ଭୁବନେଶ୍ୱର : ରେଳ ଷ୍ଟେସନରେ ହେବ ଆଉ ଏକ ଫୁଟ୍‌ ଓଭରବ୍ରିଜ୍‌

60

କନକ ବ୍ୟୁରୋ : ମୁମ୍ବାଇ ରେଳ ଷ୍ଟେସନ୍‌ରେ ଦଳାଚକଟାରେ ୨୨ଜଣଙ୍କ ମୃତ୍ୟୁ ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ଆଉ ଗୋଟିଏ ପାଦ ଚଲା ଓଭରବ୍ରିଜ୍‌ (ଫୁଟ୍‌ ଓଭରବ୍ରିଜ୍‌) କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ଥିବାବେଳେ ତୃତୀୟ ରେଳ ଓଭରବ୍ରିଜ୍‌ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ଆସନ୍ତା ସପ୍ତାହକ ମଧ୍ୟରେ ମଞ୍ଜୁରି ମିଳିବ । ୨୦୧୮ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ।

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ପ୍ରକୃତରେ କେତେ ଅର୍ଥ ଖର୍ଚ୍ଚ ହେବ, କେତେ ଦିନରେ ସରିବ, ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା ରହିବ, କେତେ ଲମ୍ବର ବ୍ରିଜ୍‌ ହେବ ସେନେଇ ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହେବ । ଏହାପରେ ଟେଣ୍ଡର ଆହ୍ଵାନ ହେବ। ଭୁବନେଶ୍ୱର ରେଳ ଷ୍ଟେସନ ଦେଇ ଦୈନିକ ୨୦୦ରୁ ଅଧିକ ଟ୍ରେନ୍‌ ଚାଲୁଥିବାବେଳେ ପ୍ରାୟ ୮୦ହଜାର ଲୋକ ଯାତାୟାତ କରୁଛନ୍ତି । ଏତେ ସଂଖ୍ୟକ ଯାତ୍ରୀଙ୍କ ପାଇଁ ଏହି ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ଯଥେଷ୍ଟ ହେଉ ନଥିବାରୁ ଅନେକ ସମୟରେ ଅସମ୍ଭାଳ ଭିଡ଼ ଜମୁଛି ।

ଏପରିକି ସକାଳେ ଓ ଅପରାହ୍ଣରେ ଯାତ୍ରୀ ଠେଲାପେଲା ଭଳି ପରିସ୍ଥିତି ଉପୁଜୁଛି । ଅପରପକ୍ଷେ ଭୁବନେଶ୍ୱର ରେଳ ଷ୍ଟେସନରେ ଖୋର୍ଦ୍ଧା ପାର୍ଶ୍ୱରେ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ଥିବାବେଳେ ଆଉ ଗୋଟିଏ କଟକ ପାର୍ଶ୍ୱରେ ଅଛି । କିନ୍ତୁ ଟ୍ରେନ୍‌ ରହଣି ଏବେ ଯେଉଁଭଳି ହେଉଛି ତାହାଦ୍ୱାରା ଖୋର୍ଦ୍ଧା ପାର୍ଶ୍ୱ ଫୁଟ୍‌ ଓଭରବ୍ରିଜ୍‌ ଉପରେ ଅଧିକ ଭିଡ଼ ଜମୁଛି । ଭିତ୍ତିଭୂମି ତୁଳନାରେ ଅଧିକ ଯାତ୍ରୀ ଯାତାୟାତ କରୁଥିବାରୁ ସକାଳ ଓ ଅପରାହ୍ଣରେ ବେଳେବେଳେ ଅସମ୍ଭାଳ ଭିଡ଼ ଜମୁଛି । କେତେକ ସମୟରେ ଠେଲାପେଲା ଯୋଗୁଁ ଛୋଟ ଦୁର୍ଘଟଣାମାନ ଘଟୁଛି । ତେଣୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବାକୁ ଥିବା ନୂଆ ଫୁଟ୍‌ ଓଭରବ୍ରିଜ୍‌ ପ୍ଲାଟଫର୍ମ ୧ରୁ ୬ ପର୍ଯ୍ୟନ୍ତ ଲମ୍ବିବ । ଏହା କେଉଁ ସ୍ଥାନରେ ନିର୍ମାଣ ହେବ ତାହା ସ୍ଥିର ହୋଇ ନଥିଲେ ହେଁ ଟ୍ରେନ୍‌ ରହଣି ଏବଂ ଯାତ୍ରୀଙ୍କ ଯାତାୟାତକୁ ଦେଖି ସ୍ଥାନ ଚିହ୍ନଟ କରାଯିବ ।

ଏହି ଫୁଟ୍‌ ଓଭରବ୍ରିଜ୍‌ଟି ପର୍ଯ୍ୟାପ୍ତ ଚଉଡ଼ା ବିଶିଷ୍ଟ (୬ମିଟର ସ୍ପାନ୍‌) ହେବ। ପୂର୍ବ ଦୁଇଟି ଫୁଟ୍‌ ଓଭରବ୍ରିଜଠାରୁ ଏହା ଅଧିକ ଚଉଡ଼ା ହେବ । ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ଆଉ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ମଞ୍ଜୁର କରିଛନ୍ତି । ସେହିପରି ଫୁଟ୍‌ ଓଭରବ୍ରିଜ୍‌ ଓ ପ୍ଲାଟଫର୍ମରେ ଯେପରି ଅଧିକ ଭିଡ଼ ନ ଜମିବ ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କେତେକ ଟ୍ରେନ୍‌କୁ ସିଗନାଲ୍‌ ପୋଷ୍ଟ ପର୍ଯ୍ୟନ୍ତ ନନେଇ ପ୍ଲାଟଫର୍ମର ଏକ ନିର୍ଦିଷ୍ଟ ସ୍ଥାନରେ ରହଣି କରାଯିବ ।

ଏହି ବ୍ୟବସ୍ଥା ତୁରନ୍ତ ଲାଗୁ ହେବ । ଏହାଦ୍ୱାରା ଯାତ୍ରୀମାନେ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ମଧ୍ୟରେ ବାଣ୍ଟି ହୋଇଯିବେ ।  ବର୍ତ୍ତମାନ ଖୋର୍ଦ୍ଧା ପାର୍ଶ୍ୱ ଓଭରବ୍ରିଜଟି କଟକ ପାର୍ଶ୍ୱ ଓଭରବ୍ରିଜ୍‌ ଠାରୁ ବେଶୀ ଭିଡ଼ ହେଉଥିବା ଦେଖିବାକୁ ମିଳୁଥିବାବେଳେ ଟ୍ରେନ୍‌ଗୁଡ଼ିକ ସିଗନାଲ୍‌ ପୋଷ୍ଟ ପର୍ଯ୍ୟନ୍ତ ଚାଲି ଯାଉଛନ୍ତି । ତେଣୁ ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ହେମନ୍ତ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କେଉଁଠାରେ ଟ୍ରେନ୍‌ ରହଣି କଲେ ଭିଡ଼ କମିବ ସେଥିପାଇଁ ସ୍ଥାନ ଚିହ୍ନଟ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

ସେହିପରି ଭଦ୍ରକ ରେଳ ଷ୍ଟେସନ୍‌ରେ ବି ଆଉ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ । ଏବେ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ଥିବାବେଳେ ଯାତ୍ରୀଙ୍କ ଭିଡ଼ ଦୃଷ୍ଟିରୁ ଏହା ଉପରେ ଅଧିକ ଚାପ ପଡ଼ୁଛି  । ତେଣୁ ଆଉ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଥିବା ଯୋଜନାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ମଞ୍ଜୁର କରିଛନ୍ତି। ଏହା ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହେବାକୁ ଥିବା ଫୁଟ୍‌ ଓଭରବ୍ରିଜ୍‌ ଡିଜାଇନରେ ହେବ । ଏଥିପାଇଁ ବି ୭ କୋଟି ଖର୍ଚ୍ଚ ହେବ ।