ଛତିଶଗଡ ସରକାରଙ୍କ ନିଆରା ଉଦ୍ୟମ । ସମସ୍ତ ୨୭ ଜିଲ୍ଲାରେ ଦିନକ ପାଇଁ ନିଯୁକ୍ତ ହେଲେ ଜିଲ୍ଲାପାଳ । ଉଚ୍ଚ ଅଧିକାରୀଙ୍କ କାମ ବିଷୟରେ ଜାଣିଲେ ଯୁବକଯୁବତୀ

40

କନକ ବ୍ୟୁରୋ : ଦିନିକିଆ ମୁଖ୍ୟମନ୍ତ୍ରୀ ପଦ ପରି ଚରିତ୍ର ନେଇ ଚର୍ଚାରେ ଆସିଥିଲା ବଲିଉଡ ଅଭିନେତା ଅନିଲ କପୁରଙ୍କ ଫିଲ୍ମ ନାୟକ । ଏହାକୁ ନେଇ ଅତୀତରେ ଅନେକ ଚର୍ଚା ମଧ୍ୟ ହୋଇଥିଲା । ଏବେ ଏପରି କାହାଣୀ ଦେଖିବାକୁ ମିଳିଛି ବାସ୍ତବ ଜୀବନରେ । ଛତିଶଗଡର ସମସ୍ତ ୨୭ ଟି ଜିଲ୍ଲାରେ ୨୭ ଜଣ ଯୁବକ ଯୁବତି ଦିନକ ପାଇଁ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଛତିଶଗଡ ଧମତରି ଜିଲ୍ଲାର ସତ୍ୟମ ସିହ୍ନା ସୁକୁମା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇ ଜିଲ୍ଲାପାଳଙ୍କ ସହ ସମସ୍ତ ସରକାରୀ କାମ ତଦାରଖ କରିଥିଲେ । ସତ୍ୟମ ତାଙ୍କ ମାଆଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଁଚି ଥିଲେ । ସେଠାରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି କ୍ଷେତ୍ର ପରିଦର୍ଶନ କରି ଥିଲେ । ଶିକ୍ଷା ଦ୍ୱାରା ହିଁ ସୁକୁମା ପରି ମାଓ ଅଧ୍ୟୁଷିତ ଅଂଚଳରେ ମାଓ ସମସ୍ୟାର ମୁଳ ପୋଛ ହୋଇ ପାରିବ ବୋଲି ମତ ରଖିଛନ୍ତି ସତ୍ୟମ ।

ସେହିପରି ବସ୍ତର ଜିଲ୍ଲାରେ ଦୀପ୍ତି ପାଇକରା ଏବଂ ରାୟପୁର ଠାରେ ଶ୍ରୀକ୍ରିତି ଦିଓାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଁଚି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହ ଜିଲ୍ଲାପାଳଙ୍କ ଦିନଚର୍ଯ୍ୟା କେମିତି ରହେ, କେମିତି ସେ କ୍ଷେତ୍ର ପରିଦର୍ଶନ କରନ୍ତି । କେମିତି ଲୋକଙ୍କ ଅଭିଯୋଗର ଶୁଣାଣି କରି ନ୍ୟାୟ ନିଶାପ କରନ୍ତି ତାହା ଜାଣିବାକୁ ଚାହିଁ ଥିଲେ ଯୁବ ଜିଲ୍ଲାପାଳମାନେ । ଛତିଶଗଡ ସରକାରଙ୍କ ୧୪ ବର୍ଷ ପୁର୍ତି ଅବସରରେ ଯୁବ ପିଢିଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇ ଥିବା ଜଣା ପଡିଛି ।

ୟୁଥ ସ୍ପାର୍କ ନାମକ ଏକ ପ୍ରତିଯୋଗିତା ଜରିଆରେ କଲେଜ ପଢୁଥିବା ପ୍ରାୟ ୫ ଲକ୍ଷ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଛତିଶଗଡ ସରକାର ୨୭ ଯୁବକଯୁବତୀ ମାନଙ୍କୁ ଚୟନ କରିଥିଲେ । ପରେ ୨୭ ଟି ଜିଲ୍ଲାର ଦିନକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ ସରକାର । ୟୁ.ପି.ଏସ.ସି ଆଶାୟୀ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଲାଗି ଏପରି ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି ।