ପୁଣି ଭାରତକୁ ଧମକାଇଲା ଚୀନ୍‌ ! ଚେତାବନୀକୁ ବେଖାତିର କଲେ ଯୁଦ୍ଧ

53

କନକ ବ୍ୟୁରୋ : ଭାରତ-ଚୀନ୍‌-ଭୁଟାନ ସୀମାର ବିବାଦୀୟ ଡୋକଲାମ ଅଂଚଳକୁ ବଳପୂର୍ବକ ଅକ୍ତିଆର କରିବାକୁ ପ୍ରୟାସ କରୁଥିବା ଚୀନ୍‌ ତୁହାକୁ ତୁହା ଯୁଦ୍ଧ ଧମକ ଦେଇଚାଲିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତକୁ ପୁଣି ଧମକାଇଛି ଚୀନ୍‌ । ଚୀନ୍‌ର ଚେତାବନୀକୁ ଭାରତ ଗମ୍ଭୀରତାର ସହ ନେବା ଆବଶ୍ୟକ, ଅନ୍ୟଥା ଏହା ଯୁଦ୍ଧର ସମ୍ମୁଖୀନ ହେବ ବୋଲି ଚୀନ୍‌ ସରକାରୀ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସ ସଂପାଦକୀୟରେ କୁହାଯାଇଛି । ୧୯୬୨ରେ ଜବାହରଲାଲ ନେହରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଚୀନ୍‌, ଭାରତକୁ ସୀମା ବିବାଦ ନେଇ ଅନେକ ବାର ଚେତାବନୀ ଦିଆଯାଇଥିଲା, କିନ୍ତୁ ସେ ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିନଥିଲେ ଓ ଭାରତ ଏହାର ପରିଣାମ ଭୋଗିଥିଲା ।

ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌ର ଚେତାବନୀକୁ ବେଖାତିର କରିଚାଲିବେ ତା’ହେଲେ ଯୁଦ୍ଧ ସୁନିଶ୍ଚିତ ବୋଲି ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଚୀନ୍‌ ଚେତାବନୀ ଦେଇଛି । ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ମାସକ ମଧ୍ୟରେ ଭାରତକୁ ୮ ଥର ଯୁଦ୍ଧ ଧମକ ଦିଆଯାଇଛି । ଭାରତ ଏକ ଅନଭିଜ୍ଞ ଓ ଦୁର୍ବଳ ରାଷ୍ଟ୍ର ବୋଲି ଗ୍ଲୋଗାଲ ଟାଇମ୍ସ ସଂପାଦକୀୟରେ କୁହାଯାଇଛି । ୧୯୬୨ ଯୁଦ୍ଧରୁ ଭାରତ କିଛି ବି ଶିକ୍ଷାଲାଭ କରିନାହିଁ ଏବଂ ଏହାର ଭୁଲ୍‌ ନୀତି ଭାରତ ପାଇଁ ବହୁତ ମହଙ୍ଗା ପଡ଼ିବ ବୋଲି ଚୀନ୍‌ ଚେତାଇ ଦେଇଛି ।

ତେବେ ଚୀନ୍‌ର ଏଭଳି ଯୁଦ୍ଧ ବୟାନ ଭାରତକୁ ତା’ର ନୀତିରୁ ବିଚ୍ୟୁତ କରିପାରିବ ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି । ଡୋକଲାମରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଭାରତ ବଦ୍ଧପରିକର ବୋଲି ଜଣାଇଦେଇଛି । ବିଶ୍ୱ ସମୁଦାୟକୁ ଭୁଲ୍‌ ତଥ୍ୟ ଦେଇ ଭାରତକୁ ଏକ ଅନୁପ୍ରବେଶକାରୀ ରାଷ୍ଟ୍ର ଭାବେ ଚିତ୍ରଣ କରିବାକୁ ଚୀନ୍‌ ସରକାର ଲଗାତାର ପ୍ରୟାସ ରଖିବା ସହ ଭାରତର ମନୋବଳ ଭାଙ୍ଗିବାକୁ ଭୟ ଦେଖାଇ ଚାଲିଛି । ଗତକାଲି ଚୀନ୍‌ ପିପୁଲସ୍‌ ଲିବରେସନ ଆର୍ମିର ବରିଷ୍ଠ କର୍ଣ୍ଣେଲ ଲି ଲି କହିଥିଲେ ଯେ ଯଦି ଭାରତ ଯୁଦ୍ଧରୁ ବର୍ତ୍ତିବାକୁ ଚାହୁଛି ତା’ହେଲେ ଡୋକଲାମ ଅଂଚଳରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର କରିବା ଉଚିତ । ନିକଟରେ ଚୀନ୍‌ ସେନା ତିବ୍ଦତରେ କରିଥିବା ଯୁଦ୍ଧାଭ୍ୟାସର ଭିଡିଓ ଜାରି କରି ଭାରତକୁ ଡରାଇବାକୁ ଚେଷ୍ଟା କରିଥିଲା ।

ତେବେ ଚୀନର ବିଭ୍ରାନ୍ତି ଏବଂ ଅପପ୍ରଚାରକୁ ଭାରତ କର୍ଣ୍ଣପାତ ନକରିବାରୁ ହତାଶ ଚୀନ୍‌ ଏବେ ଭାରତର ମନୋବଳ ଭାଙ୍ଗିବାକୁ ନୂଆନୂଆ ବାହାନା ଖୋଜୁଛି । ଚୀନ୍‌ ସରକାରୀ ଗଣମାଧ୍ୟମ ପ୍ରତିଦିନ ଭାରତ ବିରୋଧରେ ବିଷୋଦଗାର ଜାରି ରଖିଛି ଏବଂ ଭାରତକୁ ଉଭୟ ସାମରିକ ଏବଂ ଆର୍ଥିକ ଦୃଷ୍ଟିରୁ ଏକ ଦୁର୍ବଳ ରାଷ୍ଟ୍ରଭାବେ ଚିତ୍ରଣ କରାଯାଉଛି । ଦୁଇ ସପ୍ତାହ ମଧ୍ୟରେ ଡୋକଲାମରେ ଛୋଟ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଭାରତୀୟ ସେନାକୁ ହଟାଇବାକୁ ଚୀନ୍‌ ପ୍ରସ୍ତୁତ ରହିଥିବା ଏହାର ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଦୁଇଦିନ ତଳେ ପ୍ରକାଶ ପାଇଥିଲା । ତେବେ ଗତକାଲି ଚୀନ୍‌ ସରକାର ଏହାକୁ ଖଣ୍ଡନ କରି ଏହା ସରକାରଙ୍କ ଆଭିମୁଖ୍ୟ ନୁହେଁ, ସଂପୃକ୍ତ ଗଣମାଧ୍ୟମର ମତ ବୋଲି କହିଥିଲେ। ଚୀନ୍‌ ଏବେ ଗୋଟିଏ ପଟେ ଭାରତ ବିରୋଧରେ ନେପାଳ ଓ ପାକିସ୍ତାନକୁ ଉସୁକାଇଉଥିବା ବେଳେ ଅନ୍ୟପଟେ ନିଜକୁ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରଭାବେ ଉପସ୍ଥାପନ କରି ଭାରତକୁ ଗୌଣ ଦେଖାଇବାକୁ ଚାହୁଛି ।