ମୁକୁଳିବାର ୨୪ ଘଂଟା ନପୁରୁଣୁ ପୁଣି ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ ! ଭୁବନେଶ୍ୱର ଝାରପଡା ସ୍ଥିତ ଘରୁ ଉଠାଇନେଲା ଢେଙ୍କାନାଳ ପୁଲିସ

34

କନକ ବ୍ୟୁରୋ : ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ । ଜେଲରୁ ମୁକୁଳିବାର ୨୪ ଘଂଟା ନପୁରୁଣୁ ପୁଣି ଥରେ ପ୍ରଶାନ୍ତ ଦାସଙ୍କୁ ପୁଲିସ ଗିରଫ କରିଛି । ଭୁବନେଶ୍ୱର ଝାରପଡା ସ୍ଥିତ ଘରୁ ପୁଲିସ ତାଙ୍କୁ ଉଠାଇ ନେଇଛି । ପୂର୍ବ ୱାରେଂଟି ବଳରେ ଢେଙ୍କାନାଳର ଏକ ପୁଲିସ ତାଙ୍କୁ ଗିରଫ କରିଛି । ୭ ଶହ କୋଟି ଟଙ୍କା ଠକେଇର ଏହି ମାଷ୍ଟର ମାଇଣ୍ଡଙ୍କୁ ମାଇଣ୍ଡଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ତନାଘାନା ଭିତରେ ପ୍ରଶାନ୍ତ ଦାସଙ୍କୁ ମିଳିଥିଲା ସାମୟିକ ଆଶ୍ୱସ୍ତି । ତେବେ ଆଜି ପୁଣି ଗିରଫ ହୋଇଛନ୍ତି ପ୍ରଶାନ୍ତ ଦାସ । ପ୍ରଶାନ୍ତ ଦାସଙ୍କୁ ଗିରଫ ପରେ ତାଙ୍କ ପୁଅ ଶୁଭମ ଦାସଙ୍କ ପ୍ରତିକ୍ରିୟା ମିଳିଛି । ବାପାଙ୍କୁ ପୁଣି ଗିରଫ କରାଯିବର କାରଣ ଜାଣିନି । ଜାମିନ ଆବେଦନ ପାଇଁ ଓକିଲଙ୍କ ପରାମର୍ଶ ନିଆଯାଉଥିବା ଶୁଭମ କହିଛନ୍ତି ।

ଦ୍ୱିତୀୟ ଥର ଗିରଫ ବାବଦରେ ପ୍ରତିକ୍ରିୟା ରଖି ପ୍ରଶାନ୍ତ ଦାସ କହିଛନ୍ତି, ଏଥିରେ କୌଣସି ଚାପ ନାହିଁ । ୱାରେଂଟ ଥିଲା ତେଣୁ ଗିରଫ କରାଯାଇଛି । ସେମାନେ ଭାବୁଛନ୍ତି ଗିରଫ କରିଦେଲେ ଜମାକାରୀ ଟଙ୍କା ପାଇ ଯିବେ । ସିସୋରରେ ଟଙ୍କା ଲଗାଇଥିବା ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ପ୍ରଶାନ୍ତ ଦାସ । ପ୍ରଶାନ୍ତ ଦାସଙ୍କ ଗିରଫଦାରୀ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି । ଦଳର ନେତା ସମୀର ଦାସ କହିଛନ୍ତି, ପୋଲିସ କୌଣସି ପ୍ରମାଣ ପାଇ ତାଙ୍କୁ ଗିରଫ କରିଥିବ । ପୋଲିସ ଏ ଦିଗରେ ତଦନ୍ତ କରୁଛି । ଗଣମାଧ୍ୟମରେ ପ୍ରଶାନ୍ତ ଦାସ ନିଜ ବକ୍ତବ୍ୟ ରଖିଛନ୍ତି । ଜମାକାରୀଙ୍କ ସ୍ୱାର୍ଥକୁ ଆଧାର କରି ଗିରଫ କରାଯାଇଥିବ । ବିଭିନ୍ନ ପ୍ରସଙ୍ଗରେ କାଲି ଗଣମାଧ୍ୟମରେ ବକ୍ତବ୍ୟ ରଖିଥିଲେ । ଯାହା ଗୁମର ଖୋଲିବାର କଥା ଖୋଲିପାରିଥାନ୍ତେ । ସୁଯୋଗ ମଧ୍ୟ ଅଛି, ଆସନ୍ତା ଦିନରେ ଖୋଲିପାରିବେ ।

ଆସନ୍ତୁ ଜାଣିବା ଢ଼େଙ୍କାନାଳରେ କ’ଣ ଥିଲା ପୂରା ମାମଲା ?
ପ୍ରଶାନ୍ତଙ୍କ ନାଁରେ ଢେଙ୍କାନାଳ ଟାଉନ ଥାନାରେ ୩ଟି ଚିଟଫଣ୍ଡ ମାମଲା ଥିଲା । ଏହି ମାମଲାରେ ମୋଟ ୭ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ୨୦୧୩ ମସିହାରେ ଏହି ମାମଲା ରୁଜୁ ହୋଇଥିଲା । କେସ ନଂ-୮୮, ୧୨୫, ୧୪୩ରେ ଏନବିଡବ୍ଲୁ ଜାରି ହୋଇଥିଲା । ବର୍ତମାନ ଚିଟଫଣ୍ଡ ମାମଲାରେ ଜେଲରୁ ମୁକୁଳିବା ପରେ ପୂର୍ବ ୱାରେଂଟ ଅନୁସାରେ ପ୍ରଶାନ୍ତ ଦାସଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ ।

prasant dasସୂଚନାଯୋଗ୍ୟ ଗତକାଲି ଜେଲରୁ ବାହାରିଥିଲେ ୭ଶହ କୋଟି ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ । ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଗତକାଲି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ପ୍ରାୟ ୪ ବର୍ଷ ପରେ ଝାରପଡ଼ା ଜେଲରୁ ପ୍ରଶାନ୍ତ ଦାସ ମୁକୁଳିଥିଲେ । ଜମାକାରୀଙ୍କୁ ଭୁଆଁ ବୁଲାଇ ୭ଶହ କୋଟିର ଠକାମୀ ସାମ୍ରାଜ୍ୟ ଛିଡ଼ା କରିଥିବା ପ୍ରଶାନ୍ତ ଦାସ, କିଛି ବର୍ଷ ଜେଲରେ କଟାଇବା ପରେ ମୁକ୍ତି ପାଇଥିଲେ ।

ଶହ ଶହ କୋଟି ଟଙ୍କାର କେଳେଙ୍କାରୀ କରି ଗାଏବ୍ ହୋଇଯାଇଥିବା ପ୍ରଶାନ୍ତ ଦାସଙ୍କୁ ୨୦୧୩ ଜୁନ୍ ୧୯ ତାରିଖରେ ମୁମ୍ବାଇରୁ ଗିରଫ କରିଥିଲା, କ୍ରାଇମ୍ବ୍ରାଂଚ । ମୋଟ୍ ୮ଟି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିବା ପରେ ଗତକାଲି ଜେଲରୁ ମୁକୁଳିଥିଲେ ପ୍ରଶାନ୍ତ ଦାସ । ତେବେ ଆଜି ପୁଣି ଗିରଫ ହୋଇଛନ୍ତି ପ୍ରଶାନ୍ତ ଦାସ । କିନ୍ତୁ ଏସବୁ ଭିତରେ ମୁଖ୍ୟ ପ୍ରସଙ୍ଗ ହେଉଛି କେମିତି ଟଙ୍କା ଫେରି ପାଇବେ ଜମାକାରୀ । ଏବେବି ଝୁଲି ରହିଛି ଜମାକାରୀଙ୍କ ଭାଗ୍ୟ । ମୁଖ୍ୟ ଅଭିଯୁକ୍ତ ଏପରି ଜେଲରୁ ମୁକୁଳିବେ ଆଉ ଗିରଫ ହେବେ , ହେଲେ ଜମାକାରୀଙ୍କ କଥା ବୁଝିବ କିଏ ?