ମନ୍ତ୍ରୀଙ୍କ ଭାଇଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ ଘଟଣା ! ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ

50

କନକ ବ୍ୟୁରୋ: ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ ଗୁରୁତର ଆହତ ଡ୍ରାଇଭରଙ୍କ କଟକର ଏସସିବିରେ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ନାଁ ଦିଲେଶ୍ୱର ସାହୁ । ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ଅଣାଯାଇଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁବାର ରାତିରେ ଗାଡ଼ିରେ ସହଯୋଗୀଙ୍କ ସହ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଯାଉଥିବାବେଳେ ସୋହେଲା ବ୍ଲକ ବନାବିରା ଅଂଚଳରେ ସେମାନଙ୍କ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ । ଅଭିଯୋଗ ଅନୁସାରେ ହଠାତ ଗାଡ଼ି ଉପରକୁ ହୋଇଥିଲା ଟେକା ପଥର ମାଡ ଓ ଗୁଳିମାଡ । ଏଥିରେ ଆହତ ହୋଇଥିଲେ ସୁବ୍ରତ ସିଂ । ତାଙ୍କ ସହ ଗାଡି଼ ମାଲିକ ଓ ଡ୍ରାଇଭର ଆହତ ହୋଇଥିଲେ ।

ସୂଚନା ଅନୁସାରେ, ଗୁରୁବାର ସଂଧ୍ୟାରୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ବନ୍ଦ ରହିଥିଲା । ହେଲେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ବଢ଼ି ଯାଇଥିଲା । ରାତି ପ୍ରାୟ ୧୨ଟା ବେଳେ ସୋହେଲା ଥାନା ବନାବିରା ଗାଁରେ ଏହାର ଚରମ ପରିଣତି ଦେଖିବାକୁ ମିଳିଥିଲା । ସିନେମା ଷ୍ଟାଇଲରେ ଘଟିଥିଲା ଆକ୍ରମଣ । ଦୁର୍ବୃତ୍ତଙ୍କ ଗୁଳିମାଡ଼ ଓ ସଂଘବଦ୍ଧ ଆକ୍ରମଣରେ ଏକ କାରରେ ଯାଉଥିବା ଶାସକ ଦଳ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସାନଭାଇ ସୁବ୍ରତ ସିଂ, ତାଙ୍କ ସହଯୋଗୀ କାର୍ତିକ ନାଗ, ଖଗେଶ୍ୱର ମହାରଣା ଏବଂ ମାଗି ସାହୁ ଆହତ ହୋଇଥିଲେ । ରାତାରାତି ସେମାନଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା ।

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ଉପରେ ଗୁଳିମାଡ ନେଇ ପୁଲିସ ତନାଘନା କରୁଥିବା ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭୀରୁ ଓ କାପୁରୁଷଙ୍କ କାର୍ଯ୍ୟ ବୋଲି କହିଛନ୍ତି ନବୀନ । ଏହି ମାମଲାରେ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ସୋହେଲା ଅଂଚଳର ବାସୁଦେବ ନାଏକ ଓରଫ ବାବୁ, ଗୁଡ୍ଡୁ ଓରଫ ଦିଗବିଜୟ ଏବଂ ଜୟପ୍ରକାଶ ଅଗ୍ରଓ୍ଵାଲ। ଅନ୍ୟ ଆକ୍ରମଣକାରୀମାନେ ଫେରାର୍ ଅଛନ୍ତି। ପୁଲିସ୍ର ୨ଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।