ବନ୍ଦୀଘରୁ ଆସିଲା ଝିଅର ଗୁହାରୀ ! ଏକତରଫା ପ୍ରେମ କରି ଅପହରଣ କରିନେଇଛି ଯୁବକ

28

କନକ ବ୍ୟୁରୋ : ମୁକ୍ତି ପାଇଁ ଅଜଣା ସ୍ଥାନରୁ ବନ୍ଦି ଝିଅର ଗୁହାରୀ । ଭୁବନେଶ୍ୱରର ଜଣେ ଯୁବତୀ ୫ ଦିନଧରି ଏକ ଅଜଣା ସ୍ଥାନରେ ବନ୍ଦୀ ହୋଇ ରହିଛନ୍ତି । ଆଉ କୈାଶଳ କ୍ରମେ ସୁଯୋଗ ପାଇ ଘର ଲୋକଙ୍କୁ ଅପହରଣ ଘଟଣା ବିଷୟରେ କହିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ଅଭିଯୋଗ ହୋଇଛି ଏକ ତରଫା ପ୍ରେମ କରି ଜଣେ ଯୁବକ ଏଭଳି କାରନାମ କରିଛି ।

କୌଣସି ଏକ ମୂହୂର୍ତ୍ତରେ ସୁଯୋଗ ପାଇ ଯୁବତୀ ଜଣକ ନିଜ ସମ୍ପର୍କୀୟ ଭାଇଙ୍କୁ କଲ୍ କରିବାରେ ସକ୍ଷମ ହୋଇଛନ୍ତି । ଆଉ ଘର ବାଡି ପଟୁ ଫୋନ୍ ଯୋଗେ କହିଛନ୍ତି ଅପହରଣର କାହାଣୀ । ସବୁଠାରୁ ବଡ କଥା ହେଉଛି ଯେଉଁ ପୁଅ ଅପହରଣ କରିଥିବା ସେ ଅଭିଯୋଗ କରୁଛନ୍ତି ତାଙ୍କ ପରିବାର ଳୋକଙ୍କୁ ବି ଜାଣିଛନ୍ତି ଯୁବତୀଙ୍କ ପରିବାର । ଏମିତିକି ପୁଅର ମାଆଙ୍କୁ କିଛି ବି ନ କହିବା ପାଇଁ ଅନୁରୋଧ କରିଛନ୍ତି ଅପହୃତ ଯୁବତୀ ।

ଅପହରଣର ଏ ଘଟଣା ଏତିକିରେ ଶେଷ ହେଉ ନାହିଁ । ତାଙ୍କ ଇଜ୍ଜତ ନେବା ପାଇଁ ଉଦ୍ୟମ ହେଉଥିବା ଯୁବତୀ ଜଣକ ଫୋନ ଯୋଗେ କହିଛନ୍ତି ।

ଗତ ୨୮ ତାରଖ ଦିନ ରାଜଧାନୀର ରାଜମହଲ ଅଂଚଳରରୁ ଯୁବତୀଙ୍କୁ ଅପହରଣ କରାଯାଇଥିଲା ।ତାଙ୍କ ମୋବାଇଲ ଫୋନ ଭାଙ୍ଗି ଦେବା ସହ ମାଡପିଟ ମଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଏବେ ନିଜ ପାଖରେ ଲୁଚେଇ ରଖିଥିବା ଏକ ଫୋନ ଯୋଗେ ଘର ଲୋକଙ୍କ ସହ ଯୋଗଯୋଗ କରିଛନ୍ତି ଯୁବତୀ ଜଣକ । ଆଉ ଏହାପରେ ଯୁବତୀଙ୍କ ବାପା ଥାନାରେ ମାମଲା ଦାୟର କରିଛନ୍ତି ।

ଏକ ତରଫା ପ୍ରେମରୁ ଅପହରଣ । ଏବେ ଯୁବତୀଙ୍କୁ ଠାବ କରିବା ସହ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରିବା କମିସନରେଟ ପୋଲିସ ପାଇଁ ସବୁଠୁ ବଡ ଚ୍ୟାଲେଂଜ ।