ବିମୁଦ୍ରୀକରଣକୁ ବର୍ଷେ । ମୋଦି ସରକାରର ସବୁଠୁ ବଡ ନିଷ୍ପତ୍ତିର ସମୀକ୍ଷା । କେତେ ସଫଳ କେତେ ବିଫଳ ?

54

କନକ ବ୍ୟୁରୋ :  ଆଜିକୁ ଠିକ ବର୍ଷକ ତଳେ କେହି ଜାଣି ନଥିଲେ ଯେ ଭାରତୀୟ ଅର୍ଥନୀତିରେ ଏକ ବଡ ପରିବର୍ତନ ହେବାକୁ ଯାଉଛି । ହେଲେ ୮ ନଭେମ୍ବର ୨୦୧୬ରେ ହଠାତ ବଦଳି ଯାଇଥିଲା ଭାରତୀୟ ଅର୍ଥନୀତିର ମୋଡ । ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ନେଇ ଘୋଷଣା କଲେ । କିଛି ଘଂଟା ଭିତରେ ଅଚଳ ହୋଇଗଲା ସେହି ସମୟରେ ପ୍ରଚଳିତ ୫ଶହ ଓ ହଜାରେ ଟଙ୍କିଆ ନୋଟ । ବନ୍ଦ ହୋଇଯାଇଥିଲା ବ୍ୟାଙ୍କ, ଅଚଳ ହୋଇଯାଇଥିଲା ଏଟିଏମ । ଦୁଇଦିନ ପାଇଁ ଏକ ପ୍ରକାର ଠପ ହୋଇଯାଇଥିଲା ଟଙ୍କା କାରବାର ।

କଳାଧନ ଉପରେ ଅଙ୍କୁଶ ଲଗାଇବା ଓ ଦୁର୍ନୀତି ରୋକିବା ପାଇଁ ବଡ ଆହ୍ୱାନ ଦେଲେ କେନ୍ଦ୍ର ସରକାର । ଏମିତିକି ଟେରର ଫଣ୍ଡିଂ ଓ ଜାଲ ନୋଟ କାରବାର ରୋକିବାକୁ ସବୁଠାରୁ ବଡ ଅଭିଯାନ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଦେଶ ବାହାରୁ କଳାଧନ ଆସିବ ବୋଲି ଦିଆଗଲା ପ୍ରତିଶ୍ରୁତି । ଚର୍ଚ୍ଚା ହେଲା ଯେ ବିମୁଦ୍ରାକରଣ ନେଇ କାହା ପାଖରେ ନଥିଲା ଖବର । ଏମିତିକି ଏନେଇ ଅର୍ଥମନ୍ତ୍ରୀ କି ସଚିବ ବି ଜାଣି ନଥିବା କୁହାଗଲା । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ହାତଗଣତି ପ୍ରଶାସକ ଓ ଅର୍ଥନିତୀଜ୍ଞଙ୍କୁ ନେଇ ପୁରା ଯୋଜନା କରିଥିବା ନେଇ ବି ଚର୍ଚ୍ଚା ହେଲା । କିନ୍ତୁ ନୂଆ ପ୍ରତିଶୃତି ଓ ଅର୍ଥନୈତିକ ବିକାଶର ଆଶ୍ୱାସନା ଦେଇ ସ୍ଥିତି ସୁଧାରିବା ପାଇଁ ୫୦ ଦିନର ମହଲତ ମାଗିଲେ ମୋଦି । ସେପଟେ ଜନତାଙ୍କ ଭିତରେ ବି ନୂଆ ଆଶା ବଢୁଥିଲା । କାହିଁକି ନା ଆଗରେ  ସ୍ୱପ୍ନ ଥିଲା ଦୁର୍ନୀତିମୁକ୍ତ ବିକଶିତ ଭାରତ ।

ବିମୁଦ୍ରାକରଣ ପରେ ସବୁଠାରୁ ବଡ ଆହ୍ୱାନ ଥିଲା ଅଚଳ ନୋଟ ବଦଳରେ ନୂଆ ଓ ଖୁଚୁରା ନୋଟ ସଂଗ୍ରହ କରିବା । ସେପଟେ କିନ୍ତୁ ବନ୍ଦ ବ୍ୟାଙ୍କ ଓ ଅଚଳ ଏଟିଏମ ବଡ ଜଟିଳ ସ୍ଥିତି ସୃଷ୍ଟି କରିଥିଲା । ବିମୁଦ୍ରାକରଣର ଦୁଇ ଦିନ ପରେ ଖୋଲିଥିଲା ବ୍ୟାଙ୍କ । କିଛି ସ୍ଥାନରେ ଏଟିଏମ ବି କାମ କରିବା ଆରମ୍ଭ କରିଥିଲା । ଆଉ ନୋଟ ଅଦଳବଦଳ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ୩୧ ଡିସେମ୍ବର ସୁଦ୍ଧା ପୁରୁଣା ନୋଟ ବ୍ୟାଙ୍କରେ ଜମା କରିବାକୁ ସରକାର ଦେଇଥିଲେ ଡେଡଲାଇନ । ଲୋକଙ୍କ ସମସ୍ୟାକୁ କମ କରିବା ପାଇଁ ପେଟ୍ରୋଲ  ପମ୍ପ ,ମେଡିକାଲ, ରେଳଷ୍ଟେସନ ଓ ବିମାନବନ୍ଦର ଭଳି କିଛି ସ୍ଥାନରେ ସରକାର ଅସ୍ଥାୟୀ ଭାବେ ପୁରୁଣା ନୋଟ କାରବାରକୁ ଅନୁମତି ଦେଲେ । ତଥାପି ସୁଧୁରୁ ନଥିଲା ସ୍ଥିତି ।

ନଭେମ୍ବର ୧୧ ତାରିଖରେ ବ୍ୟାଙ୍କ ଖୋଲିବା ପରେ କିଛି ଏଭଳି ଥିଲା ଦୃଶ୍ୟ । ବ୍ୟାଙ୍କ ଭିତରେ ଶହ ଶହ ଲୋକ ଓ ବାହାରେ ଲମ୍ବା ଲାଇନ । ଟଙ୍କା ଅଦଳ ବଦଳ ପାଇଁ ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିଥିଲା । ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ନୋଟ ଅଦଳବଦଳ ସୀମା ପ୍ରତିଦିନ ବ୍ୟକ୍ତି ପିଛା ୪ହଜାର ଟଙ୍କା ରଖାଯାଇଥିଲା । ପରେ ଏହାକୁ ୪ହଜାର ୫୦୦ଟଙ୍କାକୁ ବୃଦ୍ଧି କରାଗଲା । ୧୮ ନଭେମ୍ବରରେ ପୁଣି ଥରେ ଏହାକୁ ୨ହଜାର ଟଙ୍କାକୁ ଖସେଇ ଦିଆଗଲା । ସେପଟେ ଟଙ୍କା ଉଠାଣ ପାଇଁ ବି କଟକଣା ରଖାଯାଇଥିଲା । ପ୍ରଥମେ ଦୈନିକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ ସୀମା ରହିଥିଲା । ପରେ ୨ହଜାର ୫୦୦କୁ ବୃଦ୍ଧି କରାଗଲା । ୧୬ ଜାନୁୟାରୀ ୨୦୧୭ରେ ଉଠାଣ ସୀମା ୧୦ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା ।

ଅର୍ଥନୀତିର ସବୁଠାରୁ ବଡ ଟ୍ରମ୍ପ କାର୍ଡ ଖେଳିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ବିମୁଦ୍ରାକରଣର ଘଡିସନ୍ଧି ମୁବୁର୍ତ୍ତରେ  ଦିଲ୍ଳୀ ଦରବାରରେ ବସୁଥିଲା ଘନଘନ ବୈଠକ । କେତେବେଳେ ଅର୍ଥମନ୍ତ୍ରୀ ସମୀକ୍ଷା କରୁଥିଲେ ତ ପୁଣି କେତେବେଳ ଆରବିଆଇ ନୂଆ ନୂଆ ନିୟମ ଜାରି କରୁଥିଲେ । ଆଉ ପୁରା ସ୍ଥିତି ଉପରେ ନଜର ରଖିଥିଲା ପିଏମଓ । ଏସବୁ ଭିତରେ ଟଙ୍କା ନେଣଦେଣକୁ ନେଇ ପ୍ରତିଦିନ ଆସୁଥିଲା ନୂଆ ନିୟମ । କେତେବେଳେ ପୁରୁଣା ନୋଟର ଅଦଳବଦଳ ସୀମା ବଢୁଥିଲା ତ ପୁଣି କେତେବେଳେ ଟଙ୍କା ଉଠାଣ ନେଇ ଜାରି ହେଉଥିଲା କଟକଣା । ଏମିତିକି ବିମୁଦ୍ରାକରଣ ପରେ ୭୦ଥର ନିୟମ ବଦଳାଇଥିଲେ କେନ୍ଦ୍ର ସରକାର ।ଗୋଟିଏ ପଟେ ଅଚଳ ହୋଇଯାଇଥାଏ ବଡ ନୋଟ, ଅନ୍ୟପଟେ ଖୁଚୁରା ଓ ନୂଆ ନୋଟର ବି ଅଭାବ । ଏସବୁ ଭିତରେ ଦେଶ ଦେଖୁଥିଲା ଡିଜିଟାଲ ହେବାର ସ୍ୱପ୍ନ । ଡିଜିଟାଲ ଇଣ୍ଡିଆ ବାଟ ମେଲୁଥିବା କହିଲେ ମୋଦି । ନୋଟ ଅଭାବରୁ ଅନଲାଇନ ଟ୍ରାଂଜାକ୍ସନକୁ ଗୁରୁତ୍ୱ ଦିଆଯାଉଥିଲା । ଏମିତିକି ପେଟିଏମ, ମୋବାଇଲ ବ୍ୟାଙ୍କିଙ୍କ ଭଳି କ୍ୟାସଲେସ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ବି ଅପିଲ କଲେ । ହେଲେ ସବୁଠୁ ବଡ ସମସ୍ୟା ଥିଲା ମୋବାଇଲ ଓ ଇଂଟରନେଟ ନେଟୱାର୍କ । ମେଟ୍ରୋ ସହରକୁ ଛାଡି ଦେଲେ ଛୋଟ ଛୋଟ ସହର ଓ ଗାଁ ଗହିଳରେ ବେଶ ଜଟିଳ ପରିସ୍ଥିତିର ସାମ୍ନା କରିଥିଲେ ଲୋକେ ।

ଆଉ ଏସବୁ ଭିତରେ କେଜାଣି କେମିତି ଦଶନ୍ଧି ଦଶନ୍ଧି ପଛକୁ ଫେରି ଯାଇଥିଲା ଆମ ବ୍ୟବସ୍ଥା । ହାତରେ ଟଙ୍କା ନଥିଲା, ହେଲେ କାରବାର କରିବା ଛଡା ଆଉ କିଛି ବିକଳ୍ପ ବି ନଥିଳା । ଆଉ ଲୋକ ବାଛି ନେଇଥିଲେ ମାଟର ସିଷ୍ଟମ ବା ସାମଗ୍ରୀ ବଦଳରେ ସାମଗ୍ରୀ ଦିଆନିଆ ।ଓଡିଶାର ମାଲକାନଗିରି ଜିଲ୍ଲାରେ ଦେଖାଦେଇଥିଲା ସମାନ ପରିସ୍ଥିତି । ସମାଗ୍ରୀ ଦିଆ ନିଆରେ ଚାଲିଲା ବେପାର । କିଏ ଜଡିବୁଟି ଦେଇ ଚାଉଳ ଆଣୁଥିଲା ତ ପୁଣି କିଏ ଡାଲି ବଦଳ କରି ପରିବା ଆଣୁଥିଲା ।ଏସବୁ ଜଟିଳତା ଭିତାରେ ବିମୁଦ୍ରାକରଣକୁ ଦୂର୍ନିତୀ ବିରୋଧୀ ଅସ୍ତ୍ର ଭାବେ ଚିତ୍ରଣ କରି ଜନତାଙ୍କ ସମର୍ଥନ ପାଇବାରେ ସଫଳ ହୋଇଥିଲେ କେନ୍ଦ୍ର ସରକାର । ଏମିତିକି କଳାଧନକୁ ଭାରତ ଫେରାଇ ଆଣିବା ପାଇଁ ଜୋରଦାର ପ୍ରୟାସ କରାଗଲା ।  ବିମୁଦ୍ରାକରଣ ପରେ ଅର୍ଥନୀତିରେ କଳାକାରବାର ରୋକିବାକୁ କଣ ସବୁ ପଦକ୍ଷେପ ନେଇଥିଲେ ମୋଦି ସରକାର ।

ବିମୁଦ୍ରାକରଣ ପରେ କଳାଧନ ଜମାକାରୀଙ୍କ ଉପରେ ଅଙ୍କୁଶ  ଲଗାଇବାକୁ ଆୟକର ବିଭାଗ, ଇଡି ଓ ଅର୍ଥମନ୍ତ୍ରାଳୟ ଆରମ୍ଭକରିଥିଲେ ଜୋରଦାର ପ୍ରୟାସ । ସରକାରଙ୍କ ରିପୋର୍ଟ ଅନୁସାରେ ୧୧୫୨ଟି ସ୍ଥାନରେ ରେଡ କରିଛି ଆୟକର ବିଭାଗ ଓ ଇଡି । ସେହପିରି ୧ହଜାର ୪୭୯କୋଟି ଟଙ୍କାର ସମ୍ପତ୍ତି ଜବତ କରାଗଲା । ୧୫ହଜାର ୪୯୬ କୋଟିର ବେନାମୀ ଟଙ୍କା ବି ରାଜକୋଷକୁ ଫେରିଲା । ଏହାପରେ ବି ପର୍ଯ୍ୟାୟ କ୍ରମରେ ଟଙ୍କା କାରବାର ଉପରେ ଅନୁଧ୍ୟାନ କରିଥିଲା ଆୟକର ବିଭାଗ । ଏସବୁ ଭିତରେ କଳାଧନ ଜମାକରୀଙ୍କୁ ବି ଲାଗିଥିଲା ବଡ ଝଟକ । କେତେବେଳ ୫୦୦ ଓ ହଜାରେ ଟଙ୍କିଆ ନୋଟ ପାଣିରେ ଭାସୁଥିଲା ତ ପୁଣି କେଉଁଠି ପୋଡିଦିଆଯାଉଥିଲା ବିଡା ବିଡା ଟଙ୍କା । ଧିରେ ଧିରେ ଳାଗୁଥିଲା କଳାଯଭ୍କାର ବେପାରୀ ଏବେ ଲାଚାର । ଏମିତିକି ଉପାୟ ନ ପାଇ ବିଭିନ୍ନ ମନ୍ଦିରର ଦାନ ହୁଣ୍ଡିରେ ବି ଜମା ହୋଇଥିଲା ବିଡା ବିଡା ପୁରୁଣା ନୋଟ ।

ଦୁର୍ନୀତି ବିରୋଧୀ ଏହି ମହାଲଢେଇ ଭିତରେ ଅର୍ଥନୈତିକ ଅବନତି କିନ୍ତୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା ଘେରକୁ ଆଣିଲା । କାହିଁକି ନା ଦେଶର ଜିଡିପି ୨%ହ୍ରାସ ପାଇଥିଲା । ଏମିତିକି ବିମୁଦ୍ରାକରଣ ପରେ ସେପଟେ ଅଚଳ ନୋଟ ବଦଳରେ ଖୁଚୁରା ନୋଟରେ ଅଭାବୀ ସ୍ଥିତି ଜନତାଙ୍କ ମଧ୍ୟରେ ବି ଅସନ୍ତୋଷ ସୃଷ୍ଟିକଲା । ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ନିଜ ପୁସ୍ତକ ‘ଆଇ ଡୁ ହ୍ୱାଟ ଆଇ ଡୁ’ରେ ସ୍ୱୀକାର କରିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ ଛୋଟ ବ୍ୟବସାୟୀଙ୍କ କାରବାର ଯଥେଷ୍ଟ ପ୍ରଭାବିତ ହୋଇଛି । କେବଳ ଏତିକି ନୁହେଁ ଜରୁରୀ ସ୍ଥିତିରେ ଟଙ୍କା ନ ପାଇ ବିଭନ୍ନ୍ ସ୍ଥାନରୁ ୮୦ଜଣଙ୍କ ମୃତ୍ରୁ୍ୟ ଖବର ପୁରା ଦେଶରେ ହଇଚଇ ସୃଷ୍ଟି କଲା ।

ରାତି ପାହିଲେ ବିମୁଦ୍ରାକରଣକୁ ଗୋଟିଏ ବର୍ଷ ପୂର୍ତ୍ତି ହେବ । କିନ୍ତୁ ଏବେ ବି ଅନେକ ପ୍ରତିଶୃତି ରହସ୍ୟ ଘେରରେ ରହିଛି ।

• ଦେଶ ବାହାର କଳାଧନ ଫେରିବା ପ୍ରସଙ୍ଗରେ ଚିତ୍ର ଅସ୍ପଷ୍ଟ ।

• ସ୍ୱିସ ବ୍ୟାଙ୍କର ତଥ୍ୟ ଲୋକଲୋଚନକୁ ଆସି ପାରୁନାହିଁ ।

• ଜିଡିପି କମିଥିବା ବେଳ କେମିତି ଆର୍ଥିକ ଅଭିବୃଦ୍ଧି ହେଲା?

• ପୁରୁଣା ନୋଟ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କଥା କହୁଥିବା ସରକାର ହଠାତ କାର୍ଯ୍ୟାନୁଷ୍ଠାନରୁ କାହିଁକି ଦୂରେଇ ଗଲେ?

• ଅସୁସ୍ଥତା କାରଣରୁ ନର୍ଦ୍ଧାରିତ ସମୟ ଭିତରେ ନୋଟ ବଦଳ କରିପାରି ନଥିବା ଲୋକଙ୍କ ପାଇଁ କଣ ଯୋଜନା କରିଥିଲେ କେନ୍ଦ୍ର ସରକାର?