ବର୍ଷାରେ ବେହାଲ ମହାରାଷ୍ଟ୍ର ଓ ଗୁଜରାଟ : ମୁମ୍ବାଇ ଭସାଇରେ ପିକନିକ୍ ପାଇଁ ଯାଇ ଝରଣା ପାଣିରେ ଭାସିଗଲେ ଜଣେ, ୩୯ ଉଦ୍ଧାର

44

କନକ ବ୍ୟୁରୋ : ବର୍ଷାରେ ବେହାଲ ମହାରାଷ୍ଟ୍ର ଓ ଗୁଜରାଟ୍ । ମୁମ୍ବାଇଠାରୁ ୨୦ କିଲୋମିଟର ଦୁର ଭସାଇରେ ପିକନିକ୍ କରୁଥିବା ବେଳେ ଝରଣାରେ ହଠାତ ପାଣି ଚାଲିଆସିବାରୁ ଜଣେ ବ୍ୟକ୍ତି ଭାସିଯାଇଛନ୍ତି ଓ ୩୯ଜଣଙ୍କୁ ଏନଡିଆରଏଫ୍ ତଥା ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି । ୫ ଜଣ ବ୍ୟକ୍ତିଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଥିବା ବେଳେ ବାକି ୩୪ ଜଣଙ୍କୁ ଦଉଡ଼ି ସହାୟତାରେ ଉଦ୍ଧାର କରାଯାଇଛି । ସେପଟେ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ସଙ୍ଗିନ ହେବାରେ ଲାଗିଛି ସ୍ଥିତି । ମୁମ୍ବାଇ, ନାଗପୁର, ଭିୱାଣ୍ଡି ପରି ସହରରେ ଜାରି ରହିଛି ବର୍ଷା । ବର୍ଷା ଯୋଗୁଁ ତଳିଆ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ସହର ରାଜରାସ୍ତା ଉପରେ ପାଣି ଚାଲିଛି । ସେହିପରି ବର୍ଷା କାରଣରୁ ଗୁଜରାଟ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୁଜରାଟ୍ ଡାଙ୍ଗ୍ ଜିଲ୍ଲାରେ ବର୍ଷା ଯୋଗୁଁ ଅମ୍ବିକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ଆରମ୍ଭ ହୋଇଛି । ଲଘୁଚାପ ପ୍ରଭାବରେ ଆଜି ଆଜିଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଗତକାଲି ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହୋଇଛି । ଆଜି ଉପକୂଳବର୍ତୀ ଜିଲ୍ଲାଗୁଡିକ ସହ ଆଭ୍ୟନ୍ତରୀଣ ଓଡିଶା ରାୟଗଡା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରେ ଭୀଷଣ ବର୍ଷାର ଚେତାବନୀ ଦିଆଯାଇଛି । ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ୧୩ ତାରିଖରେ ଉତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।