ହାଣ୍ଡିଶାଳରୁ ପିଆଜ ଉଭାନ : ପ୍ରତିଦିନ ବଢ଼ୁଛି ୧୫ ଟଙ୍କା, ସରକାର ଚୁପ୍‌

298

କନକ ବ୍ୟୁରୋ : ହାଣ୍ଡିଶାଳରୁ ପିଆଜ ଉଭାନ। ବଜାରରେ ବି କାଁ ଭାଁ ଦେଖିବାକୁ ମିଳୁଛି। ହୋଟେଲ ଓ ରେଷ୍ଟୁରାଣ୍ଟ କଥା ନ କହିବା ଭଲ । ପାଖାପାଖି ଏକ ମାସ ହେଲା ସାରା ଓଡ଼ିଶାରେ ଏଭଳି ସ୍ଥିତି । ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା କଟକରୁ କଳାହାଣ୍ଡି, ପିଆଜ ପାଇଁ ସବୁଠି ହାହାକାର ପରିସ୍ଥିତି ସୃଷ୍ଟି ହେଲାଣି ।

କେଉଁଠି ପିଆଜ କିଲୋ‌ ପିଛା ଦର ୧୫୦ ଛୁଇଁଲାଣି ତ ଆଉ କେଉଁଠି ଛୋଟ ପିଆଜ ସେଞ୍ଚୁରି ମାରିଲାଣି। ଆଜି ଦିନରେ ରାଜ୍ୟର କୌଣସି ଗୋଟିଏ ବି ସ୍ଥାନରେ ପିଆଜ ଦର ଶହେ ଟଙ୍କା ତଳେ ନାହିଁ। କେତେକ ବଜାରରେ ପିଆଜ କିଲୋ ବଦଳରେ ଗୋଟା ୧୫ରୁ ୨୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ବର୍ତମାନର ସ୍ଥିତି କେବେ ବି ଓଡ଼ିଶାରେ ହୋଇ ନଥିବା ବ୍ୟବସାୟୀମାନେ କହିଛନ୍ତି। ପୂର୍ବରୁ ଅତି ବେଶିରେ ପିଆଜ ‌କିଲୋ ପିଛା ଦର ୮୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ତେବେ ଏଥର ସବୁ ସୀମା ଟପିଛି ପିଆଜ। ଖାଉଟିଙ୍କୁ ତିନିମାସ ଧରି କନ୍ଦାଉଛି।

ରାଜ୍ୟ ସାରା ଏଭଳି ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିଲେ ରାଜ୍ୟ ସରକାର ଏହି ଘଟଣାରେ ଯେଭଳି ଭୂମିକା ନିର୍ବାହ କରିବା କଥା, ତାହା ଏଯାଏ ଦେଖିବାକୁ ମିଳିଲାନାହିଁ। କେତେବେଳେ କୁହାଯାଉଛି, ୧୫ ଦିନ ଭିତ‌ରେ ନାସିକରୁ ପିଆଜ ଆସି ପହଞ୍ଚିବ। ଆଉ କେତେବେଳେ କହୁଛନ୍ତି, ଅମୁକଠୁ ପିଆଜ ଆସୁଛି। ସମୁକ ସ୍ଥାନରେ ପହଞ୍ଚିଗଲାଣି। ପ୍ରପରିସ୍ଥିତି ଦିନକୁ ଦିନ ବିଗଡ଼ିବାରୁ ନାଫେଡ଼ ଜରିଆରେ କେନ୍ଦ୍ରରୁ ପିଆଜ ଆମଦାନି କରିବାକୁ ଯୋଗାଣ ସଚିବଙ୍କୁ ଦିଲ୍ଲୀ ପଠାଯାଇଥିଲା। କିନ୍ତୁ ନାଫେଡ଼ ଜରିଆରେ ପିଆଜ ଆଣିଲେ ଅଧିକ ଖର୍ଚ୍ଚ ପଡ଼ିବ ଓ ଘୋଡ଼ା ଛ ଟଙ୍କାକୁ ଦାନା ନଅ ଟଙ୍କା ହୋଇଯିବ ବୋଲି ଟାଳି ଦିଆଗଲା।। ଖାଉଟିଙ୍କ କ୍ଷୋଭ ଓ ଗଣମାଧ୍ୟମରେ ପିଆଜ ଦର ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ସରକାର ୨୫୬ଟି ଫେୟାର ପ୍ରାଇସ୍ ଦୋକାନ ଖୋଲି ପିଆଜ ବିକ୍ରି କରୁଛନ୍ତି, ଯାହା ସମୁଦ୍ରକୁ ଶଙ୍ଖେ। ଗତମାସ ୨୪ ତାରିଖରେ କେନ୍ଦ୍ର ଯୋଗାଣ ସଚିବ ଇଜିପ୍ଟରୁ ପିଆଜ ଆମଦାନି କରିବା ନେଇ ସୂଚନା ଦେଇଥିଲେ। ଇଜିପ୍ଟ ପିଆଜ ଏ ପର୍ୟ୍ୟନ୍ତ ସ୍ଥାନୀୟ ମାର୍କେଟରେ ପହଞ୍ଚିଲାନି। କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଡିସେମ୍ବର ଶେଷ କିମ୍ବା ଜାନୁଆରି ପ୍ରଥମ ସପ୍ତାହରେ ପରିସ୍ଥିତି ସୁଧୁରିବ ବୋଲି କହିଥିଲେ। ତେବେ ଏସବୁ କଥା ସତଠାରୁ ବହୁ ଦୂରରେ।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ପାଖାପାଖି ୩୦ ଦିନ ହେଲା ପିଆଜ ଦର ଉଚ୍ଚା‌ ରହିଛି। ତାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଗୋଟିଏ ବି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ‌ଆଜି ପର୍ଯ୍ୟନ୍ତ ଗୋଟିଏ ବି ସମୀକ୍ଷା ବୈଠକ କରାଯାଇ ନାହିଁ କି ଅନ୍ୟ ବିଭାଗ ସହ ଆଲୋଚନା ହୋଇନି। ସ୍ଥିତି କେମିତି ନିୟନ୍ତ୍ରଣକୁ ଆସିବ ତାହାର ବି ଉତ୍ତର କାହା ପାଖରେ ନାହିଁ। ସରକାରଙ୍କ ପକ୍ଷରୁ ଯେଉଁଠି ବି କମ୍‌ ମୂଲ୍ୟରେ ପିଆଜ ବିକ୍ରି ହେଉଛି ଘଣ୍ଟାକ ଭିତରେ ତାହା ସରିଯାଉଛି। ଆଉ କେଉଁଠି ଲୋକେ ଯେତେବେଳେ ବି ଗଲେ ଦୋକାନରେ ତାଲା ଝୁଲୁଛି।

ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ତାଙ୍କ କହିବାନୁଯାୟୀ କେବଳ ଯେ ଗରିବ ଲୋକ ପ୍ରଭାବିତ ହେଉଛନ୍ତି ତାହା ନୁହେଁ। ଉଚ୍ଚ ଓ ମଧ୍ୟବିତ୍ତ ପରିବାରରେ ପିଆଜ ଚଡ଼କ ପଡ଼ିଲାଣି। ପିଆଜ ବ୍ୟବସାୟୀମାନେ ବି ଏବେ ଆଶଙ୍କାରେ ରହିଛନ୍ତି। ସରକାର ଏବିଷୟ‌ରେ ଆଗରୁ ଚିନ୍ତା କରିବାର ଥିଲା। ବିକଳ୍ପ ବ୍ୟବସ୍ଥା କରିଥିଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇ ନଥିଲା। ଏଭଳି ଘଡ଼ିସନ୍ଧି ସମୟରେ ରାଜ୍ୟ ସରକାର ପଳାୟନପନ୍ଥୀ ନ ହୋଇ ସମସ୍ୟାର ମୁକାବିଲା କରିବା ସହ ଖାଉଟି ଓ ବ୍ୟବସାୟୀଙ୍କ କଥା ଚିନ୍ତା କରନ୍ତୁ। ଏବେ ଯେଉଁ ସ୍ଥିତି ରହିଛି ତାହା ଆସନ୍ତା ସପ୍ତାହକ ଯାଏ ଲାଗିରହିବ। ୧୫ ତାରିଖ ବେଳକୁ ଦର ୮୦ ଟଙ୍କାକୁ ଖସି ଆସିବାର ସମ୍ଭାବନା ରହିଛି।