ଫୋନରେ ନେଟ୍ ବ୍ୟାଙ୍କିଂ କରୁଛନ୍ତି କି ? ସାବଧାନ ନୁଆ ଉପାୟରେ ହେଉଛି ଠକେଇ,ଯାହାର ମାଧ୍ୟମ ପାଲଟିଛି ଫେସବୁକ୍ ।

54

ଆପଣ ସ୍ମାର୍ଟଫୋନରେ ନେଟ୍ ବ୍ୟାଙ୍କିଂ କରୁଛନ୍ତି କି? ଯଦି କରୁଛନ୍ତି ତେବେ ଆପଣ ଆପଣଙ୍କ ଫେସବୁକ୍ ଆକାଉଣ୍ଟରେ ପ୍ରକୃତ ଜନ୍ମ ତାରିଖ ଓ ମୋବାଇଲ୍ ନମ୍ବର ଫେସବୁକ୍ ପ୍ରୋଫାଇଲରେ କରିଛନ୍ତି କି ? ଯଦି ହଁ, ତେବେ ଯେତେ ଶୀଘ୍ର ପାରୁଛନ୍ତି ଫେସବୁକ୍ ପ୍ରୋଫାଇଲ୍ରୁ ଆପଣଙ୍କ ପ୍ରକୃତ ଜନ୍ମ ତାରିଖ ଓ ମୋବାଇଲ୍ ନମ୍ବର ଡିଲିଟ ମାରନ୍ତୁ। ନଚେତ କିଛି କ୍ଷଣ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହୋଇପାରେ ହ୍ୟାକ୍। ହ୍ୟାକରମାନେ ଘର ବସି ଆପଣଙ୍କ ଆକାଉଣ୍ଟରୁ ଗାଏବ କରି ଦେବେ ଲକ୍ଷାଧିକ ଟଙ୍କା। ଅନ୍ଲାଇନ୍ ଠକେଇର ଏହା ହେଉଛି ନୂଆ ତରିକା। ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ମେଟ୍ରୋ ସହରଗୁଡ଼ିକରେ ଏଭଳି ଅଭିଯୋଗ ଏବେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ଏଭଳି ଅଭିଯୋଗ ହୋଇ ନ ଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ନେଇ ସଚେତନତା ଆରମ୍ଭ କରାଯାଇଛି। କ୍ରାଇମ୍ବ୍ରାଞ୍ଚର ଅଧିକାରୀମାନେ ଏଭଳି ଅଭିଯୋଗ ଆସିଲେ କିଭଳି ତଦନ୍ତ କରିବେ ସେ ନେଇ ପ୍ରଶିକ୍ଷଣ ମଧ୍ୟ ନେଉଛନ୍ତି। ଖୁବଶୀଘ୍ର ଏକ ମାର୍ଗଦର୍ଶିକା ରାଜ୍ୟର ସମସ୍ତ ରେଞ୍ଜ ଆଇଜି ଓ ଜିଲ୍ଲା ଏସ୍ପିଙ୍କୁ ପ୍ରଦାନ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତୁ ଜାଣିବା କେମିତି ଫେସବୁକ୍ ଆକାଉଣ୍ଟରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହେବ ହ୍ୟାକ୍। ହ୍ୟାକର ପ୍ରଥମେ ଫେସ୍ବୁକ୍ରୁ ଆପଣଙ୍କ ଜନ୍ମତାରିଖ ଓ ମୋବାଇଲ୍ ନମ୍ବର ସଂଗ୍ରହ କରିବ। ଏହାକୁ ଆଧାର କରି ସେ ଆୟକର ବିଭାଗର ଓ୍ଵବସାଇଟ୍କୁ ଯାଇ ଆପଣଙ୍କ ନାଁରେ ନକଲି ପ୍ୟାନକାର୍ଡ ପାଇଁ ଆବେଦନ କରିବ। ନକଲି ପାନକାର୍ଡ ମିଳିବା ପରେ ହ୍ୟାକର୍ ଯେ କୌଣସି ଥାନାକୁ ଯାଇ ମୋବାଇଲ (ଆପଣଙ୍କ ନମ୍ବର) ହଜି ହୋଇଯାଇଛି ବୋଲି ଏତଲା ଦେବ। ଥାନାରୁ ମୋବାଇଲ୍ ହଜି ଯାଇଥିବା ଏତଲାର କପି ମିଳିବା ପରେ ଆପଣଙ୍କ ନମ୍ବରରେ ଆଉ ଗୋଟିଏ ସିମ୍ ନେଇ ଆସିବ। ସେହି ସିମ୍କୁ ଅନ୍ୟ ଏକ ସ୍ମାର୍ଟଫୋନ୍ରେ ପକାଇ ଇଣ୍ଟରନେଟ୍ ବ୍ୟାଙ୍କିଂକୁ ଯାଇ ନୂଆ ପାସଓ୍ଵାର୍ଡ ପାଇଁ ଆବେଦନ କରିବେ। ଥରୁଟିଏ ପାସଓ୍ଵାର୍ଡ ମିଳିବା ପରେ କିଛି କ୍ଷଣ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ହ୍ୟାକରର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ। ନଚେତ ଅନଲାଇନ୍ ମାଧ୍ୟମରେ ହ୍ୟାକର୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ସୁନାଗହଣା ଭଳି ଦାମୀ ସାମଗ୍ରୀ କିଣି ଦେବ।

ହ୍ୟାକର୍ମାନେ ଏବେ ଏଭଳି ନୂଆ ତରିକାରେ ଠକେଇ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ମେଟ୍ରୋ ସହରଗୁଡ଼ିକରେ ଏଭଳି ଅଭିଯୋଗ ଏବେ ବଢ଼ିବାରେ ଲାଗିଛି। ତେଣୁ ଆପଣ ଯଦି ସ୍ମାର୍ଟଫୋନ୍ ନେଟ୍ ବ୍ୟାଙ୍କିଂ କରୁଛନ୍ତି, ତେବେ ତୁରନ୍ତ ଆପଣଙ୍କ ଫେସବୁକରେ ଥିବା ପ୍ରକୃତ ଜନ୍ମ ତାରିଖ ଓ ମୋବାଇଲ୍ ନମ୍ବର ଡିଲିଟ୍ କରିବାକୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଜଣକ ପରାମର୍ଶ ଦେଇଛନ୍ତି।