ରୋଷେଇ ଶାଳରେ ଲାଗିଲା ନିଆଁ : ୫୦ ଟପିଲା ପିଆଜ ଦର, ନିୟନ୍ତ୍ରଣ ପାଇଁ ସରକାର ନେଉଛନ୍ତି ପଦକ୍ଷେପ

527
କନକ ବ୍ୟୁରୋ : ପିଆଜ କିଲୋକୁ ୫୦ । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଟପିଛି । ନାସିକର ବନ୍ୟା ପାଇଁ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଏହାସହ ଟ୍ରାଫିକ୍ ନିୟମ କଡା ହେବା ପରେ ଆନ୍ଧ୍ରପ୍ରଦେଶରୁ ପିଆଜ ଗାଡି ଆସିବା କମି ଯାଇଛି । କୁହାଯାଉଛି ଓଭର ଲୋଡିଂ ଯାଂଚ ଯୋଗୁଁ ପିଆଜ ଟ୍ରକ୍ ଆସୁନାହାନ୍ତି । ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ଏବଂ ଖୁବଶୀଘ୍ର ଆଶ୍ୱସ୍ତି ମିଳିବ ବୋଲି  ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
କେବଳ ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ଏବେ ୫୦ରୁ ୬୦ ଟଙ୍କା ମଧ୍ୟରେ ରହିଛି । ଭୁବନେଶ୍ୱରରେ ପିଆଜର ଦର ୫୦ ଟଙ୍କା ଥିବା ବେଳେ ସମ୍ବଲପୁରରେ ୬୦ ଟଙ୍କା ଛୁଇଁଲାଣି । ରାଉରକେଲା ମଧ୍ୟ ପିଆଜ ଦର ୫୦ ଟଙ୍କା ରହିଛି । କନ୍ଧମାଳରେ ଏହାର ଦର ୬୦ ଟଙ୍କାରେ ପହଂଚିଲାଣି । କଟକରେ ମଧ୍ୟ ପିଆଜର କିଲୋ ପିଛା ଦର ୫୦ ଟଙ୍କା ହେଲାଣି ।
ମହାରାଷ୍ଟ୍ର, ଉତରପ୍ରଦେଶ , କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଚାଷୀ ପ୍ରଭାବିତ ହୋଇଛନ୍ତି । ଫଳରେ ଗତ ୧୫ ଦିନ ମଧ୍ୟରେ ନାସିକରେ କ୍ୱିଂଟାଲ ପ୍ରତି ୧୫୦୦ ଟଙ୍କା ଯାଏଁ ଦର ବଢିଛି । ଏହାସହ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ଯୋଗୁଁ ନାସିକରୁ ପିଆଜ ଆମଦାନୀ ମଧ୍ୟ ହ୍ରାସ ପାଇଛି । ଫଳରେ ହୁ ହୁ ହୋଇ ବଢିବାରେ ଲାଗିଛି ଦର । ତେବେ ବଜାର ସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେବାରୁ ଏଭଳି ସ୍ଥିତି ଲାଗି ରହୁଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଅନ୍ୟପଟେ ବଜାର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ଏବଂ ନିୟନ୍ତ୍ରଣ ପାଇଁ ଉଚିତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ଆନ୍ଧ୍ରପ୍ରଦେଶରୁ ମଧ୍ୟ ପିଆଜ ଓଡିଶାକୁ ଆସିପାରୁନାହିଁ । ଟ୍ରାଫିକ୍ ନିୟମ କଡା ହେବା ପରେ ପିଆଜ ଗାଡି ଆସିବା କମି ଯାଇଛି । ଏହି ଦରବୃଦ୍ଧି ଆସନ୍ତା ନଭେମ୍ବର ଯାଏଁ ଲାଗି ରହିବ ବୋଲି କୁହାଯାଉଛି ।