ପୁଣି ଖାଉଟି ପକେଟ କାଟିଲା ପିଆଜ ଦର : କିଲୋ ପିଛା ୨୫ଟଙ୍କାରେ ହେଉଛି ବିକ୍ରି, ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ସମାନ ସ୍ଥିତି

46

କନକ ବ୍ୟୁରୋ : ପୁଣି ପିଆଜ ବଜାରରେ ଲାଗିଛି ନିଆଁ । କିଲୋ ପିଛା ୨୫ ଟଙ୍କା ଦରରେ ପିଆଜ ବିକ୍ରି ହେଉଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପିଆଜ ଦର ଏହିଭଳି ରହିଛି । ବେପାରି କହୁଛନ୍ତି ପାଗ ଭଲ ନାହିଁ, ଆଗକୁ ଆହୁରି ବଢିବ । ବଜାରରେ ପିଆଜର ଦର ବୃଦ୍ଧି ସାଙ୍ଗକୁ ନିମ୍ନମାନର ପିଆଜ ଖାଉଟିଙ୍କୁ ହନ୍ତସନ୍ତ କରୁଛି । ପିଆଜ ଦର ନିୟନ୍ତ୍ରଣ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଯୋଗାଣ ବିଭାଗ । ରାଜ୍ୟରେ ପିଆଜର କୃତ୍ରିମ ଦରବୃଦ୍ଧି ଓ କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ପିଆଜ ଦର ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ବିଭାଗ ସଚିବ । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ୧୫ ଦିନ ଭିତରେ ପିଆଜର ଦର କମିବ ।

ଭାରତରେ ବର୍ତ୍ତମାନ କେବଳ ନାସିକରୁ ପିଆଜ ମିଳୁଛି । ସୁଚନା ମୁତାବକ ନାସିକ ମଣ୍ଡିରେ ବର୍ତ୍ତମାନ ୧୨ରୁ ୧୪ ଟଙ୍କା ମୂଲ୍ୟ ରହିଥିବାବେଳେ ଅନ୍ୟ ରାଜ୍ୟକୁ ଏହାର ଟ୍ରାନ୍ସପୋର୍ଟ ମୂଲ୍ୟ ଲାଗି ଦର ବୃଦ୍ଧି ହୋଇଛି । ରିପୋର୍ଟ ଅନୁସାରେ ଭାରତର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ପିଆଜର ମୂଲ୍ୟ ବୃଦ୍ଧି ହୋଇଛି । ଯେପରିକି- କିଲୋ ପିଛା: ଦିଲ୍ଲୀରେ- ୩୦ଟଙ୍କା, ଚେନ୍ନାଇ- ୨୫ଟଙ୍କା, ମୁମ୍ବାଇ- ୨୪ଟଙ୍କା, କୋଲକାତା-୨୫ ଟଙ୍କା ଏବଂ ଓଡିଶାରେ ୨୫ ଟଙ୍କା କିଲୋ ପିଛା ରହିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଏବଂ ଖୋଦ ନାସିକର ମଣ୍ଡିକୁ ବାଦ୍ ଦେଲେ ନାସିକରେ ୨୦ ଟଙ୍କା ପିଆଜ କିଲୋ ରହିଛି । ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆନ୍ଧ୍ରରେ ପିଆଜ ଉତ୍ପାଦନ ହେଲେ ମାର୍କେଟର ଅଭାବକୁ ପୂରଣ କରି ମୂଲ୍ୟ ବୃଦ୍ଧିରେ ଲଗାମ ଲଗାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।