ଆତଙ୍କ ଖେଳାଉଛି ହ୍ୱାଟସଆପ୍ ମେସେଜ୍ ! ନେଲାଣି ୨୫ ନିରୀହଙ୍କ ଜୀବନ ।

35

ସଂପ୍ରତି ହ୍ଵାଟସ୍ ଆପ୍, ଫେସବୁକ ପରି ସୋସିଆଲ ମିଡିଆ ଯୋଗାଯୋଗର ବଳିଷ୍ଠ ମାଧ୍ୟମ ପାଲଟିଛି। ସୂଚନା ଓ ମନୋରଞ୍ଜନ ପାଇଁ ବେଶ୍ ଖୋରାକ୍ ଯୋଗାଉଥିବା ଏହି ସୋସିଆଲ ମିଡିଆର ଅପବ୍ୟବହାର ଏବେ ଘାତକ ପ୍ରମାଣିତ ହେଉଛି। ସାରା ବିଶ୍ୱରେ ବୃଦ୍ଧି ପାଉଥିବା ‘ଫେକ୍ ନିଉଜ ସିଣ୍ଡ୍ରୋମ୍’ ବା ମିଛ ଖବରର ପ୍ରଚାର ପ୍ରସାର ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏଥିରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ରାଷ୍ଟ୍ରରେ କଡ଼ା ଆଇନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଭାରତରେ କୌଣସି ଫଳପ୍ରଦ ବ୍ୟବସ୍ଥା ନାହିଁ। ନିକଟରେ ଦେଶବ୍ୟାପୀ ହ୍ଵାଟସଆପ୍ ଯୋଗେ ଗୋଟିଏ ମିଛ ଖବରର ପ୍ରଚାର ୨୫ ଜଣଙ୍କ ହତ୍ୟାର କାରଣ ପାଲଟି ସାରିଲାଣି। ପିଲାଚୋରି କରୁଥିବା କିଛି ଗୋଷ୍ଠୀଙ୍କୁ ନେଇ ସତର୍କ ରହିବା ସହିତ ପିଲାଚୋରଙ୍କୁ ଧରି କିଭଳି ଭାବେ ଲୋକେ ଦଣ୍ଡିତ କରୁଛନ୍ତି ତାହାର ଫଟୋ ଓ ଭିଡିଓ ବାର୍ତ୍ତା ଘୂରି ବୁଲୁଛି। ଛୋଟ ପିଲାଙ୍କୁ ବିସ୍କୁଟ ଖୁଆଇ କିଛି ଅପହରଣ କରାଯାଉଥିବା ନେଇ ଡାହା ମିଛ ଖବର ଓ ଫଟୋ ଛଡ଼ାଯାଉଛି। ‘ହାଇଦ୍ରାବାଦ,ବେଙ୍ଗାଲୁରୁରୁ ପ୍ରାୟ ୪ଶହ ପିଲାଚୋରଙ୍କ ଦଳ ଆସି ପହଞ୍ଚିଛନ୍ତି। ଏହି ଗୋଷ୍ଠୀର କିଛି ପିଲାଚୋରଙ୍କୁ ପୁଲିସ୍ ଗିରଫ ମଧ୍ୟ କରି ସାରିଛି।’ ଏଭଳି କିଛି ମେସେଜ ହ୍ୱାଟସଆପରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳି ଯାଇଛି। ବିଶେଷକରି ପାଗଳ ବା ଅସହାୟ ଅବସ୍ଥାରେ ବୁଲୁଥିବା ଲୋକେ ଏହି ବାର୍ତ୍ତା ବା ମେସେଜ କାରଣରୁ ଉତ୍ତ୍ୟକ୍ତ ଲୋକଙ୍କ ଶିକାର ହେଉଛନ୍ତି। ଲୋକେ ସେମାନଙ୍କୁ ପିଲାଚୋର ଭାବି ନିସ୍ତୁକ ମାଡ଼ ମାରୁଛନ୍ତି। କେତେକ କ୍ଷେତ୍ରରେ ପିଟି ପିଟି ହତ୍ୟା କରାଯାଉଛି । ଲୋକେ ଚିନ୍ତା ମଧ୍ୟ କରୁନାହାନ୍ତି ଯେ, ଏହି ମେସେଜ କେଉଁସ୍ଥାନରୁ ଆସିଛି ଏବଂ କିଏ ଓ କେଉଁ ଉଦ୍ଦେଶ୍ୟରେ ପଠାଇଛି। ଝାଡ଼ଖଣ୍ଡ, ତ୍ରିପୁରା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ,ଆସାମ ଭଳି ରାଜ୍ୟରେ ଏହି ମେସେଜ ବିଶେଷ ପ୍ରଭାବ ପକାଇଛି। ବିଗତ ୪ବର୍ଷ ମଧ୍ୟରେ ଦେଶବ୍ୟାପୀ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇଛି। ସୋସିଆଲ ମିଡିଆ ବ୍ୟବହାରରେ ୧୫୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୮୩ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରାୟ ୪୫ ପ୍ରତିଶତ ଲୋକ ଏଭଳି ମିଛ ବାର୍ତ୍ତା ଦେଖିବା କ୍ଷଣି ଏହାର ପ୍ରସାର କରିଥାନ୍ତି ଏବଂ ଏଥିଯୋଗୁଁ ବଡ଼ ଅନର୍ଥ ସୃଷ୍ଟି ହେଉଛି।

 

ତ୍ରିପୁରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ତ୍ରିପୁରାରେ ପୁଣିଥରେ ପିଲାଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ୩ ଜଣ ବ୍ୟବସାୟୀ ଏବଂ ଅଗରତାଲାର ଜଣେ ଡ୍ରାଇଭର ତ୍ରିପୁରା ଯାଇଥିଲେ। ତେବେ ସିଧାଇ ଥାନା ଅଧୀନସ୍ଥ ମୁରାବାରି ଅଞ୍ଚଳରେ ଗତକାଲି ସେମାନଙ୍କୁ ପିଲାଚୋର ଅଭିଯୋଗରେ କିଛି ବିଶୃଙ୍ଖଳ ଜନତା ନିସ୍ତୁକ ମାଡ଼ ମାରିଥିଲେ। ଜନତାଙ୍କ ମାଡ଼ରେ ୟୁପି ଯୁବକ ଜାହିର ଖାନ୍ଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୩ ଜଣ ଯୁବକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଆଉ ଏକ ଘଟଣାରେ ଗତ ବୁଧବାର ଦିନ ଜଣେ ମହିଳାଙ୍କୁ ପିଲାଚୋରି ଅଭିଯୋଗରେ ଯୋଗେନ୍ଦ୍ର ନଗର ରେଳ ଷ୍ଟେସନ୍ ନିକଟରେ କିିଛି ବିଶୃଙ୍ଖଳ ଜନତା ପିଟିପିଟି ହତ୍ୟା କରିଥିଲେ। ତ୍ରିପୁରା ଆକ୍ରମଣ ମାମଲା ସମେତ ହ୍ଵାଟ୍ସଆପ୍ ମିଛ ଖବର ପାଇଁ ଦେଶରେ ସମୁଦାୟ ୨୫ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଏହାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି। ଉଲ୍ଳେଖଯୋଗ୍ୟ ଗତ ମଙ୍ଗଳବାର ରାତିରେ ଜଣେ ୧୧ ବର୍ଷୀୟ ବାଳକକୁ ପଶ୍ଚିମ ତ୍ରିପୁରାରେ ଅତି ନିର୍ମମ ହତ୍ୟା କରାଯାଇଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଗୁଜବ ସୃଷ୍ଟି ହୋଇଥିଲା ଯେ କିଛି ପିଲା ଚୋର ଗୋଷ୍ଠୀ ଏବେ ଅଙ୍ଗ ପ୍ରତିରୋପଣ କାର୍ୟ୍ୟ ପାଇଁ ପିଲା ଚୋରି କରୁଛନ୍ତି ଏବଂ ସେମାନେ ହିଁ ହତ୍ୟାକାଣ୍ଡ ଘଟାଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉକ୍ତ ବାଳକର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିବା ଜଣାପଡ଼ିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ଉକ୍ତ ବାଳକର କିଡ୍ନି ନାହିଁ। ତ୍ରିପୁରା ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଲୋକମାନଙ୍କୁ ଏଭଳି ଗୁଜବ ବିଶ୍ୱାସ ନକରିବାପାଇଁ କହିଛନ୍ତି।