନେଶ୍ୱରର ଜଣେ ଯୁବକଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ଫେସବୁକରେ ଏକ ଫୋନ ନମ୍ବର ମିଳିଲା ଏବଂ ଏଥିରେ କୁହାଯାଇଥିଲା ଅନଲାଇନରେ ମଦ ମିଳିବ । ଯୁବକ ଜଣଙ୍କ ମଦ ମଗାଇଥିଲେ ଏବଂ ସର୍ତ୍ତ ଅନୁସାରେ ୫୦ ପ୍ରତିଶତ ଅର୍ଥାତ୍ ୨ଶହ ଟଙ୍କା ଅନଲାଇନରେ ପଠାଇ ଦେଲେ । ଏହାପରେ ଏକ କୋଡ ଆସିଲା ଏବଂ ତାକୁ କନଫର୍ମ କରିଦେଲେ ଗ୍ରାହକ ଯୁବକ । କିନ୍ତୁ ତାପରେ ଯାହା ଘଟିଲା ତାହା ସେ କେବେ ଭାବି ନଥିଲେ । ତୁରନ୍ତ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୩୭ ହଜାର ଟଙ୍କା । ଆଉ ଖାତାରେ ଥିଲା ୫ଶହ ଟଙ୍କା ।

ଏହି ଘଟଣା ପରେ ଆମେ ସେହି ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ଏବଂ ଅନୁମାନ କରୁଛୁ ସେହି ଯୁବକ ହିଁ ଫୋନ ଉଠାଇଥିଲେ । ଆମେ ମଦ ଦରକାର କହି ତାଙ୍କ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିଥିଲୁ । ସେ ସେହି କଥା କହିଥିଲେ ଯେ, ୫୦ ପ୍ରତିଶତ ଅଗ୍ରିମ ପଠାଇବା ପାଇଁ । ଆମ ପ୍ରତିନିଧି କହିଥିଲେ, ଟଙ୍କା ନପଠାଇ ଦୋକାନ ପାଖରେ ଡେଲିଭରି ଦେବା ପାଇଁ । ଆଉ ସେତେବେଳେ ସେହି ଠକର ପ୍ରକୃତ ଚେହେରା ସାମ୍ନାକୁ ଆସିଥିଲା ।