କନକ ବ୍ୟୁରୋ : ମାତ୍ର ଦିନ ଚାରିଟାରେ ପୁଣି ପାଞ୍ଚ ଟଙ୍କା ବଢ଼ିଗଲା ପିଆଜ ଦର । ଗତ ୨୨ ତାରିଖରେ ପିଆଜର ପାଇକାରୀ ଦର ୪୦ ଟଙ୍କା ଥିଲା । ୨୬ ତାରିଖରେ ତାହା ୪୫ ଟଙ୍କାରେ ପହଞ୍ଚିଯାଇଛି । ତେଣୁ ଖୁଚୁରା ବଜାରରେ ଆପେ ଆପେ ଦର ୫୫ ଟଙ୍କା ହୋଇଯାଇଛି । ଏପରିକି ଗଳିକନ୍ଦିରେ କିଛି ଦୋକାନୀ କିଲୋ ୬୦ କରିଦେଲେଣି । ସରକାର ଷ୍ଟକ୍ କଣ୍ଟ୍ରୋଲ୍ ଅର୍ଡର ଜାରି କରିଥିଲେ ବି ଦର ନିୟନ୍ତ୍ରଣ ହୋଇ ପାରୁନାହିଁ । ବରଂ ସରକାରଙ୍କ ଏଭଳି ପଦକ୍ଷେପ ପିଆଜ ଦର ନିୟନ୍ତ୍ରଣ କରିବା ବଦଳରେ ଅଧିକ ମାତ୍ରାରେ କଳାବଜାରିକୁ ପ୍ରୋତ୍ସାହିତ କରିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀ ସଂଘମାନଙ୍କ ପକ୍ଷରୁ କୁହାଯାଉଛି । ଏଭଳି ପଦକ୍ଷେପ ଦ୍ୱାରା ବଜାରରେ ଥିବା ଚାହିଦା ଓ ଯୋଗାଣ ପ୍ରଭାବିତ ହେବ ଓ ଖାଉଟିମାନେ ଅଧିକ ହନ୍ତସନ୍ତ ହେବେ ବୋଲି ସଂଘମାନଙ୍କ ପକ୍ଷରୁ କୁହାଯାଉଛି। ଗତ ଦୁଇ ଦିନ ହେଲା ନାସିକ୍ରେ ପିଆଜ ଦର ହ୍ରାସ ପାଉଥିବାବେଳେ ଷ୍ଟକ୍ କଣ୍ଟ୍ରୋଲ୍ ଅର୍ଡରର ଆବଶ୍ୟକତା ନାହିଁ ବୋଲି ସଂଘ ଅଭିଯୋଗ କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରବିବାର କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ନାସିକ୍ରୁ ପିଆଜ ଆମଦାନି କମିନାହିଁ। ରବିବାର ୧୧ଟି ଟ୍ରକ୍ ପିଆଜ ଆମଦାନି ହୋଇଛି । ୧୬ ଟ୍ରକ୍ର ଆବଶ୍ୟକତା ଥିଲେ ବି ଏହି ପରିମାଣ ରାଜଧାନୀ ପାଇଁ କିଛି କମ୍ ନୁହେଁ। ତଥାପି ପାଇକାରୀ ଦର ୪୪/୪୫ ଟଙ୍କା ରହିଛି । ନିମ୍ନମାନର ପିଆଜର ପାଇକାରୀ ଦର ୪୦ ଟଙ୍କା ତଳକୁ ବି ରହିଛି । ଏଣେ କ୍ୟାପିଟାଲ ହାଟରେ ଉନ୍ନତମାନର ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ନିମ୍ନମାନର ପିଆଜ ୫୦ରୁ ୫୨ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ପାଇକାରୀ ଦର ଓ ଖୁଚୁରା ଦର ଭିତରେ ୧୦ ଟଙ୍କାରୁ ଊର୍ଦ୍ଧ୍ୱ ଫରକ୍ ରହୁଛି । ମାତ୍ର ଏହି ପାର୍ଥକ୍ୟ ୫ରୁ ୬ ଟଙ୍କା ଭିତରେ ରହିବା କଥା। ହେଲେ ଖୁଚୁରା ବଜାରରେ ପିଆଜ ଦର ୫୦ ଟଙ୍କା ଡେଇଁପାରନ୍ତା ନାହିଁ । କିନ୍ତୁ ଖୁଚୁରା ବେପାରୀମାନଙ୍କ କହିବା କଥା ପିଆଜ ଦର ବଢ଼ିବାରେ ବିକ୍ରି ବହୁ ପରିମାଣରେ କମିଛି । ଗ୍ରାହକମାନେ ଅଧକିଲୋ, ଅଢ଼େଇଶହ ମାଗୁଛନ୍ତି । ଫଳରେ ଏଭଳି କମ୍ ପରିମାଣର ଓଜନ କରୁକରୁ ଭାଗୁଡ଼ି ଅଧିକ ହେଉଛି । ତେଣୁ ୫୫ ଟଙ୍କାରେ ନ ବିକିଲେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଖୁଚୁରା ବେପାରୀମାନେ କହୁଛନ୍ତି ।
ନାସିକ୍ରେ ଗତ ଦୁଇ ଦିନ ହେଲା ପିଆଜ ଦର କମିଛି । ଗତ ୨୨ ତାରିଖରେ ନାସିକ୍ରେ ଦର ଥିଲା ୩୮ ଟଙ୍କା। ଏବେ ତାହା ୩୪/୩୫ ଟଙ୍କାକୁ ଖସିଆସିଛି । କିନ୍ତୁ ଏହି ଦରରେ କିଣା ହୋଇଥିବା ପିଆଜ ଭୁବନେଶ୍ୱରରେ ପହଞ୍ଚି ନାହିଁ। ବର୍ଧିତ ଦର ଯୋଗୁଁ ବଜାରରେ ପିଆଜ ଚାହିଦା କମ୍ ଥିବାରୁ ଆମଦାନି କରୁଥିବା ବେପାରୀମାନେ କ୍ଷତି ଆଶଙ୍କାରେ ରହୁଛନ୍ତି । ବ୍ୟବସାୟୀମାନେ ପିଆଜ ଦରର ଏଭଳି ଅନିୟମିତାକୁ ଲକ୍ଷ୍ୟ କରି ମାଲ୍ ରଖୁନାହାନ୍ତି । ଫଳରେ ଖୁଚୁରା ବଜାରରେ ଯଥେଷ୍ଟ ମାଲ୍ ଉପଲବ୍ଧ ହେଉନାହିଁ । ଏମିତି ଗୁଡ଼ାଏ ଗୋଳିଆମିଶା କାରଣରୁ ଏବେ ପିଆଜ ଦରକୁ ନେଇ କିଛି କହିହେଉନାହିଁ ବୋଲି ବ୍ୟବସାୟୀମାନେ କହୁଛନ୍ତି ।
ଏଣେ ସରକାର ଷ୍ଟକ୍ କଣ୍ଟ୍ରୋଲ୍ ନିୟମ ଜାରି କରି ପରିସ୍ଥିତିକୁ ଆହୁରି ଗୋଳମାଳିଆ କରି ପକାଇଛନ୍ତି । ଭୁବନେଶ୍ୱର ପାଇଁ ୫ ଶହ କ୍ୱିଣ୍ଟାଲ ଓ କଟକ, ରାଉରକେଲା, ସମ୍ବଲପୁର ଭଳି ସଦହର ପାଇଁ ୩ ଶହ କ୍ୱିଣ୍ଟାଲ୍ ସୀମା ଧାର୍ଯ୍ୟ କରାଯାଇଛି । ଏହାକୁ ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା ଓ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଂକର ମିଶ୍ର ସମାଲୋଚନା କରିଛନ୍ତି । ସରକାରୀ ନିୟମକୁ ମାନି ସେମାନେ ବେପାର କରିବେ ସିନା କିନ୍ତୁ ଏହା ଦ୍ୱାରା ଖାଉଟିମାନେ ଅଧିକ ପ୍ରଭାବିତ ହେବେ ବୋଲି ସେମାନେ କହିଛନ୍ତି । ପିଆଜ ଭଳି ଦ୍ରବ୍ୟକୁ ଲୁଚାଇ ରଖି କଳାବଜାର କରିବା ସମ୍ଭାବନା କମ୍ ଥିବାରୁ ସରକାର ଏହା ଉପରେ ଏଭଳି ନିୟମ ଲାଗୁ କରିବା ଯଥାର୍ଥ ନୁହେଁ ବୋଲି ସେମାନେ କହିଛନ୍ତି ।