ସୋନପୁରରେ ବୋଗସ୍ ଭୋଟିଂ ଅଭିଯୋଗ ! କ୍ୟାମେରାରେ କଏଦ ହେଲା ଦୃଶ୍ୟ

27

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବା ବେଳେ ସୋନପୁରର ଏକ ବୁଥରେ ଏକ ଅଭାବନୀୟ ଘଟଣା କ୍ୟାମେରାରେ କଏଦ ହୋଇଛି । କନକ ନ୍ୟୁଜ କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଦୃଶ୍ୟରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ନେଇ ବାଲାଟ ପେପରରେ ଭୋଟ ଦେଉଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ସେ ଏହି ଭଳି ଭୋଟ ଦେଉଥିବା ଦେଖା ଯାଇଛି । ଖୋଦ ବାଚସ୍ପତିଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀରେ ଏହି ବୋଗସ ଭୋଟିଂ ହୋଇଥିବା ଅଭିଯୋଗ ହୋଇଛି ।

କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟ ସୋନପୁର ଜିଲ୍ଲା ତୁଙ୍ଗୁରିପାଲି ୩ ନଂବର ଜିଲ୍ଲାପରିଷଦ ଜୋନର କାଇସ୍କନ୍ଦା ଗାଁର ୪ନଂ ବୁଥର । ଏ ସଂକ୍ରାନ୍ତରେ ରାଜ୍ୟ ବିଜେପି ନେତାମାନେ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଜଣେ ବିଜେଡି କର୍ମୀ ବାରମ୍ବାର ଭୋଟ ଦେଉଛନ୍ତି । ଭୋଟରମାନେ ଧାଡିବାନ୍ଧି ବୁଥ ଦ୍ୱାରରେ ଛିଡା ହୋଇଛନ୍ତି । ଆଉ ଏହି ବାବୁ ଜଣକ ବାଲାଟ ବକ୍ସରେ ଭୋଟ ଦେଇ ନିର୍ବାଚନ ଅଧିକାରୀଙ୍କ ପାଖକୁ ଫେରୁଛନ୍ତି ।

ପୁଣି ବାଲାଟ ବକ୍ସ ପାଖକୁ ଯାଇ ଭୋଟ ଦେଉଛନ୍ତି । ଶାସକ ଦଳ ବୋଗସ ଭୋଟିଂ କରାଇଥିବା ଅଭିଯୋଗ କରିଛନ୍ତି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବବିତା ପଧାନଙ୍କ ସ୍ୱାମୀ । ପ୍ରଶ୍ନ ଉଠୁଛି ଏହି ବ୍ୟକ୍ତି ଜଣକ ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ କେମିତି ଏହି କାରବାର କରିପାରୁଛନ୍ତି । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ଗାଇଡଲାଇନର କିପରି ପାଳନ ହେଉଛି, ଏହା ତାର ଏକ ବଳିଷ୍ଠ ଉଦାହରଣ ।

ସୋନପୁର ଜିଲ୍ଲାରେ ହୋଇଥିବା ବୋଗସ ଭୋଟିଂକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଶାସକ ଦଳ ହିଂସାକାଣ୍ଡ ଭିଆଇ, ବୁଥ କ୍ୟାପଚରିଙ୍ଗ କରି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ବିଜେଡି ସରକାର ଭୋଟ ହଡପକାରୀ ସରକାର ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ଏଥିସହ ସୋନପୁର ଜିଲ୍ଲାର ସେହି ବୁଥରେ ପୁଣି ଥରେ ଭୋଟିଂ କରିବାକୁ ବିଜେପି ଦାବି କରିଛି ।

ଦେଖନ୍ତୁ ଏହି ଭିଡିଓ :