ବର୍ଦ୍ଧିତ ପିଆଜ ଦରରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି : ଆଶ୍ୱାସନା ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

455

କନକ ବ୍ୟୁରୋ : ଦିନେ ଦୁଇ ଦିନ ଭିତରେ କମିପାରେ ପିଆଜ ଦର ।  ଆଶ୍ୱାସନା ଦେଲେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  । ବର୍ଦ୍ଧିତ ପିଆଜ ଦରକୁ ନେଇ ଆକ୍ସନ ମୁଡରେ ସରକାର । ଖୁବ ଶୀଘ୍ର କମିପାରେ ପିଆଜ ଦର ।  ମନ୍ତ୍ରୀ କହିଲେ , ନାସିକର ବନ୍ୟା ପାଇଁ ବଢ଼ୁଛି ପିଆଜ ଦର । ନିୟନ୍ତ୍ରଣ ପାଇଁ ସରକାର ବ୍ୟବସାୟୀଙ୍କ ସହ ଆଲୋଚନା କରୁଛନ୍ତି ।  ଆଲୋଚନା ପରେ ଦିନେ ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ବର୍ତ୍ତମାନ ଓଡ଼ିଶା ବଜାରରେ ଦେଖିବାକୁ ମିଳିଛି ପିଆଜ ତାତି । ପିଆଜ ଦର କେଜି ପ୍ରତି ୫୦ଟଙ୍କା ଛୁଇଁଲାଣି । କ୍ରମାଗତ ଭାବେ ପିଆଜ ଦର ବୃଦ୍ଧି ଯୋଗୁ ଖାଉଟି ହନ୍ତସନ୍ତ ହେଉଛନ୍ତି । ଖୋଲା ବଜାରରେ ପିଆଜ ୫୦ ଟଙ୍କାରୁ ଅଧିକ  ଟଙ୍କାରେ ବିକ୍ରି ହେଉଛି । ଏନେଇ ଗତକାଲି କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ହୋଇଥିଲା । ତେବେ ମୁମ୍ବାଇ ଓ ପୁନେରେ ବର୍ଷା ଯୋଗୁଁ ସମସ୍ୟା ବଢିଥିବା କୁହାଯାଉଛି ।

ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଥିବାରୁ ନାସିକରୁ ପିଆଜ ଆମଦାନୀ ହ୍ରାସ ପାଇଛି । ଫଳରେ ଦର ହୁ ହୁ ହୋଇ ଦର ବଢିବାରେ ଲାଗିଛି । ଏହାସହ ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଓଡିଶାକୁ ଆସିପାରୁନାହିଁ । ଟ୍ରାଫିକ୍ ନୟମ କଡା ହେବା ପରେ ପିଆଜ ଗାଡି ଆସିବା କମି ଯାଇଛି । କୁହାଯାଉଛି ଓଭର ଲୋଡିଂ ଯାଂଚ ଯୋଗୁଁ ପିଆଜ ଟ୍ରକ୍ ଆସୁନାହାନ୍ତି । ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପିଆଜ ଦର ଅଲଗା ଅଲଗା ରହିଛି । ସବୁଠି କିନ୍ତୁ ଦର ୪୦ ଉପରେ ରହିଛି ।