ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ : ରାଜ୍ୟରେ ୪୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

2,389

କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍ । ଭୁବନେଶ୍ୱରରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୪୫ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର, ୟୁନିଟ୍ – ୪ ଅଞ୍ଚଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ କୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପର୍କରେ ଆଉ କେତେ ଜଣ ଆସିଛନ୍ତି, ଏବେ ତା ଉପରେ ନଜର ରହିଛି ।

ତେବେ ଗତକାଲି କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ରା‌ପଡ଼ା ଜିଲ୍ଲାର ଜଣେ ଦୁବାଇ ଫେରନ୍ତା ୩୨ ବର୍ଷୀୟ ଯୁବକଙ୍କ ଶରୀରରେ କୋରନା ଭୂତାଣୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆଳି ବ୍ଲକ୍‌ର ଏହି ଯୁବକ ଜଣକ ଗତ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସେହିଦିନ ଗାଁ ଲୋକେ ଏ ନେଇ ଥାନାକୁ ଜଣାଇଥିଲେ। ତହିଁ ପରଦିନ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ତାଙ୍କ ଗାଁକୁ ଯିବାରୁ ଗ୍ରାମବାସୀ ତୁରନ୍ତ ସଂପୃକ୍ତ ଯୁବକଙ୍କୁ ଗାଁ ବାହାରେ ସଂଗରୋଧରେ ରଖିବାକୁ ଦାବି କରିଥିଲେ। ମାତ୍ର ସଂପୃକ୍ତ ଯୁବକଙ୍କ ପରିବାର ଏଥିରେ ରାଜି ନ ହେବାରୁ ତାଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। କାଲି ରାତିରେ ଏକ ଆମ୍ବୁଲାନ୍ସରେ ଯୁବକଙ୍କୁ କଟକର କୋଭିଡ୍‌ ହସ୍ପିଟାଲକୁ ଅଣାଯାଇଛି। ଯୁବକଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।