ଦାନମାଝୀ ଘଟଣାକୁ ପୁରିଲା ବର୍ଷେ ! ଆଜିର ଦିନରେ ସ୍ଥିତି କଣ, ବିଶେଷ ରିପୋର୍ଟ

172

କନକ ବ୍ୟୁରୋ : ଓଡିଶାରେ ସ୍ୱାସ୍ଥ୍ୟ ବିଭାଗକୁ ଲଜ୍ମା ପହଞ୍ଚାଇ ଥିବା ଦାନମାଝୀ ଘଟଣାକୁ ବର୍ଷେ ପୁରିଛି । ବର୍ଷେ ଭିତରେ ଅନେକ କିଛି ବଦଳିଛି । ହେଲେ ସତରେ କଣ ବଦଳିଛି ରାଜ୍ୟରେ ସ୍ୱାସ୍ଥ୍ୟବିଭାଗର ଚିତ୍ର । ମହାପ୍ରୟାଣର ବ୍ୟବସ୍ଥା କଣ ସତରେ ସମସ୍ତଙ୍କ ପାଖରେ ପାହଂଚିପାରିଛି । ସତରେ କଣ ଆଉ ଦାନ ମାଝିର ଜନ୍ମ ହୋଇନି । ଏ ତମାମ ପ୍ରଶ୍ନର ଉତ୍ତର ଏବେ ଖୋଜିଲେ କାହାରି ପାଖରେ ନାହିଁ । ତେବେ ଦାନମାଝି ଘଟଣାକୁ ବର୍ଷେ ପରେ କାହାର କଣ ଚିତ୍ର ବଦଳିଛି ନଜର ପକାନ୍ତୁ ।

୨୦୧୬ ଅଗଷ୍ଟ ୨୦୧୬ । ସମସ୍ତଙ୍କ ଆଖି ଖୋସି ହୋଇଗଲା ଭଳି ଛାତିଥରା ଚିତ୍ର ଦେଖିଥିଲା ଓଡିଶା । ଜଣେ ସ୍ୱାମୀ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ୧୨ କିଲୋମିଟର ଚାଲିଥିଲେ । ସାଙ୍ଗରେ ଥିଲା କୁନି ଝିଅଟିଏ । ଶବକୁ ଘରଯାଏ ନେବାକୁ ଗାଡି ମିଳିଲାନି ବୋଲି ବାଧ୍ୟ ହୋଇ ସାଙ୍ଗରେ ଝିଅକୁ ଧରି କାନ୍ଧରେ ସ୍ତ୍ରୀର ଶବ ବୋହି ୧୨ କିଲୋମିଟର ଚାଲି ଚାଲି ପୁରା ଓଡିଶାକୁ କୋହରେ ଦୋହଲାଇ ଦେଇଥିବା ବ୍ୟକ୍ତି ଜଣକ ହେଉଛି ଦାନମାଝି । କଳାହାଣ୍ଡି ମେଲଘରାର ଦାନ ମାଝିଙ୍କ ଏହି କରୁଣ କାହାଣୀ ସେତେବେଳେ ଓଡିଶାର ମାନଚିତ୍ର ଉପରେ ଏକ କଳାମେଘ ଘୋଡାଇ ଦେଇଥିଲା ।

ଏ ଘଟଣାକୁ ଏହା ଭିତରେ ବର୍ଷେ ପୁରିଛି । ବର୍ଷକ ଭିତରେ ରାଜ୍ୟର ଚିତ୍ର ବଦଳିଛି ତା ସହ ଦାନମାଝୀଙ୍କର ବି । ସେଦିନ ଘରଯାଏ ଶବ ନେଇଯିବାକୁ ଆମ୍ବୁଲାନ୍ସକୁ ଟଙ୍କା ଦେଇ ପାରିନଥିବା ଦାନଙ୍କୁ ମିଳିଛି ଅଜସ୍ର ସହାୟତା । ଓଡିଶା ଭିତରେ ନୁହେଁ, ଭାରତ ବାହାରୁ ଦାନଙ୍କ ପର୍ଯ୍ୟନ୍ତ ଲମ୍ବିଥିଲା ସହାୟତାର ହାତ । ଆଜି ଭଲ ସ୍କୁଲରେ ପାଠ ପଢ଼ୁଛନ୍ତି ଦାନଙ୍କ ତିନି ଝିଅ । ଓଡିଶା ସରକାର ବି ଶବବାହକ ଗାଡି ଭାବେ ମହାପ୍ରୟାଣର ଶୁଭାରମ୍ଭ କରିଛନ୍ତି । ହେଲେ ସେଦିନର ସେହି ଘଟଣା ଓଡିଶାର ନୁହେଁ ବରଂ କେବଳ ଦାନମାଝୀଙ୍କ ବ୍ୟକ୍ତିଗତ ଚିତ୍ର ବଦଳାଇଥିବା ମତ ପ୍ରକାଶ ପାଇଛି ।

ଦାନଙ୍କ ପତ୍ନୀଙ୍କ ମୃତ୍ୟୁ ସହ ମାନବିକତାର ବି ମୃତ୍ୟୁ ହେଲା । ମୃତ୍ୟୁକୁ ବର୍ଷେ ପୁରିଛି । ଆଜି ସମୟ ମଧ୍ୟ ବଦଳିଛି । ସାରା ଭାରତରେ ଓଡିଶାର ଦାନମାଝିକୁ ନୂଆ ପରିଚୟଟିଏ ମିଳିଛି । ବର୍ଷେ ତଳର ସେ ପାଣିପବନ ଆଜି ଆଉ ନାହିଁ । ଦିନେ ସ୍ତ୍ରୀକୁ ଅର୍ଥାଭାବ ପାଇଁ ସାମାନ୍ୟତମ ଚିକିତ୍ସା ଯୋଗାଇପାରିନଥିବା ସ୍ୱାମୀ ପାଖରେ ବ୍ୟାଙ୍କ ବାଲାନ୍ସ ଆଉ ସାମାନ୍ୟ ହୋଇ ନାହିଁ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସ୍କୁଲରେ ପଢ଼ୁଛନ୍ତିି ଦାନଙ୍କ ତିନିଝିଅ ।

ଯେତେବେଳେ ପତ୍ନୀଙ୍କ ମୃତ୍ୟୁର ଦୁଃଖ ଦାନଙ୍କୁ ଦୁଃଖୀ କରୁଥିଲା ସେତିକିବେଳେ ତାଙ୍କୁ ମିଳୁଥିବା ସହାୟତା ତାଙ୍କ କିସମତ ବଦଳାଇବାରେ ଲାଗିଥିଲା । ଓଡିଶା ସରକାର ଇନ୍ଦିରାଆବାସ ଯୋଜନାରେ ତାଙ୍କୁ ଘର ଦେଇଛି । ସୁଦୂର ବାହାରିନ ଦେଶର ପ୍ରଧାନମନ୍ତ୍ରୀ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫା ତାଙ୍କ ପାଇଁ ଲକ୍ଷେ ଟଙ୍କାର ଚେକ ଦେଇଛି । ସୁଲଭ ଇଣ୍ଟରନ୍ୟାସନାଲ ତାଙ୍କ ଝିଅଙ୍କ ନାଁରେ ଫିକ୍ସ ଡିପୋଜିଟ ଦେଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ଦାନମାଝିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୭ଲକ୍ଷ ଟଙ୍କା ଜମା ରହିଛି ।

ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ପରେ ଦାନଙ୍କ ଜୀବନରେ ଆହୁରି ଏକ ପରିବର୍ତ୍ତନ ହୋଇଛି । ତୃତୀୟ ବିବାହ କରିଛନ୍ତି ସେ । ବ୍ୟକ୍ତିଗତ ଜୀବନରେ ଦାନ ସିନା ଖୁସି ଅଛନ୍ତିି ହେଲେ ତାଙ୍କ ଝିଅ ଏବେ ବି ତାଙ୍କ ଜୀବନରେ ଆସିଥିବା ସେହି କଳାରାତିକୁ ଭୁଲି ପାରିନାହାଁନ୍ତି । ଚିକିତ୍ସା ଅଭାବରୁ ମା’ଙ୍କ ମୃତ୍ୟୁ ପରେ ଜୀବନରେ ସିନା ପରିବର୍ତ୍ତନ ହୋଇଛି ହେଲେ ସେମାନେ ଆଜି ବି ଝୁରି ହେଉଛନ୍ତି ନିଜ ମା’କୁ ।

ଏ ଘଟଣା ପରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ହୋଇଛି । ଡାକ୍ତରଖାନାରୁ ଶବକୁ ଘରଯାଏ ନେଇ ଯିବା ଏହି ଗାଡି । ହେଲେ ଏସବୁ ବ୍ୟବସ୍ଥା ଆଉ ଯୋଜନା ଆଜି ବି ଅନେକଙ୍କ ପାଇଁ ଅପହଞ୍ଚ । ଆଜି ବି ଜନ୍ମ ନେଉଛନ୍ତି ଅନେକ ଦାନମାଝି । କେବେ ଏହି ସମସ୍ୟାରେ ବଦଲାଓ ଆସିବ ତାହାକୁ ଦେଖିବାର କଥା ।