ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ଏକ ବର୍ଷ ! ମନେପଡିଲା ସେନାର ପରାକ୍ରମ, ୟୁରି ଆକ୍ରମଣର ଦେଇଥିଲେ ଜବାବ

39

କନକ ବ୍ୟୁରୋ : ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପ୍ ଉପରେ ଭାରତ କରିଥିବା ସର୍ଜିକାଲ ଷ୍ଟ୍ରାଇକକୁ ଆଜି ପୂରିଛି ବର୍ଷେ । ଆଜିକୁ ଠିକ ଏକ ବର୍ଷ ପୂର୍ବେ ପାକିସ୍ତାନରେ ପଶି ଆତଙ୍କବାଦୀ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲା ଭାରତ । ଏହା ସେ ସମୟରେ ବିଶ୍ୱରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ସର୍ଜିକାଲ ଷ୍ଟ୍ରାଇକର ବର୍ଷେ ପୁରିଛି  ।

୨୯ ସେପ୍ଟେମ୍ବର ୨୦୧୬ : ସେନା ଦେଖାଇଲା ପରାକ୍ରମ

ପାକିସ୍ତାନ ମାଟିରେ ଶତ୍ରୁ ଉପରେ ଭାରତୀୟ ସେନା ଏପରି ପ୍ରହାର କରିଥିଲା, ଯାହା ପାକିସ୍ତାନ ପାଇଁ ଥିଲା ଏକ ଉଚିତ ଶିକ୍ଷା । ଉରି ଆର୍ମି ବେସ କ୍ୟାମ୍ପ ଉପରେ ଅଚାନକ ଆତଙ୍କବାଦୀ ହମଲା ଘଟଣା ଭାରତୀୟ ସେନା ଭିତରେ ପ୍ରତିଶୋଧର ନିଆଁ ଜଳୁଥିଲା । ସୀମା ପାର ହୋଇ ପାକିସ୍ତାନ ଭିତରକୁ ପଶିଥିଲେ ଭାରତର ବୀର ଯବାନ ।

ବଛା ବଛା ଯବାନକୁ ନେଇ ପ୍ରସ୍ତୁତ ହୋଇଥିବା ଦୁଇଟି ଟିମ୍ କରିଥିଲା ବଡ଼ ଧରଣର ହମଲା । ପାକିସ୍ତାନ ମାଟିରେ ଚାଲିଥିବା ୪ଟି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଭାରତୀୟ ସେନା କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍ । ପୂରା ମାଟିରେ ମିଶି ଯାଇଥିଲା ଆତଙ୍କର ଟ୍ରେନିଂ ଦେଉଥିବା ଏହି ଶିବିରଗୁଡିକ । କିଛି ପାକ ସେନାର ଯବାନଙ୍କ ସହ ଘଟଣାସ୍ଥଳରେ ଟଳି ପଡିଥିଲେ ୪୦ରୁ ଅଧିକ ଆତଙ୍କବାଦୀ । ପ୍ରତିଶୋଧ ପୂରା କରିବା ପରେ ଅକ୍ଷତ ଅବସ୍ଥା ନିଜ ଦେଶକୁ ଫେରି ଆସିଥିଲେ ଭାରତ ।

ଆତଙ୍କବାଦୀଙ୍କ ପଛପଟେ ରହି ପାକିସ୍ତାନ ଚଳାଇଥିବା ଛାୟାଯୁଦ୍ଧ ପ୍ରତି ଏହି ସର୍ଜିକାଲ ଷ୍ଟ୍ରାଇକ ଥିଲା ଭାରତର ଜବାବ । ସୀମା ଆରପଟେ ଏଭଳି ଷ୍ଟ୍ରାଇକ କରି ଭାରତୀୟ ସେନା ତା’ର ଦକ୍ଷତାର ପ୍ରମାଣିତ କରିଥିଲା । ଆଉ ପାକିସ୍ତାନକୁ ଚରମ ଶିକ୍ଷା ଦେଇଥିଲା ଏହି ସର୍ଜିକାଲ ଷ୍ଟ୍ରାଇକ୍ । ପାକିସ୍ତାନ ଆଗକୁ ଯେକୌଣସି ହମଲା କଲେ ନିଶ୍ଚିତ ଭାବେ ତାର ମନେପଡିବ ଭାରତୀୟ ସେନାଙ୍କ ଏହି ପରାକ୍ରମ ।