ସାଇବର ଠକେଇର ନୂଆ ତରିକା । କୋଟି କୋଟି ଟଙ୍କାର ଲଟେରୀ ସ୍ୱପ୍ନ ଦେଖାଇ ଓଡିଶାର ମହିଳାଙ୍କ ନିକଟରୁ ବିଦେଶୀ ଠକିନେଲେ ୮ ଲକ୍ଷ ଟଙ୍କା

54

କନକ ବ୍ୟୁରୋ : ପୁଣିଥରେ ଏକ ଅନ୍ତର୍ଜାତୀୟ ସାଇବର ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ମହିଳା । ଟେକ୍ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଉଠିଥିବା ଲଟେରୀ ଟଙ୍କା ପାଇବା ପାଇଁ ମହିଳା ଜଣଙ୍କ ଲକ୍ଷାଧିକ ଟଙ୍କା ଦେଇଥିଲେ ଜଣେ ଆଫ୍ରିକୀୟ ଦଲାଲଙ୍କୁ । ତେବେ ୮ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା କଥା ଜାଣିବା ପରେ ଏବେ ଥାନାର ଆଶ୍ରୟ ନେଇଛନ୍ତି । ପୋଲିସ ଅପରାଧୀଙ୍କ ପାଖରେ ପହଂଚିବା ପାଇଁ ଜାଲ ବିଛାଇଛି ।

ବ୍ରହ୍ମପୁରର ରଶ୍ମିତା ଜେନାଙ୍କ ନିକଟକୁ ପ୍ରଥମେ ଇମେଲରେ ଆସିଥିଲା ମେସେଜ । ଏଥିରେ ସୂଚନା ଥିଲା, ବହୁ କୋଟି ଟଙ୍କାର ଲଟେରୀ ଉଠିଛି । ଟେକ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଉଠିଛି ଏହି ଲଟେରୀ । ଏହି ପୁରସ୍କାର ଟଙ୍କା ପାଇବାକୁ ହେଲେ ପ୍ରଥମେ ୪କୋଟି ୫୮ଲକ୍ଷ ଟଙ୍କା ଦେବାକୁ ପଡିବ । ବାସ ଟଙ୍କା ଲୋଭରେ ଫସି ଯାଇଥିଲେ ମହିଳା ଜଣଙ୍କ । ୮ଦିନରେ ୪ଟି କିସ୍ତିରେ ୬ଲକ୍ଷ ଟଙ୍କା ଦେଇଥିଲେ । ଏଥିସହ ଆକାଉଂଟ ନମ୍ବର ଓ ପାନକାର୍ଡ ମଧ୍ୟ ଦେଇଥିଲେ । ଏହାପରେ ଜଣେ ଆଫ୍ରିକୀୟ ବ୍ୟକ୍ତି ମହିଳାଙ୍କ ଘରେ ଏକ ବକ୍ସ ଦେଇଥିଲେ । ପୁଣି କହିଥିଲେ ବକ୍ସ ଖୋଲିବାକୁ ହେଲେ ୨୪ଲକ୍ଷ ଟଙ୍କା ଦେବାକୁ ହେବ । ମହିଳା ଜଣଙ୍କ ୧ ଲକ୍ଷ ୩୫ହଜାର ଟଙ୍କା ଦେଇଥିଲେ । ଏହିପରି ଉପାୟରେ ଆଫ୍ରିକୀୟ ଜଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ । ଏପରିକି ବକ୍ସ ପଠାଇବା ପୂର୍ବରୁ ପୋଲିସକୁ କହିଲେ ସେ ପଳାଇବେ ବୋଲି କହିଥିଲେ ।

ମହିଳାଙ୍କ ଘରକୁ ଆସିଥିବା ଏହି ବକ୍ସରେ ପାସୱାର୍ଡ ଦିଆଯାଇଥିବାରୁ ଏଥିରେ କଣ ରହିଛି ତାହା ଜଣାପଡିନାହିଁ । ସନ୍ଦେହ କରାଯାଉଛି ଏହା ପଛରେ ଅନ୍ତର୍ଜାତୀୟ ସ୍ତରର ର୍ୟାକେଟ କାମ କରୁଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।କିଏ ଏହି ଘଟଣାର ମାଷ୍ଟରମାଇଣ୍ଡ । ପୋଲିସ ଏବେ ସେହି ଅପରାଧୀଙ୍କ ପାଖରେ ପହଂଚିବା ପାଇଁ ତନାଘନା ତଦନ୍ତ ଚଳାଇଛି ।