ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆସିଲା ନୂଆ ନିୟମ ଯୁକ୍ତ ତିନିରେ ଛାତ୍ରଛାତୀଙ୍କୁ ରଖିବାକୁ ପଡିବ ୪୫ ପ୍ରତିଶତ ମାର୍କ

1,613

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଏଣିକି ଯୁକ୍ତ ତିନି ପାଇଁ ସାରା ରାଜ୍ୟରେ ହେବ ଗୋଟିଏ ପାଠ୍ୟ ଖସଡା । ଏବଂ ପିଜିରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ବୋଲି ନିଷ୍ପତି ନେଇଛି ଉଚ୍ଚଶିକ୍ଷା ପରିଷଦ । ଗୁରୁବାର ବସିଥିବା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ପରିଷଦର ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ୱରନ ବି ।

ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଏଣିକି ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ । ଆସନ୍ତା ଶିକ୍ଷା ବର୍ଷ ୨୦୧୯-୨୦ ରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ସ୍ନାତକ ପାଠ୍ୟକ୍ରମ ଲାଗି ଏକକୀକରଣ ପାଠ୍ୟଖସଡା ହେବ । ଅନ୍ତର୍ଜାତୀୟ ସ୍ତରର ଏକ୍ସପର୍ଟ ମାନଙ୍କୁ ନେଇ ହୋଇଥିବା ପାଠ୍ୟଖସଡାକୁ ନୂତନ ପସ୍ତକ ଓ ପାଠ୍ୟକ୍ରମକୁ ପରିବର୍ତ୍ତନ କରି ପରିଚାଳନା କରାଯିବ ।

ସେହିପରି ପିଜି ଆଡମିଶନ ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏବଂ ଏହି ପରୀକ୍ଷା ଦେବାକୁ ଯୁକ୍ତ ତିନିରେ ଅତିକମରେ ୪୫ ପ୍ରତିଶକ ନମ୍ବର ରଖିବାକୁ ପଡିବ । ଏହା ରାଜ୍ୟର ଏକ ମଡେଲ ସିଲାବସ ଭାବେ ପରିଗଣିତ ହେବ । ଷ୍ଟୁଡେଂଟସ ଏକାଡେମିକ ମ୍ୟାନେଜମେଂଟ ସିଷ୍ଟମ ବା ସାମସ ଏହି ପରୀକ୍ଷାକୁ ପରିଚାଳନା କରିବ । ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୋଟିଏ ମାନଦଣ୍ଡରେ ତଉଳିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ନିର୍ଦ୍ଦେଶକ ।

ଶିକ୍ଷାକୁ ନିଯୁକ୍ତି ଭିତିକ କରିବା, ଜାତୀୟସ୍ତରର ପ୍ରତିଯୋଗୀତାମୂଳକ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଭଲ କରିବେ, ଉଚ୍ଚତର ଗବେଷଣା ଓ ସର୍ବୋପରି ଉଚ୍ଚଶିକ୍ଷାର ଆର୍ନ୍ତଜାତୀୟକରଣ ଲାଗି ନବଗଠିତ ଉଚ୍ଚଶିକ୍ଷା ପରିଷଦ ଏହିସବୁ ସଂସ୍କାରକୁ ଆଣିବାକୁ ସ୍ଥିର କରିଛି ପରିଷଦ । ଆଜିର ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି, ପିଜି କାଉନସିଲ ଅଧ୍ୟକ୍ଷ ଏବଂ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ । ଆଉ ସର୍ବସମ୍ମତିକ୍ରମେ ଏହି ନିଷ୍ପତି ନିଆଯାଇଛି ।