ପୁଣି କନ୍ଦାଇଲା ପିଆଜ ! କିଲୋ ପ୍ରତି ୫୦ ଟଙ୍କାରେ ପହଞ୍ଚିଲା ଦର, କଣ ପାଇଁ ବଢୁଛି ଦର ?

29

କନକ ବ୍ୟୁରୋ : ପୁଣିଥରେ କନ୍ଦାଇଲା ପିଆଜ । ଗରିବ ହେଉ କି ଧନୀ । ରୋଷେଇ ଘରେ ଏକ ନିଶ୍ଚିତ ଆବଶ୍ୟକତା ହେଉଛି ପିଆଜ । ହେଲେ ପୁଣି ଥରେ ଆଖିରୁ ଲୁହ ଝରାଇଛି ଏହି ପିଆଜ । ଖୁଚୁରା ଦର ଏବେ ୪୫ରୁ ୫୦ ଟଙ୍କା । ପ୍ରତି ବର୍ଷେ ଦୁଇ ବର୍ଷରେ ଏମିତି କନ୍ଦାଇ ଆସିଛି ପିଆଜ । ତେବେ ପିଆଜ ଦର ବଢିବା ପଛରେ କଣ ରହିଛି କାରଣ ।

ପ୍ରତି ବର୍ଷ ୪ରୁ ୫ ଲକ୍ଷ ଟନ୍ ପିଆଜ ଓଡ଼ିଶା ପାଇଁ ଆବଶ୍ୟକ ହୋଇଥାଏ । ଅର୍ଥାତ ଦୈନିକ ଆବଶ୍ୟକତା ହେଉଛି ୧୪୦୦ ଟନ୍ । ମାତ୍ର ଏବେ ଆବଶ୍ୟକତା ଅନୁଯାୟୀ ଯୋଗାଣ କମ୍ ରହିଛି, ତେଣୁ ହୁ ହୁ ହୋଇ ବଢିଚାଲିଛି ଦର । ତେବେ କାହିଁକି ପିଆଜ ଆସୁନାହିଁ ଓଡ଼ିଶାକୁ? ଓଡ଼ିଶା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ନାସିକରେ ପିଆଜ ଅଭାବ ଯୋଗୁଁ ଦର ବୃଦ୍ଧି ପାଇଛି । ଏପରିକି ଦେଶରେ ପିଆଜ ଅଭାବ ଥିବାବେଳେ ପାକିସ୍ତାନ ଓ ବାଙ୍ଗଲାଦେଶକୁ ରପ୍ତାନୀ ହେଉଛି ପିଆଜ । ଏପରିକି ଅଭିଯୋଗ ହେଉଛି ଗୁଜରାଟରେ ନିର୍ବାଚନ ଥିବାରୁ ଗୁଜରାଟ ଚାଷୀଙ୍କୁ ଖୁସି କରିବାକୁ ଜାଣଶୁଣି ଦରବୃଦ୍ଧି କରାଯାଉଛି । ଆଉ ଡିସେମ୍ବରରେ ନୂଆ ପିଆଜ ଅମଳ ନହେବା ପର୍ଯ୍ୟନ୍ତ ପିଆଜ ଦର ଏମିତି ବଢୁଥିବ ବୋଲି କହିଛି ବ୍ୟବସାୟୀ ସଂଘ ।

ସେପଟେ ପିଆଜ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ । କଥାରେ ଅଛି ପଖାଳକୁ ପିଆଜ । କିନ୍ତୁ ପିଆଜର ଏଭଳି ଦର ବୃଦ୍ଧି ଦେଖି ଲୋକେ ପିଆଜର ବିକଳ୍ପ ଖୋଜିବାକୁ ଆରମ୍ଭ କଲେଣି ।