ପିଆଜର ନାଲିଆଖି : କିଲୋ ପିଛା ଦର ୩୫ରୁ ୪୦ ଟଙ୍କା, କେବେ ସୁଧୁରିବ ସ୍ଥିତି ?

590

କନକ ବ୍ୟୁରୋ : ପିଆଜ ଦେଖାଉଛି ନାଲିଆଖି । ସପ୍ତାହକ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ, ଏବେ ୪୦ରେ ପହଁଚିଛି । ବଜାରକୁ ଭଲ ପିଆଜ ଆସୁନି, ତଥାପି ଦର ଅଧିକ ରହିଛି । ନାସିକରେ ବନ୍ୟା ସ୍ଥିତି ଯୋଗୁଁ ପିଆଜ ଦର ବୃଦ୍ଧି ପାଇଥିବା ବେଳେ ଗ୍ରାହକଙ୍କୁ ଆହୁରି ୧୫ ଦିନ ଯାଏଁ ପିଆଜ କନ୍ଦାଇବା ଆଶଙ୍କା ଉପୁଜିଛି । କାରଣ, ନୂଆ ପିଆଜ ଆସିବାକୁ ଅତି କମ୍ରେ ଦୁଇରୁ ତିନି ସପ୍ତାହ ସମୟ ଲାଗିଯିବ । ତାପରେ କମିପାରେ ଦର ।

ରାତି ପାହିଲେ ଦର ବଦଳୁଛି । କେବେ ଦୁଇ ଟଙ୍କା ତ ଆଉ କେବେ ୩ଟଙ୍କା । ସପ୍ତାହ ଭିତରେ ୧୦ରୁ ୧୫ ଟଙ୍କା ବଢିଲାଣି । ଗତ ସପ୍ତାହରେ ୨୨ରୁ ୨୪ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୪୦ରେ ପହଁଚିଛି । ଦିନକୁ ଦିନ ପିଆଜର ମାନ କମୁଛି, ହେଲେ ଦାମ ବଢି ବଢି ଚାଲିଛି । ବଜାରକୁ ଭଲ ପିଆଜ ବି ଆସୁନି । ରାଜଧାନୀ ଭୁବନେଶ୍ୱରରେ ପିଆଜ କିଲୋ ପିଛା ୩୦ ଟଙ୍କା ଥିବା ବେଳେ କେନ୍ଦ୍ରାପଡାରେ ୩୫, ସମ୍ବଲପୁରରେ ୩୫ ଏବଂ ବାଲେଶ୍ୱରରେ ୪୦ ଟଙ୍କାରେ ବିକ୍ରି ହେଉଛି ।

ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୭୦ ପ୍ରତିଶତ ପିଆଜ ପଠାଉଥିବା ନାସିକରେ ବନ୍ୟା ସ୍ଥିତି । ପିଆଜ ଚାଷ ନଷ୍ଟ ହୋଇଯାଇଛି । ରାସ୍ତାଘାଟ ଅବସ୍ଥା ସୁଧୁରିନଥିବାରୁ ପିଆଜ ରପ୍ତାନୀ ବି ହୋଇପାରୁନି । ଏପରିକି ଖୋଦ୍ ନାସିକରେ ପିଆଜ କିଲୋ ୨୨ରୁ ୨୪ ଟଙ୍କାରେ ବିକ୍ରି ହେଉଛି । ଆଉ ଓଡିଶା ଆସିବା ବେଳକୁ ଦାମ ଆଉ ୧୦ ଟଙ୍କା ବଢିବା ସ୍ୱାଭାବିକ । ରାଜ୍ୟରେ ପିଆଜ ଦର ବୃଦ୍ଧି ଆହୁରି ୧୫ ଦିନ ଲାଗି ରହିବ । ବଜାରକୁ ନୂଆ ପିଆଜ ଆସିବା ପରେ ଦାମ କମିବା ସମ୍ଭାବନା ରହିଛି ।