ପୋଲିସକୁ ବ୍ୟାପିଲା କରୋନା: ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ; ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା

ଛୁଟିରୁ ଫେରିବା ପରେ କର୍ମଚାରୀଙ୍କ ନମୂନା ପରୀକ୍ଷା ହୋଇଥିଲା। ପୋଲିସ୍ କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ନଥିଲା । ରାଜ୍ୟ ବାହାରର ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା।

1,163

କନକ ବ୍ୟୁରୋ: ପୋଲିସକୁ ଡେଇଁଲା କରୋନା । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ପୋଲିସ କର୍ମଚାରୀଙ୍କ ଦେହରେ ଠାବ ହେଲା କରୋନା ଭୁତାଣୁ । ସମ୍ପୃକ୍ତ ପୋଲିସ୍ କର୍ମଚାରୀଙ୍କୁ କୋଭିଡ଼୍ କେୟାରକୁ ସ୍ଥାନାନ୍ତର । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ପୋଲିସ୍ କର୍ମଚାରୀ । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୨ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ଜଣେ କମିଶନରେଟ ପୋଲିସ୍ କର୍ମଚାରୀଙ୍କ ଦେହରେ ଠାବ ହୋଇଛି କରୋନା ଭୁତାଣୁ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ସଂପୃକ୍ତ କର୍ମଚାରୀ ଜଣକ ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ତାଙ୍କର ପଜିଟିଭ ବାହାରିଥିଲା ।

ତେବେ ବଡ କଥା ହେଉଛି ଯେ, ସଂପୃକ୍ତ ୩୬ ବର୍ଷୀୟ କର୍ମଚାରୀଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା । ତେବେ ବାହାର ରାଜ୍ୟର କୌଣସି ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ କମିଶନରେଟ ପୋଲିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ୟ ସବୁ କର୍ମଚାରୀଙ୍କ ସ୍ୱାସ୍ଥ ପ୍ରତି ନିଘା ରଖାଯାଇଥିବା ନେଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଟ୍ୱିନ ସିଟିର ସମସ୍ତ ୪ ପୋଲିସ ହସ୍ପିଟାଲ ଡାକ୍ତର ଏହା ଉପରେ ନଜର ରଖିଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି କମିଶନରେଟ ପୋଲିସ ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଆଜି ଚିହ୍ନଟ ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୪୬ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏଥିମଧ୍ୟରୁ ଯାଜପୁରର ୩୦,  ଭଦ୍ରକର ୧୨, ଅନୁଗୁଳର ୨ ଏବଂ ସମ୍ବଲପୁରର ୨ଜଣ ଅଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ବୋଲି ସରକାର ତଥ୍ୟ ଦେଇଛନ୍ତି। ଅନ୍ୟ ପକ୍ଷରେ କରୋନା ମୁକ୍ତ ହୋଇଥିବା ରାଜଧାନୀ ସହର ଭୁବନେଶ୍ବରକୁ ପୁଣି ଥରେ ଫେରିଛି କରୋନା। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବରର ଓ ସେମାନେ ସ୍ଥାନୀୟ ଉତ୍ସରୁ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି। ଆଜି ଭୁବନେଶ୍ବରରୁ ୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଥିବା ବେଳେ କଟକରୁ ଜଣେ ସ୍ଥାନୀୟ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଫଳରେ ଗତକାଲି କରୋନାମୁକ୍ତ ଘୋଷଣା ହୋଇଥିବା ଭୁବନେଶ୍ବରକୁ କରୋନା ଫେରିଥିବା ସ୍ପଷ୍ଟ ହୋଇଛି।