ରାଜ୍ୟର ପିଆଜ ସଙ୍କଟ ! ଖୁଚୁରା ବଜାରରେ ଖୁବ୍ ଶୀଘ୍ର ୫୦ଟଙ୍କା ପାର୍ ହେବ ପିଆଜ ଦର

33

କନକ ବ୍ୟୁରୋ : ରାଜ୍ୟରେ ଏବେ ପିଆଜ ସଙ୍କଟ । କେଜି ପିଛା ୧୦ରୁ ୧୫ଟଙ୍କା ମଧ୍ୟରେ ରହିବା ବଦଳରେ ଏବେ ପିଆଜ ୪୫ଟଙ୍କାରେ ବିକ୍ରି ହେଉଛି । ହେଲେ ଯୋଗାଣ ବିଭାଗର ଏହା ଉପରେ ନଜର ନାହିଁ । ସ୍ଥିତି ଏପରି ହେଲାଣି ଯେ, ଖୁଚୁରା ବଜାରରେ ପିଆଜ ଦର ଖୁବ୍‌ ଶୀଘ୍ର ୫୦ ପାର୍‌ ହୋଇଯିବ । ଖାଲି ପିଆଜ ନୁହେଁ ଆଳୁ ବି କେଜି ପିଛା ୧୦ଟଙ୍କା ଛୁଇଁଲାଣି । ଏବେ ଏହା ଉପରେ ଲଗାମ୍‌ ନ କଷିଲେ ଆଳୁ ବି ୧୫ଛୁଇଁଯିବ ।

ଗତକାଲି ଖୁଚୁରା ବଜାରରେ ପିଆଜ କେଜି ପିଛା ୪୫ଟଙ୍କାରେ ବିକ୍ରି ହୋଇଛି । ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଏଥର ପିଆଜ ଚାଷ ପ୍ରଭାବିତ ହୋଇଛି । ଯେତିକି ପିଆଜ ଅମଳ ହେବା କଥା ତାହାର ୨୦% କମ୍‌ ଅମଳ ହୋଇଛି । ତେଣୁ ପିଆଜ ଦର ହଠାତ୍‌ ବଢ଼ିଯାଇଛି । ଗତ ମାସରେ ପିଆଜ ଖୁଚୁରା ବଜାରରେ ୨୦ରୁ ୨୬ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଚଳିତ ମାସରେ ଏହା ବଢ଼ିଛି । ନାସିକ୍‌ ପିଆଜ ଏବେ ଅମଳ ହେବା ସମୟ ଆସିଲାଣି । ସେଠାରେ ଭଲ ଚାଷ ହୋଇଛି । ଏହି ପିଆଜ ଡିସେମ୍ବରରେ ଓଡ଼ିଶା ବଜାରକୁ ଆସିବ । ଏହାପରେ ଦାମ୍‌ କିଛି କମିବ । ଏହି ପିଆଜ ଆସିଲେ ସାଧାରଣତଃ ପିଆଜ କେଜି ପିଛା ୧୦ରୁ ୧୫ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଏହି ସମ୍ଭାବନା କମ୍‌ । ଡିସେମ୍ବରରେ ବି ପିଆଜ ଦର ଅଧିକ ରହିବ । କେଜି ପିଛା ୨୦ରୁ ୨୫ଟଙ୍କା ରହିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

କେବଳ ପିଆଜ ନୁହେଁ ଆଳୁ କେଜି ମଧ୍ୟ ମାସକରେ ପ୍ରାୟ ଦୁଇ ଟଙ୍କା ବଢ଼ି ୧୦ଟଙ୍କା ହେଲାଣି । ଏନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଏବେ ଆଳୁ ୨୦ଟଙ୍କା ହେବା କଥା । କିନ୍ତୁ ହୋଇନି । ଗତବର୍ଷ ଏହି ସମୟରେ ଆଳୁ କେଜି ୧୮ଟଙ୍କାରେ ବିକ୍ରି ହୋଇଥିଲା । ଆଳୁ ବ୍ୟବସାୟୀମାନେ କ୍ଷତିରେ ଥିଲେ ହେଁ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିନି । ଆଳୁ କୁଇଣ୍ଟାଲ ଏବେ ୬୦୦ରୁ ୬୫୦ଟଙ୍କା ଅଛି । ଖୁଚୁରା ବଜାରରେ ଆଳୁ ଦାମ୍‌ ଠିକ୍‌ ଅଛି। ନୂଆ ଆଳୁ ଅମଳ ହେଲେ ବି ଆଳୁ ଏବେ କମିବାର ନାହିଁ ।