ଦେଶର ଅର୍ଥନୀତି ପାଇଁ ଦୁଇଟି ଖବର! ବଢିଲା ଜିଡିପି, ଅନ୍ୟପଟେ ଡଲାର ତୁଳନାରେ ଖସିଲା ଟଙ୍କାର ମୂଲ୍ୟ

36

କନକ ବ୍ୟୁରୋ : ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ଖସିଛି । ଏହା ଏବେ ୭୧ରେ ପହଁଚିଛି । ଅର୍ଥାତ ଗୋଟିଏ ଡଲାରର ବିନିମୟ ମୂଲ୍ୟ ଏବେ ୭୧ ଟଙ୍କା ହୋଇଛି । ଗତକାଲି ଟଙ୍କାର ବିନିମୟ ମୂଲ୍ୟ ୭୦ଦଶମିକ୍ ୭୪ ଥିଲା । ଆଜି ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଛି । ଚଳିତ ବର୍ଷ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ପ୍ରାୟ ୧୦ ପ୍ରତିଶତ ଖସିଲାଣି । ତେବେ ଏହା ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରୁଛି ।

କ୍ରମାଗତ ଭାବେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଖସି ଚାଲିଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ପଡୁଛି । ଆକଳନ ଅନୁସାରେ ଗୋଟିଏ ପରିବାରର ହାରାହାରି ଖର୍ଚ୍ଚ ୧୦ ପ୍ରତିଶତ ବୃଦ୍ଧି ପାଇବ । ଏସୀୟ ରାଷ୍ଟ୍ର ମଧ୍ୟରେ ସବୁଠାରୁ ଦୁର୍ବଳ ସ୍ତରରେ ରହିଛି ଭାରତର ମୁଦ୍ରା । ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଗତ ଆଠ ମାସ ମଧ୍ୟରେ ୯.୭ ପ୍ରତିଶତକୁ ଖସିଛି । ଡଲାର ତୁଳନାରେ ଦୃଢ ସ୍ଥିତିରେ ରହିଛି କେବଳ ଜାପାନର ୟେନ ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ପରେ ଆମଦାନୀ ହେଉଥିବା ସମସ୍ତ ଖାଉଟି ସାମଗ୍ରୀ ମହଙ୍ଗା ହେବ । ଛୋଟ ଛୋଟ ରପ୍ତାନୀ କମ୍ପାନୀ ଭିତରେ କଡା ଟକ୍କର ହେବ । ଫଳରେ ରପ୍ତାନୀ କାରବାର ପ୍ରଭାବିତ ହେବ । ଏହା ସହ ବିଦେଶ ଗସ୍ତ ଓ ହୋଟେଲ ରହଣୀ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଚିକିତ୍ସା ଖର୍ଚ୍ଚ ମଧ୍ୟ ବଢିବ, କାରଣ ବିଦେଶରୁ ଆମଦାନୀ ହେଉଥିବା ଔଷଧ ଓ ମେଡିକାଳ ଯନ୍ତ୍ରପାତିର ମୂଲ୍ୟ ବଢିବ । ବିଦେଶରେ ପଢିବା ମଧ୍ୟ ବ୍ୟୟବହୁଳ ହେବ । ଫଳରେ ବର୍ଷକୁ ଗୋଟିଏ ପରିବାରକୁ ୩ରୁ ୪ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପଛରେ ଟଙ୍କାର ମୂଲ୍ୟ ହ୍ରାସ ଏକ ବଡ କାରଣ ବୋଲି କୁହାଯାଉଛି ।

ସେପଟେ ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ପରିବାର ଲୋକ ଭାରତୀୟ ଟଙ୍କା ଆକାରରେ ଅଧିକ ଟଙ୍କା ପାଇବେ । ଏହା ସହ ବିଦେଶରେ ସଫ୍ଟ ୱେର କମ୍ପାନୀରେ କାମ କରୁଥିବା ବ୍ୟକ୍ତି ଅଧିକ ଟଙ୍କା ଦରମା ପାଇବେ, କିନ୍ତୁ କମ୍ପାନୀ ଯେକୌଣସି ସମୟରେ ଏହାକୁ ପରିବର୍ତନ କରିବାର ସମ୍ଭାବନା ମଧ୍ୟ ରହିଛି । ଅନ୍ୟପଟେ ଭାରତୀୟଙ୍କ ବିଦେଶ ଗସ୍ତ ମହଙ୍ଗା ହେଉଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ଭାରତ ଗସ୍ତ ଶସ୍ତା ହେବ । ଦୁଇ ଦିନ ତଳେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୮ରୁ ୭୦ ମଧ୍ୟରେ ସ୍ଥିର ରହିବ ବୋଲି ଆଶା ପ୍ରକାଶ କରିଥିଲେ । ବିଦେଶୀ ନିବେଶ ବୃଦ୍ଧି ପାଉଥିବାରୁ ଏଭଳି ଘଟିବ ବୋଲି ସେ ଅନୁମାନ କରୁଥିବା ବେଳେ ବର୍ତମାନ ଟଙ୍କାର ସ୍ଥିତି ବଡ ପ୍ରଶ୍ନ ସୃଷ୍ଟି କରିଛି ।

ଗୋଟିଏ ପଟେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଚିନ୍ତା ବଢୁଥିବା ବେଳେ ଭାରତୀୟ ଅର୍ଥନୀତି ଲାଗି ଆସିଛି ଏକ ଉତ୍ସାହଜନକ ଖବର । ଦୁଇ ବର୍ଷର ଉତଥାନ ପତନ ପରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଜିଡିପି ବା ମୋଟ ଘରୋଇ ଉତ୍ପାଦର ବୃଦ୍ଧି ହୋଇଛି । ଏପ୍ରିଲରୁ ଜୁନ ମଧ୍ୟରେ ଜିଡିପି ଛୁଇଁଛି ୮ ଦଶମିକ ୨ ପ୍ରତିଶତ । ଜାନୁୟାରୀରୁ ମାର୍ଚ୍ଚ ମାସରେ ଜିଡିପି ଥିଲା ୭ ଦଶମିକ ୭ ପ୍ରତିଶତ । ଗତ ଆର୍ଥିକ ବର୍ଷରେ ଅତି ନୈରାଶ୍ୟଜନକ ଥିଲା ମୋଟ ଘରୋଇ ଉତ୍ପାଦ । ଅର୍ଥାତ ୨୦୧୭-୧୮ଆର୍ଥିକ ବର୍ଷରେ ଜିଡିପି ଥିଲା ୫.୫୯ ପ୍ରତିଶତ । ବିମୁଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରେ ଜିଡିପିରେ ବଡ଼ ପ୍ରଭାବ ପଡିଥିଲା ।