୧୨ ରାଜ୍ୟରେ ଲାଗୁ ହେଲା ‘ଏକ ରାଷ୍ଟ୍ର-ଏକ ରାସନ’ କାର୍ଡ : ଓଡ଼ିଶା ସମେତ ସମଗ୍ର ଦେଶରେ ଜୁନ୍ ୧ରୁ ହେବ ଲାଗୁ

818

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଜିଠାରୁ ୧୨ଟି ରାଜ୍ୟରେ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଲାଗୁ କରିଛନ୍ତି । ଏହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡ଼ଖଣ୍ଡ ଏବଂ ତ୍ରିପୁରା । କେନ୍ଦ୍ର ଖାଉଟି ମନ୍ତ୍ରାଳୟ ଚଳିତ ବର୍ଷ ଜୁନ୍‌ ୧ ତାରିଖ ସୁଦ୍ଧା ସମଗ୍ର ଦେଶରେ ଏକ ଦେଶ ଏକ ରାସନ କାର୍ଡ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ପୂରା ଦେଶରେ ଏହା ଲାଗୁ ହେବାପରେ ରାସନ କାର୍ଡଧାରୀ ଗୋଟିଏ କାର୍ଡରେ ହିଁ ଦେଶର ଯେ କୌଣସି ସ୍ଥାନରୁ ରାସନ କ୍ରୟ କରିପାରିବେ । ଆଜି ନୂଆ ବର୍ଷର ପ୍ରଥମ ଦିନରେ ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ଖୁସି ଖବର ଆଣିଛନ୍ତି । ଏବେ ୧୨ଟି ରାଜ୍ୟରେ ଏହି ଯୋଜନା ଲାଗୁ ହୋଇସାରିଥିବାରୁ ଏବେ ଏହି ରାଜ୍ୟମାନଙ୍କର ରାସନ କାର୍ଡଧାରୀମାନେ ନିଜ ରାଜ୍ୟ କିମ୍ବା ରାଜ୍ୟ ବାହାରର ଯେ କୌଣସି ସ୍ଥାନରୁ ସେମାନଙ୍କ ସରକାରୀ ରାସନ ପାଇବାରେ ଆଉ ପ୍ରତିବନ୍ଧକ ରହିବ ନାହିଁ ।

ଏହି ଯୋଜନାକୁ ସୁଚାରୁ ରୂପେ ସଂଚାଳନ କରିବା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଡିଜିଟାଲ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟା ବଡ଼ ଚ୍ୟାଲେଂଜ ଥିବାରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଛି ।