ମାଆ ମାଓବାଦୀ ଝିଅ ଖେଳାଳି ! ଚୀନରେ ଅନ୍ତର୍ଜାତୀୟ ଭଲି ଟୁର୍ଣ୍ଣାମେଂଟରେ ଭାରତକୁ ପ୍ରତିନିଧିତ୍ୱ କରିବେ ମାଲକାନଗିରିର ଶିରୀସା କରମୀ

37

କନକ ବ୍ୟୁରୋ : ମାଆ ଧରୁଥିଲେ ବନ୍ଧୁକ ହେଲେ ଝିଅ ଖେଳୁଛନ୍ତି ଭଲିବଲ । ଲାଲଗଡ ଛାଡି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିବା ଜଣେ ମହିଳା କ୍ୟାଡର ମାଓବାଦୀଙ୍କ ଝିଅ ଏବେ ଭାରତୀୟ ଭଲି ଟିମରେ ସ୍ଥାନ ପାଇଛନ୍ତି । ଚୀନରେ ହେବାକୁ ଥିବା ଅନ୍ତର୍ଜାତୀୟ ଭଲି ଟୁର୍ଣ୍ଣାମେଂଟରେ ଭାରତରୁ ପ୍ରତିନିଧିତ୍ୱ କରିବେ ଆଦିବାସୀ ଝିଅ ଶିରୀସା କରମୀ । ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିରୀସାଙ୍କୁ ୧୮ ବର୍ଷରୁ କମ୍ ଭାରତୀୟ ଭଲି ଟିମରେ ସ୍ଥାନ ମିଳିଛି ।

କେରଳର ଏର୍ଣ୍ଣାକୁଲମ ଜୁନିୟର ଚାମ୍ପିୟନସିପ କ୍ୟାମ୍ପରେ ନିଜ ପ୍ରତିଭା ଦ୍ୱାରା ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେ । ଏପ୍ରିଲ ୧୯ରୁ ୨୪ ତାରିଖ ଯାଏଁ ଚାଲିଥିବା ଚାମ୍ପିୟନସିପରେ ଏହି ୧୫ ବର୍ଷୀୟ ଝିଅ ନିଜ ପ୍ରଦର୍ଶନ ଜରିଆରେ ପ୍ରମାଣ ଦେଇଥିଲେ ଯେ, ସେ ଲମ୍ବା ରେସର ଘୋଡା । ପୂର୍ବରୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ୧୦ରୁ ଅଧିକ ମେଡାଲ ହାସଲ କରିଥିବା ଏହି ଖେଳାଳି କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ।

ଶୀରିସାଙ୍କ ମାଆ ଚେଲ୍ଲମା କରମୀ ବିଗତ ଦିନରେ ଥିଲେ ଜଣେ କ୍ୟାଡର ମାଓବାଦୀ । ଓଡିଶା- ଆନ୍ଧ୍ର ସୀମାରେ ବେଶ ସକ୍ରିୟ ଥିଲେ ଚେଲ୍ଲମା । ମାଲକାନଗିରିରେ ଥିଲେ କୁଖ୍ୟାତ । ହେଲେ ୧୯୯୪ ବେଳକୁ ମାଓ ସଂଗଠନ ପ୍ରତି ବିମୁଖ ହୋଇ ସଂଗଠନ ଛାଡିଥିଲେ । ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଜେଲର ଚାରିକାନ୍ଥ ଭିତରେ ୬ବର୍ଷ ରହିବା ପରେ ୨୦୦୦ରେ ବାହାରକୁ ଆସି ପରିବାର ମଙ୍ଗ ଧରିଥିଲେ । ଝିଅକୁ ଭଲ ଶିକ୍ଷା ଦେବାପାଇଁ ଗୋଟିଏ ସ୍କୁଲରେ ରୋଷେୟା ଭାବ କମ କଲେ ।

ଶିରୀସା ଖାଲି ଭଲ ଖେଳନ୍ତି ତା ନୁହେଁ ମାଟ୍ରିକ ପରୀକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ବି ପାସ କରିଛନ୍ତି । ଗୋଟିଏ ପଟେ ସାରା ଦେଶର କୋଟି କୋଟି ଝିଅଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଶିରୀସା ଆଉ ଅନ୍ୟପଟେ ଲାଲଗଡ ଛାଡି ସମାଜର ମୁଖ୍ୟ ଶ୍ରୋତକୁ ଫେରିଆସୁଥିବା ମାଓବାଦୀଙ୍କ ପାଇଁ ବି ଉଦାହରଣ ପାଲଟି ଯାଇଛନ୍ତି ତାଙ୍କ ମାଆ ଚେଲ୍ଲମା । ମାଆ ଝିଅଙ୍କ ଏହି ସଫଳତାର କାହାଣୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।