ଲାଗିଲା ପିଆଜ କଟକଣା ! ଅଧିକ ରଖିଲେ କାର୍ଯ୍ୟାନୁଷ୍ଠାନ, ବ୍ୟବସାୟୀ ମହାସଂଘର ବିରୋଧ

43

କନକ ବ୍ୟୁରୋ : ଚଳିତ ବର୍ଷ ପିଆଜ ଅଭାବ ସୃଷ୍ଟି ହେବା ନେଇ କେନ୍ଦ୍ର ସରକାର ସତର୍କ କରାଇବା ପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପିଆଜ ବଜାର ଉପରେ ନଜର ରଖିବା ଲାଗି ନିର୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ନିର୍ଧାରଣ ପରିମାଣ ଠାରୁ ଅଧିକ ପିଆଜ କେହି ମହଜୁଦ ରଖିଲେ ଚଢାଉ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏଭଳି କଠୋର ମନୋଭାବକୁ ବ୍ୟବସାୟୀ ସଂଘ ବିରୋଧ କରିଛି । ତେବେ ହୋଲ୍‌ସେଲ୍‌ ବଜାରରେ ପିଆଜ ଦର କ୍ୱିଣ୍ଟାଲ ପିଛା ୧୬ରୁ ୧୮ଶହ ଟଙ୍କା ଥିବା ବେଳେ ଖୋଲା ବଜାରରେ କାହିଁକି କେଜି ପ୍ରତି ୨୮ରୁ ୩୦ ଟଙ୍କାରେ ବିକ୍ରି ହେଉଛି, ସେ ନେଇ କେହି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଥିବା କାରଣରୁ ସଙ୍କଟ ଦେଖାଦେଇପାରେ ବୋଲି କେନ୍ଦ୍ର ସରକାର ଆଗୁଆ ସତର୍କ କରାଇ ଦେଇଥିଲେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ବିଧିବଦ୍ଧ ନିର୍ଦେଶନାମା ଜାରି ହୋଇଛି । କେନ୍ଦ୍ରର ଏଭଳି ସୂଚନା ରାଜ୍ୟ ସରକାରଙ୍କୁ ମଧ୍ୟ ବିବ୍ରତ କରିଛି ।

ଆଜି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଭୁବନେଶ୍ୱର ଭଳି ବଜାରରେ ଜଣେ ବଡ଼ ବ୍ୟବସାୟୀ ୫୦୦ କ୍ୱିଣ୍ଟାଲ ପର୍ୟ୍ୟନ୍ତ ପିଆଜ ମହଜୁଦ ରଖିପାରିବେ । କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ସମ୍ବଲପୁର ଆଦି ଅଞ୍ଚଳରେ ଏହି ପରିମାଣ ୩୦୦ କ୍ୱିଣ୍ଟାଲ ସ୍ଥିର ହୋଇଛି । ଅନ୍ୟମାନେ ୧୨୦ରୁ ୧୫୦ କ୍ୱିଣ୍ଟାଲ ଯାଏ ରଖିପାରିବେ । ରିଟେଲ୍‌ କ୍ଷେତ୍ରରେ ଜଣେ ବ୍ୟବସାୟୀ ୧୨ କ୍ୱିଣ୍ଟାଲ ପର୍ୟ୍ୟନ୍ତ ରଖିପାରିବେ । ଆଗକୁ ପିଆଜ ସଙ୍କଟ ସୃଷ୍ଟି ହେବା କାରଣରୁ ସରକାର ନିର୍ଦେଶ ଦେଇଛନ୍ତି, ଯେଉଁମାନେ ଏହାଠାରୁ ଅଧିକ ମହଜୁଦ କରି ରଖିଥିବେ, ସେମାନଙ୍କ ଉପରେ ଚଢାଉ କରାଯାଇ ପିଆଜ ଜବତ କରାଯିବା ସହିତ ମକଦ୍ଦମା ରୁଜୁ ହେବ ।

ତେବେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଆଜି ସରକାରଙ୍କ ଏଭଳି ନିର୍ଦେଶନାମାକୁ କ଼ଡ଼ା ବିରୋଧ କରିଛନ୍ତି । ସେ କହିଛନ୍ତି, ସରକାର ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବ୍ୟବସାୟୀ ମହାସଂଘ ସହିତ କଥା ହେବା ଉଚିତ୍‌ ଥିଲା । କାରଣ ଏଭଳି ଏକ ନିର୍ଦେଶନାମା ଜାରି କରି ପିଆଜ ଦର ବୃଦ୍ଧି କରିବାରେ ସରକାର ସହାୟକ ହୋଇଛନ୍ତି । ଏହାଦ୍ୱାରା ବ୍ୟବସାୟୀମାନେ ପିଆଜ କିଣିବା ଉପରେ କଟକଣା କରିବେ। ଦ୍ୱିତୀୟତଃ ପିଆଜ ଦର ଉପରେ ବଢିଲେ, ଏଠି ବଢିବ । ସେଠି ନିଅଣ୍ଟ ହେଲେ, ଏଠି ତାର ପ୍ରଭାବ ପଡିବ ।

ଏଭଳି ସ୍ଥିତିରେ ସରକାର ଏମିତି ପଦକ୍ଷେପ ନେବା କିଛି ଆବଶ୍ୟକ ନଥିଲା । ସେ କହିଥିଲେ, ସରକାର ଯେଉଁ ନିଷ୍ପତ୍ତି ନେବା କଥା ତାହା ନେଉନାହାନ୍ତି। ହୋଲସେଲ୍‌ ଓ ବଜାର ଦର ଭିତରେ ୧୦ରୁ ୧୨ ଟଙ୍କା କେଜି ପ୍ରତି କାହିଁକି ପ୍ରଭେଦ ରହୁଛି, ସେ ନେଇ ତନାଘନା ହେଉନାହିଁ। ପୂର୍ବରୁ ବ୍ୟବସାୟୀ ମହାସଂଘ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଯେ ପ୍ରତିଦିନ ଦରତାଲିକା ପ୍ରକାଶ କରାଯାଉ । ମାତ୍ର ସରକାର ଏ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।