ଏକ ଦେଶ, ଏକ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସାରା ଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକାସାଙ୍ଗରେ କରିବାକୁ ମୋଦିଙ୍କ ମନ୍ଥନ

437

କନକ ବ୍ୟୁରୋ: ମୋଦିଙ୍କ ବହୁ ପ୍ରତିକ୍ଷୀତ ବୈଠକ ଆରମ୍ଭ ହୋଇଛି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ପାଇଁ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ବୈଠକରେ ସାମିଲ ହୋଇଛନ୍ତି ଅନେକ ଦଳ । ସାରା ଦେଶରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକାସାଙ୍ଗରେ କରିବାକୁ ମୋଦିଙ୍କ ଏହି ମନ୍ଥନ ।

ତେବେ ମୋଦି ଡାକିଥିବା ବୈଠକରେ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡକରୀ, ଥାୱରଚନ୍ଦ ଗେହଲଟ, ନରେନ୍ଦ୍ର ସିଂହ ତୋମାର, ସୀତାରାମ ୟେଚୁରୀ, ମେହେବୁବା ମୁଫତି ଆଦି ସାମିଲ ହୋଇଛନ୍ତି । ନମୋଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିଛନ୍ତି ।
ସେପଟେ ଏହି ବୈଠକରେ ଯୋଗଦେବେ ନାହିଁ ଅନେକ ଦଳ । କଂଗ୍ରେସ ବୈଠକକୁ ଆସିବାକୁ ମନା କରିଥିବା ବେଳେ ମମତା-ମାୟାବତୀ ମଧ୍ୟ ବୈଠକକୁ ମନା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ମିଟିଂକୁ ଆସିବାକୁ ମନା କରିଛନ୍ତି ।

ମୋଦି ଅତ୍ୟନ୍ତ ତରବରିଆ ଭାବେ ଏହି ବୈଠକ ଡକାଇଥିବାରୁ ଅନେକ ବିରୋଧୀ ଦଳ ଏଥିରେ ସାମଲ ହୋଇନଥିବା ସ୍ପଷ୍ଟ କରିଛନ୍ତି । ତେବେ ଏହି କାରଣରୁ ମମତା ବାର୍ନାଜୀ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ବୈଠକ ପୂର୍ବରୁ ସମ୍ବିଧାନ ବିଶେଷଜ୍ଞଙ୍କ ମତ ନିଅନ୍ତୁ କେନ୍ଦ୍ର ସରକାର ବୋଲି ବିରୋଧୀ କହିଛନ୍ତି ।