କଳାହାଣ୍ଡିରେ ବିଲରେ ସଢୁଛି ପିଆଜ ! ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କିଲୋ ପିଛା ୬ ଟଙ୍କାରେ ନେଉଛନ୍ତି ଆନ୍ଧ୍ର ଓ ଛତିଶଗଡ ବ୍ୟବସାୟୀ

43

କନକ ବ୍ୟୁରୋ : ପିଆଜର ଅଭାବୀ ବିକ୍ରି । କଳାହାଣ୍ଡିରେ ପିଆଜର ଅଭାବୀ ବିକ୍ରି ଯୋଗୁଁ କିଲୋ ପିଛା ୬ ଟଙ୍କାରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଯେତିକି ପିଆଜ ଉତ୍ପାଦାନ ହେଉଛି ତାକୁ ରଖିବାକୁ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଆନ୍ଧ୍ର ଓ ଛତିଶଗଡ ବେପାରୀ ପିଆଜ କିଲୋ ପିଛା ୬ଟଙ୍କାରେ ଚାଲାଣ କରୁଛନ୍ତି ।

ଚିରାଚରିତ ପିଆଜର ଆଭାବୀ ବିକ୍ରୀ । ଅମଳ ଫସଲକୁ ରଖିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଆନ୍ଧ୍ର ଓ ଛତିଶଗଡ ବେପାରୀକୁ ମାତ୍ର ୬ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲାରେ ପିଆଜ ଉତ୍ପାଦନ ଆରମ୍ଭରୁ ଦେଖାଦେଇଛି ଅଭାବୀ ବିକ୍ରି । ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଓଡିଶା ପିଆଜ ଉପରେ ନଜର ପକାଇଛନ୍ତି ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ବେପାରୀ ।

କଳାହାଣ୍ଡି ସମେତ ପଶ୍ଚିମ ଓଡିଶାରେ ପିଆଜ ଆମଳ ଆରମ୍ଭ ହୋଇଛି । ୪ ମାସ ହାଡଭଙ୍ଗା ପରିଶ୍ରମ ପରେ ଫସଲ ଅମଳ କରିଛି ଚାଷୀ । ହେଲେ ପିଆଜ ସାଇତା ଘର ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ କଳାହାଣ୍ଡାର ଚାଷୀ, ପିଆଜ ଅମଳ କରି ଘରକୁ ଆଣିବା ବଦଳରେ ଜମିରୁ ହିଁ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ମାତ୍ର ୬ ଟଙ୍କାରେ ବିକ୍ରି କରୁଛନ୍ତି । ଆମଳ ଆରମ୍ଭରୁ ପିଆଜ କିଲୋ ପ୍ରତି ୬ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଆମଳ ବୃଦ୍ଧି ହେଲେ ଏହା ଆହୁରି କମ୍ ହେବ ବୋଲି ଆଶଙ୍କା କରିଛି ଚାଷୀ ।

ପଶ୍ଚିମ ଓଡିଶାରେ ଚିରାଚରିତ ପିଆଜର ଆଭାବୀ ବିକ୍ରୀ ସମସ୍ୟା କେବଳ ଚର୍ଚ୍ଚାରେ ହିଁ ସୀମିତ । ପିଆଜ ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୁଏ, ହେଲେ ସମାଧାନ ହୁଏନି । ଅଭାବି ବିକ୍ରିର ସମାଧାନ ପାଇଁ ଗତବର୍ଷ ସରକାର କୋଲଡ ଷ୍ଟୋର କରିବା ସହ ଚାଷୀଙ୍କୁ ପିଆଜ ସଂରକ୍ଷଣ ପାଇଁ ସାଇତା ଘର ବାବଦକୁ ସବସିଡି ଘୋଷଣା କରିଥିଲେ । ହେଲେ ଏଯାଏଁ ପଶ୍ଚିମ ଓଡିଶାରେ ନା କୋଲଡ ଷ୍ଟୋର ହୋଇଛି, ନା ସାଇତା ଘର ପାଇଁ ସବସିଡି ପାଇଛନ୍ତି ଚାଷୀ ।

କଳାହାଣ୍ଡି ଉଦ୍ୟାନ ବିଭାଗ ରିପୋର୍ଟ ଆନୁଯାଇ, ଚଳିତବର୍ଷ ଜିଲ୍ଲାରେ ୨ ହଜାର ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି । ୨୦୧୭-୧୮ ବର୍ଷ ସାଇତା ଘର ପାଇଁ ୭୦ ଚାଷୀଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଇଛି । ହେଲେ ପିଆଜ ଆମଳ ଯାଏଁ ଜଣେ ଚାଷୀ ସାଇତା ଘର ସଂପୁର୍ଣ୍ଣ କରିପାରିନାହାନ୍ତି । କାରଣ ଗୋଟିଏ ସାଇତା ଘର ନିର୍ମାଣ ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଆବଶ୍ୟକ ଥିବା ବେଳେ ସରକାର ମାତ୍ର ୫୦ ପ୍ରତିଶତ ପ୍ରଦାନ କରୁଛନ୍ତି । ପିଆଜ ଆଭାବୀ ବିକ୍ରୀ ରୋକିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କଲେ ରାଜ୍ୟରେ ଖାଉଟିଙ୍କ ଆବଶ୍ୟକତା ପଶ୍ଚିମ ଓଡିଶାର ଉତ୍ପାଦିତ ପିଆଜ ମେଂଟାଇ ପାରିବ । ନଚେତ ଅମଳ ପିଆଜ ରାଜ୍ୟ ବାହାରକୁ ଚାଳଣ ପରେ ଆମଦାନୀ ପାଇଁ ରାକ୍ୟ ସରକାରଙ୍କୁ ହାତ ପତେଇବାକୁ ପଡିପାରେ ।