ଆହୁରି ବଢ଼ିବ ପିଆଜ ଦର : ମହାରାଷ୍ଟ୍ରରେ ବର୍ଷା ସମ୍ଭାବନା, ତୁର୍କୀରୁ ଆମଦାନୀ ବନ୍ଦ

321

କନକ ବ୍ୟୁରୋ : ଆହୁରି କନ୍ଦାଇବ ପିଆଜ ଦର । ରାଜ୍ୟ ତଥା ସାରା ଦେଶରେ ପିଆଜ ଦର ଆକାଶ ଛୁଆଁ । ପିଆଜ ବଜାରରେ ଲାଗିଥିବା ନିଆଁ ଲିଭିବନି । ବିଗତ ୪ ମାସ ମଧ୍ୟରେ ଗ୍ରାହକଙ୍କ ସମେତ ଦୋକାନୀଙ୍କୁ ମଧ୍ୟ କନ୍ଦାଉଛି ପିଆଜ । ବଜାରକୁ ପରିବା ଆଣିବାକୁ ଗଲେ ପିଆଜ ଦେଖିଲେ ଡର ମାଡ଼ୁଛି । ଓଡ଼ିଶାରେ ଏବେ ପାଖାପାଖି ୧୨୦ ଟଙ୍କା ପିଆଜ ଦର ଥିବାବେଳେ ବାହାର ରାଜ୍ୟ ଗୁଡ଼ିକରେ କିଲୋପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ସମୟରେ ସ୍ଥିତି ଏପରି ସ୍ତରରେ ପହଞ୍ଚିଛି ଯେ, ସାଧାରଣ ଲୋକେ ପିଆଜ  ଖାଇବା ଭୁଲିଗଲେଣି ।

ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, କାହାକୁ ଜଣାନାହିଁ କେବେ କମିବ ପିଆଜ ଦର । ବିଦେଶୀ ପିଆଜ ଆମଦାନୀ ପରେ ଦର କମିବ ବୋଲି ଆଶା ବାନ୍ଧି ବସିଥିଲେ ସାଧାରଣ ଲୋକ । ହେଲେ ବିଦେଶୀ ପିଆଜର ସ୍ୱାଦ ଲୋକଙ୍କୁ ପସନ୍ଦ ଆସୁନି । ବଦେଶୀ ପିଆଜ ପାଣିଚିଆ ଲାଗୁଛି ବୋଲି ଅଭିଯୋଗ କରୁଛନ୍ତି ଲୋକେ । ଏପଟେ ତୁର୍କୀ ପିଆଜ ଆମଦାନୀରେ ମଧ୍ୟ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଗୋଟିଏ ପଟେ ଲଗାତାର ବଢ଼ୁଥିବା ଦର ଅନ୍ୟପଟେ ବିଦେଶୀ ପିଆଜର ଅନାଦର ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏପଟେ ନିକଟ ଭବିଷ୍ୟତରେ ପିଆଜ ଦର କମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ । କାରଣ ସବୁଠାରୁ ଅଧିକ ପିଆଜ ଉତ୍ପାଦନ କରୁଥିବା ରାଜ୍ୟ ମହାରାଷ୍ଟ୍ରରେ ପୁଣି ବର୍ଷା ହେବାର ସମ୍ଭାବନା ଲାଗି ରହିଛି । ତେଣୁ ପିଆଜ ଉତ୍ପାଦନ ପୁଣି ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ସିଧାସଳଖ କହିବାକୁ ଗଲେ ବର୍ଷା ହେଲେ ପୁଣି ପିଆଜ ଦର ଆହୁରି ବଢ଼ିବ ।