ପିଛା ଛାଡ଼ୁନି କାଳବୈଶାଖୀ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା,ଜଣେ ମୃତ

62

କନକ ବ୍ୟୁରୋ : ପିଛା ଛାଡ଼ୁନି କାଳବୈଶାଖୀ । ଆଜିକୁ ପ୍ରାୟ ଦୁଇ ସପ୍ତାହ ହେଲା କ୍ରମାଗତ ଭାବେ ଦାଉ ସାଧୁଛି । ସକାଳେ ପାଗ ଶୁଖିଲା ରହୁଥିବାବେଳେ ଅପରାହ୍ଣ ବେଳକୁ ଆକାଶରେ ଘୋଟି ଆସୁଛି କଳାହାଣ୍ଡିଆ ମେଘ । ଘନଘନ ବିଜୁଳି ଓ ବଜ୍ରପାତ ସାଙ୍ଗକୁ ମାଡ଼ି ଆସୁଛି ଝଡ଼ ପବନ । ଏହାପରେ ଆରମ୍ଭ ହୋଇଯାଉଛି ପ୍ରବଳ ବର୍ଷା । ଏମିତିିକି ବେଳେବେଳେ ବେଶ୍‌ ରାତି ପର୍ଯ୍ୟନ୍ତ ଲାଗି ରହୁଛି ବର୍ଷା ଓ ପବନ। ଗତ କେତେଦିନ ହେଲା ଉତ୍ତର ଓଡ଼ିଶାର ୩ଟି ଯାକ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ଲାଗି ରହିଛି କାଳବୈଶାଖୀର ଏଭଳି ତାଣ୍ଡବ । ଚୈତ୍ର ପରେ ବୈଶାଖ ମାସରେ ଏମିତି ପାଗ ଲୋକଙ୍କ ମନରେ ସୃଷ୍ଟି କରୁଛି ବର୍ଷାଋତୁର ଭ୍ରମ ।

ଆଜି ଅପରାହ୍ଣରେ ମଧ୍ୟ ଉତ୍ତର ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ରଚିଛି । ଅପରାହ୍ଣ ପ୍ରାୟ ସାଢ଼େ ୪ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୧୦ଟା ଯାଏ ଲାଗି ରହିଥିବା ବର୍ଷା ଓ ପବନ ୩ଟି ଯାକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରରେ ଗଛ ପଡ଼ି ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଆହତ ହୋଇଛନ୍ତି । ବାରିପଦା ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଗଛ ଉପଡ଼ି ଓ ଗଛ ଡାଳ ପଡ଼ି ରାସ୍ତା ଅବରୋଧ ହୋଇଛି ।

ବିଦ୍ୟୁତ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବହୁ ଅଞ୍ଚଳ ଏବେବି ଅନ୍ଧାରରେ ରହିଛି । ଅନୁରୂପ ଭାବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଯୋଗୁଁ ବହୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଛି । ବିଦ୍ୟୁତ ତାର ଛିଡ଼ି ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି ।