ପିଆଜର ବର୍ଦ୍ଧିତ ଦରକୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କ ବଡ଼ ପଦକ୍ଷେପ : ତୁର୍କୀରୁ ୧୧ ହଜାର ଟନ୍ ପିଆଜ ଆମଦାନୀ କରିବ ଭାରତ 

712

କନକ ବ୍ୟୁରୋ : କନ୍ଦାଉଛି ପିଆଜ । ପିଆଜର ବର୍ଦ୍ଧିତ ଦର ଲୋକଙ୍କ ଆଖିରୁ ଲୁହ ବାହାର କରୁଛି ।  କିଛି ସ୍ଥାନରେ ପିଆଜ ଅଭାବରୁ ଲୋକେ ଏହାକୁ ଚୋରି କରିବା ଆରମ୍ଭ କରିଦେଲେଣି । ପିଆଜର ବର୍ଦ୍ଧିତ ଦର ଯୋଗୁଁ ଲୋକେ ବିବ୍ରତ ହେଉଥିବାର ଲକ୍ଷ୍ୟ କରି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଭାରତରେ ପିଆଜ ଚାହିଦା ଦୂର କରିବା ପାଇଁ ଏମଏମଟିସି ଇଜପ୍ଟିରୁ ୬,୦୯୦ଟନ୍ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନା ଅନୁସାରେ, ଏମଏମଟିସି ୧୧ହଜାର ଟନ ପିଆଜ ଆମଦାନୀ ପାଇଁ ତୁର୍କୀ ସହ କଥା ହୋଇ ସାରିିଛି । ନରେନ୍ଦ୍ର ମୋଦି ସରକାର ବିଦେଶରୁ ପିଆଜ ଆମଦାନି କରି ଲୋକଙ୍କୁ ଉଚିତ ମୂଲ୍ୟରେ ପିଆଜ ଦେବାକୁ ଯାଉଥିବାର ସୂଚନା ମିଳିଛି । ୨୦୨୦ ଜାନୁଆରୀ ମାସରେ ଏହିି ପିଆଜ ଭାରତରେ ପହଞ୍ଚିବ । ସେହିପରି ଇଜିପ୍ଟରୁ ଆସିବାକୁ ଥିବା ୬,୦୯୦ଟନ୍ ପିଆଜ ଚଳିତ ମାସ ପହଞ୍ଚିବ ।

ଆମଦାନୀ ହେବାକୁ ଥିବା ପିଆଜ ଆସିବା ପରେ ଏହାକୁ ବିଭିନ୍ନ ରାଜ୍ୟକୁ ପଠାଯିବ । ଏହାପରେ ସେଠାକାର ସରକାରମାନେ ଏହି ବିଦେଶୀ ପିଆଜକୁ କେଜି ପିଛା ୫୨ରୁ ୫୫ ଓ ସର୍ବାଧିକ ୬୦ଟଙ୍କାରେ ବିକ୍ରି କରିବେ । ବର୍ତ୍ତମାନ ସ୍ଥିତିରେ ପିଆଜ କିଲୋ ପିଛା ସର୍ବନିମ୍ନ ୭୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଉ କିଛି ସ୍ଥାନରେ ଦର ୧୨୦ଛୁଇଁଛି । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା କରୁଥିବା ଜଣାପଡିଛି ।

ଅନ୍ୟପକ୍ଷରେ ପିଆଜ କଳାବଜାରୀ ରୋକିବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । ଏଥିରେ ଅର୍ଥମନ୍ତ୍ରୀ, ଖାଦ୍ୟ ବ୍ୟାପାର ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀ ରହିଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପିଆଜର ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି ।