ପଶ୍ଚିମବଙ୍ଗ ଦମଦମରେ ବିସ୍ଫୋରଣ ! ୭ବର୍ଷୀୟ ପିଲାର ମୃତ୍ୟୁ, ୧୦ ଜଣ ଆହତ, ଫରେନସିକ୍ ଟିମର ଯାଂଚ ଜାରି ।

23

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦମଦମରେ ବିସ୍ଫୋରଣ । ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ୭ବର୍ଷୀୟ ପିଲାର ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦମଦମ୍ ଥାନା ଅନ୍ତର୍ଗତ କାଜିପାରା ଅଂଚଳରେ ଥିବା ନଗର ବଜାରରେ ଆଜି ଏହି ବିସ୍ଫୋରଣ ହୋଇଛି । ସ୍ଥାନୀୟ ଅଂଚଳରେ ଥିବା ଏକ କୋଠାର ତଳ ମହଲାରେ ଥିବା ଏକ ଫଳ ଦୋକାନରେ ଏହି ବିସ୍ଫୋରଣ ହୋଇଛି ।

ଆହତମାନଙ୍କୁ ଆର.ଜି. କର ମେଡିକାଲରେ ଭର୍ତି କରାଯାଇଛି । ବାରାକପୁର ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଜାରି ରଖିଛି । ବିସ୍ଫୋରଣର କାରଣ ଏଯାଏ ଜଣା ପଡିନାହିଁ । ଫରେନସିକ୍ ଟିମ୍ ଓ ପୋଲିସ କୁକୁର ପହଂଚି ଥିବା ବେଳେ ଘଟଣାର ତଦନ୍ତ କରାଯାଉଛି । ପ୍ରଥମେ ଏକ ସିଲିଣ୍ଡର ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଥିଲା । ପରେ ସିଲିଣ୍ଡର ବିସ୍ଫୋରଣ ନୁହେଁ ବୋଲି ପୁଲିସ ସ୍ପଷ୍ଟ କରିଛି । ତେବେ ବିସ୍ଫୋରଣର କାରଣ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ୭ ବର୍ଷୀୟ କୁନି ପିଲାର ମୃତ୍ୟୁ ହୋଇଥିବା ଜଣାପଡିଛି ।